ବାପା ବିକ୍ରି କରୁଥିଲେ ଚା’, ସିଝା ଅଣ୍ଡା । କଠିନ ପରିଶ୍ରମ ଏବଂ ଦୃଢ ଇଚ୍ଛାଶକ୍ତି ବଳରେ ଦେଶର ସବୁଠୁ କମ୍ ବୟସର ଆଇପିଏସ ଅଫିସର ବନିଲେ ସାଫିନ୍ ହାସନ ।

2,630

କନକ ବ୍ୟୁରୋ : କୁହାଯାଏ, ଦୃଢ ଇଚ୍ଛାଶକ୍ତି ଏବଂ ଆତ୍ମବିଶ୍ୱାସ ଥିଲେ, ଅସମ୍ଭବ କାମ ବି ସମ୍ଭବ ହୋଇଯାଏ । ସଫଳତା ପଥରେ ସବୁ ବାଧାବିଘ୍ନ ମୁଣ୍ଡ ନୁଆଁଇଥାଏ । ଆଉ ଏହାର ଏକ ବଡ ଉଦାହରଣ ସାଜିଛନ୍ତି ଗୁଜୁରାଟର ସାଫିନ୍ ହାସନ ।

ସାଫିନ୍ ହାସନଙ୍କ ପାଇଁ ଆସନ୍ତା ଡିସେମ୍ବର ମାସ ୨୩ ତାରିଖ ସବୁଠାରୁ ସ୍ୱତନ୍ତ୍ର ଏବଂ ସ୍ମରଣୀୟ ହେବାକୁ ଯାଉଛି । କାହିଁକି ନା ଭାରତବର୍ଷରେ ସେଦିନ ଇତିହାସ ରଚିବାକୁ ଯାଉଛନ୍ତି ହାସନ । ଗୁଜୁରାଟର ୨୨ ବର୍ଷୀୟ ସାଫିନ୍ ହାସନ ଦେଶର ସବୁଠୁ କମ୍ ବୟସର ଆଇପିଏସ୍ ଅଫିସର ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଆଉ ଆସନ୍ତା ୨୩ ତାରିଖରେ ସେ ଗୁଜୁରାଟର ଜାମନଗରରେ ଆସିଷ୍ଟାଣ୍ଡ ସୁପରିନଟେଣ୍ଡେଂଟ ବା ଏଏସପି ଭାବେ ଦାୟିତ୍ୱ ଗ୍ରହଣ କରିବେ ।

ଏତେ କମ୍ ବୟସରେ ଆଇପିଏସ ଅଫିସର ହେବା ହାସନଙ୍କ ପାଇଁ ଏତେ ସହଜ ନଥିଲା । ପିଲାଟି ବେଳୁ ପୋଲିସ ଅଫିସର ହେବା ପାଇଁ ସେ ସ୍ୱପ୍ନ ଦେଖୁଥିଲେ । ଆଉ ନିଜ ଲକ୍ଷ୍ୟ ସ୍ଥଳରେ ପହଂଚିବା ପାଇଁ ଦିନ ରାତି ଏକ କରି ପାଠ ପଢୁଥିଲେ । ଅନ୍ୟପଟେ ହାସନଙ୍କ ବାପା ମା ମଧ୍ୟ ପୁଅକୁ ପଢାଇବା ପାଇଁ ଅନେକ ପରିଶ୍ରମ କରିଛନ୍ତି । ଆସନ୍ତୁ ଜାଣିବା ସବୁଠୁ କମ୍ ବୟସର ଆଇପିଏସ ସାଫିନ୍ ହାସନଙ୍କ ସଂଘର୍ଷର କାହାଣୀ ।

ହାସନଙ୍କ ଘର ହେଉଛି ଗୁଜୁରାଟର ପାଲନପୁର ସ୍ଥିତ କନୋଦର ଗ୍ରାମରେ । ୨୦୧୭ରେ ସେ ୟୁପିଏସସି ପରୀକ୍ଷା ଦେଇଥିଲେ, ଯେଉଁଥିରେ ସେ ୫୭୦ ତମ ର୍ୟାଙ୍କ ହାସଲ କରିଥିଲେ । ଗରିବ ଘରେ ଜନ୍ମ ନେଇଥିବା ହାସନ ନିଜ ଲକ୍ଷ୍ୟ ସ୍ଥଳରେ ପହଂଚିବା ପାଇଁ କଠୋର ପରିଶ୍ରମ କରିଛନ୍ତି ।

ହାସନଙ୍କ ବାପା ଜଣେ ଇଲେକ୍ଟ୍ରିସିଆନ୍ ଭାବେ କାମ କରନ୍ତି । ଏବଂ ତାଙ୍କ ମା କେତେକ ହୋଟେଲ ଏବଂ ବିବାହ ଉତ୍ସବରେ ରୋଟି ତିଆରି କରିଥାନ୍ତି । ଶୀତ ଦିନେ ହାସନଙ୍କ ବାପା ଠେଲା ଗାଡିରେ ଚା ଆଉ ସିଝା ଅଣ୍ଡା ବିକ୍ରି କରିଥାନ୍ତି । ନିଜ ପୁଅର ସ୍ୱପ୍ନ ସାକାର କରିବା ପାଇଁ ଦିନରାତି ପରିଶ୍ରମ କରିଥିଲେ ବାପା ମା ।

ହାସନଙ୍କ କହିବା କଥା ହେଉଛି, ସେ ସ୍କୁଲରେ ପଢୁଥିବା ସମୟରେ ଥରେ ଜିଲ୍ଲାପାଳ ତାଙ୍କ ସ୍କୁଲକୁ ଆସିଥିଲେ । ଆଉ ସମସ୍ତେ ଜିଲ୍ଲାପାଳଙ୍କୁ ସମ୍ମାନ ପ୍ରଦାନ କରିଥିଲେ । ଆଉ ସେହିଦିନ ଠାରୁ ହିଁ ସେ ଜଣେ ଅଫିସର ହେବାକୁ ମନରେ ସ୍ଥିର କରିନେଇଥିଲେ । ବାପା ମାଙ୍କ କଠିନ ପରିଶ୍ରମ ହିଁ ତାଙ୍କୁ ଆଇପିଏସ ହେବାକୁ ପ୍ରେରଣା ଯୋଗାଇଥିଲା ବୋଲି କହିଛନ୍ତି ହାସନ ।

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯେଉଁଦିନ ଆଇପିଏସ ପରୀକ୍ଷା ଦେବାକି ସେ ଯାଉଥିଲେ, ସେଦିନ ରାସ୍ତାରେ ତାଙ୍କର ଦୁର୍ଘଟଣା ହୋଇଥିଲା । କିନ୍ତୁ ସେମିତି ସ୍ଥିତିରେ ମଧ୍ୟ ସେ ପରୀକ୍ଷା ଦେଇଥିଲେ, ଏବଂ ପରୀକ୍ଷା ପରେ ହସ୍ପିଟାଲରେ ଆଡମିଟ୍ ହୋଇଥିଲେ ।

କଠିନ ପରିଶ୍ରମ, ଦୃଢ ଆତ୍ମବିଶ୍ୱାସ ଏବଂ ଇଚ୍ଛାଶକ୍ତି ଥିଲେ, ସଫଳତା ଆପେ ଆପେ ଆସେ । ଆଉ ଏହାର ଏକ ବଡ ଉଦାହରଣ ସାଜିଛନ୍ତି ଭାରତର ସବୁଠୁ କମ୍ ବୟସର ଆଇପିଏସ୍ ଅଫିସର ସାଫିନ୍ ହାସନ ।