ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କର ବିବାଦୀୟ ବୟାନ ! କହିଲେ ଗୁଗୁଲ ଭଳି ସବୁକିଛି ଜାଣିଥିଲେ ନାରଦ ।

65

ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବଙ୍କ ପରେ ଏବେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ଚାଞ୍ଚଲ୍ୟକର ବୟାନକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ କହିଥିଲେ ଯେ, ମହାଭାରତ ସମୟରେ ଇଣ୍ଟରନେଟ ସେବା ରହିଥିଲା । ଏବେ ବିଜୟ ରୂପାଣୀ ଗୁଗୁଲକୁ ନାରଦଙ୍କ ସହ ସମକକ୍ଷ କରି କହିଛନ୍ତି ଯେ, ଏବେ ଯେପରି ସର୍ଚ୍ଚ ଇଞ୍ଜିନ ଗୁଗୁଲ ସବୁ ତଥ୍ୟ ଦେଉଛି ସେହିପରି ପ୍ରାଚୀନ କାଳରେ ଭାଗବାନ ନାରଦ ମଧ୍ୟ ସବୁ ବିଷୟର ଜ୍ଞାନ ରଖିଥିଲେ ।

ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଏବଂ ବିଶ୍ୱ ସମ୍ବାଦ କେନ୍ଦ୍ର ପକ୍ଷରୁ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଯୋଗ ଦେଇ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ କହିଛନ୍ତି ନାରଦ ସୂଚନାର ଗନ୍ତାଘର ଥିଲେ । ଏହା କଥା ଆଜି ବି ମଧ୍ୟ ପ୍ରାସଙ୍ଗିକ ଅଟେ ଯେ, ନାରଦ ସମଗ୍ର ଦୁନିଆ ବିଷୟରେ ଜାଣିଥିଲେ । ଯେମିତି ନାରଦ ସମଗ୍ର ଦୁନିଆର ଜ୍ଞାନ ରଖୁଥିଲେ ସେମିତି ଗୁଗୁଲ ମଧ୍ୟ ସୂଚନାର ସ୍ରୋତ ଅଟେ । କାହିଁକି ନା ଦୁନିଆରେ ଯାହା ବି ଘଟୁଛି ଏହାର ସମସ୍ତ ସୂଚନା ଗୁଗୁଲ ପାଖରେ ରହିଛି । ବିଜୟ ରୂପାଣୀ କହିଛନ୍ତି ଯେ, ମନୁଷ୍ୟ ଜାତିର ମଙ୍ଗଳ ପାଇଁ ସୂଚନା ଗୁଡିକୁ ଏକାଠି କରିବା ନାରଦଙ୍କ କାମ ଥିଲା । ଏହା ହିଁ ତାଙ୍କର ଧର୍ମ ଥିଲା ଏବଂ ଏହା ଅତ୍ୟନ୍ତ ଆବଶ୍ୟକୀୟ ମଧ୍ୟ ଥିଲା । ତେବେ ଏହି ଅବସରରେ ବିଜୟ ରୂପାଣୀ ଲୋକତନ୍ତ୍ର ଦେଶରେ ଗଣମାଧ୍ୟମର ଆବଶ୍ୟକତା ବିଷୟରେ କହିଥିଲେ ।

ତେବେ ଏହା ପୂର୍ବରୁ ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ ମଧ୍ୟ ନିଜ ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହିଆସିଛନ୍ତି । ସେ କହିଥିଲେ ଯେ, ମହାଭାରତ ସମୟରେ ଇଣ୍ଟରନେଟ୍ ସେବା ରହିଥିଲା । ସେ ଏହି ବୟାନକୁ ଯୁକ୍ତି ବାଢିବା ସହ କହିଥିଲେ ଯେ, ଯଦି ଭାରତ ପାଖରେ ଇଣ୍ଟରନେଟ ସେବା ନଥାନ୍ତା ତେବେ ଧୃତରାଷ୍ଟ୍ରଙ୍କ ପାଖରେ ବସି ସଞ୍ଜୟ ତାଙ୍କୁ ମହାଭାରତ ଯୁଦ୍ଧର ସମସ୍ତ ବିବରଣୀ କିପରି ଦେଇଥାନ୍ତେ । ସେ ଏହା ବି ମଧ୍ୟ ଦାବି କରିଥିଲେ ଯେ, ଦେଶରେ ସେତେବେଳେ ସାଟେଲାଇଟ ମଧ୍ୟ ଥିଲା । ଏବଂ ସେହିଥିରୁ ଜଣାପଡୁଛି ଯେ, ଲକ୍ଷ ଲକ୍ଷ ବର୍ଷ ପୂର୍ବରୁ ମଧ୍ୟ ଦେଶରେ ସାଟେଲାଇଟ ରହିଥିଲା ।

ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କର ଏଭଳି ଚାଞ୍ଚଲ୍ୟକର ବୟାନ ସହ ସହମତି ପ୍ରକାଶ କରିଥିଲେ ରାଜ୍ୟପାଳ । ମହାଭାରତ ସମୟରେ ଇଣ୍ଟରନେଟ୍ ସେବା ରହିଥିବା କଥାକୁ ସେ ସ୍ୱୀକାର କରିଥିଲେ । ଏହା ପରେ ମଧ୍ୟ ବିବାଦୀୟ ବୟାନ ଦେବାରୁ ନିଜକୁ ଦୂରାଇ ପାରିନଥିଲେ ବିପ୍ଳବ ଦେବ । ବିଶ୍ୱ ସୁନ୍ଦରୀ ଡାଇନା ହେଡେନଙ୍କର ସୁନ୍ଦରତାକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଥିଲେ । ଏପରିକି ବେରୋଜଗାର ଯୁବକଙ୍କୁ ପାନ ଦୋକାନ ଖୋଲିବା ଏବଂ ଗାଈ ପାଳିବା ଉପଦେଶ ଦେଇ ଅଡୁଆରେ ପଡିଥିଲେ ବିପ୍ଳବ ଦେବ । ତେବେ ଏପରି ବାରମ୍ବାର ବିବାଦୀୟ ବୟାନ ଦେବାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଗଣମାଧ୍ୟମ ଆଗରେ ଏଭଳି ବୟାନ ନଦେବାକୁ କହିଥିଲେ ।