ଜାରକା ଗଳି ପୋଲ ଉପରେ ତିଆରି ହେବ ଫ୍ଲାଇ ଓଭର ବ୍ରିଜ୍ । ମିଳିଲା ସବୁଜ ସଙ୍କେତ, ପୂରଣ ହେବ ଧର୍ମଶାଳାବାସୀଙ୍କ ଦୀର୍ଘଦିନର ଦାବି ।

363

କନକ ବ୍ୟୁରୋ : ଯାଜପୁର ଜାରକା ଜାତୀୟ ରାଜପଥ ଗଳିପୋଲ ଫ୍ଲାଇ ଓଭର ହେବା ନେଇ ମିଳିଛି ସବୁଜ ସଙ୍କେତ । ଧର୍ମଶାଳାବାସୀଙ୍କ ଦୀର୍ଘଦିନର ଦାବୀ ପୂରଣ ହେବାକୁ ଯାଉଛି । ଜାରକା ଗଳି-ପୋଲ ସମସ୍ୟା ସମ୍ପର୍କରେ କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଲୋକଙ୍କ ଦାବି ପୂରଣ ହେବାକୁ ଯାଉଛି । ଫ୍ଲାଇ ଓଭର ନିର୍ମାଣ ପାଇଁ ଦଳମତ ନିର୍ବିଶେଷରେ ସାମିଲ ହୋଇ ଆନ୍ଦୋଳନକୁ ଓହ୍ଲାଇଥିଲେ ନେତା ଓ ଲୋକେ ।

ଏ ହେଉଛି ଯାଜପୁର ଜିଲ୍ଳାର କ୍ରମବର୍ଦ୍ଧିଷ୍ନୁ ସହର ଜାରକାର ଦୃଶ୍ୟ । ଜାରକାବାସୀଙ୍କର ବିଶ୍ୱାସର ଛାତି ଚିରୁଥିବା ଜାତୀୟ ରାଜପଥର ଏକମାତ୍ର ଗଳି ପୋଲ ବଢାଉଥିଲା ଟ୍ରାଫିକ ସମସ୍ୟା । ବୌଦ୍ଧ କିର୍ତିରାଜି ଦେଖିବାକୁ ଆସୁଥିବା ପର୍ଯ୍ୟଟକ ହୁଅନ୍ତୁ କି ସହରବାସୀ ଏଇ ଗଳି ପୋଲ ପାଖରେ ଘଂଟାଘଂଟା ଧରି ଅଟକି ରହୁଥିଲେ । ଆଉ ଏହାକୁ ନେଇ ଗତ ବିଧାନସଭା ନିର୍ବାଚନ ସମୟରେ ଧର୍ମଶାଳା ରାଜନୀତିର ପାରଦ ବଢିଥିଲା । ଏନେଇ କନକ ନ୍ୟୁଜରେ ଖବର ମଧ୍ୟ ପ୍ରସାରଣ ହୋଇଥିଲା । ତେବେ ବର୍ତମାନ ଚଣ୍ଡିଖୋଲରୁ ଭଦ୍ରକ ଯାଏ ଜାତୀୟ ରାଜପଥ ସମ୍ପ୍ରସାରଣ କାମ ଚାଲିଥିବା ବେଳେ ଜାରକା ଠାରେ ଫ୍ଲାଇ ଓଭର ହେବ ବୋଲି ଜାତୀୟ ରାଜପଥ କର୍ତୃପକ୍ଷଙ୍କଠାରୁ ସବୁଜ ସଙ୍କେତ ମିଳିଛି ।

ଦିଲ୍ଳିପ ବିଲ୍ଡକନ୍ ନାମକ ଏକ ସଂସ୍ଥା ଜାତୀୟ ରାଜପଥ ସମ୍ପ୍ରସାରଣ କାମ କରୁଥିବା ବେଳେ ଫ୍ଲାଇ ଓଭର ପାଇଁ ଧର୍ମଶାଳା ତହସିଲ ଓ ଜାତୀୟ ରାଜପଥ କର୍ତୃପକ୍ଷଙ୍କ ମିଳିତ ସହଯୋଗରେ ରାସ୍ତାକଡରୁ ଜବର ଦଖଲ ଉଚ୍ଛେଦ କରାଯାଇଛି । ଏବେ ରାଜପଥ କଡରେ ଡ୍ରେନେଜ୍ କାମ ଚାଲିଛି । ନଭେମ୍ବର ମାସରୁ ଫ୍ଲାଇ ଓଭର ନିର୍ମାଣ କାମ ଆରମ୍ଭ ହେବ ବୋଲି ତହସିଲଦାର ସୂଚନା ଦେଇଛନ୍ତି ।

ଯାଜପୁରର ପୂର୍ବତନ ସାଂସଦ ରୀତା ତରାଇ ଜାରକା ଗଳି ପୋଲକୁ ଫ୍ଲାଇ ଓଭର କରିବା ପାଇଁ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରିଙ୍କୁ ଭେଟି ଦାବୀ ପତ୍ର ଦେଇଥିଲେ । ସଂସଦରେ ଶୂନ୍ୟକାଳରେ ମଧ୍ୟ ଏହି ପ୍ରଶ୍ନ ଉଠାଇ ଥିଲେ ପୂର୍ବତନ ସାଂସଦ । ଜାରକାଠାରେ ଫ୍ଲାଇ ଓଭର ନିର୍ମାଣ ଧର୍ମଶାଳା ବାସୀଙ୍କର ଦୀର୍ଘ ଦିନର ସ୍ୱପ୍ନ ହୋଇଥିବା ବେଳେ ଏହା କେବେ ଆରମ୍ଭ ହୋଇ କେବେ ଶେଷ ହେଉଛି ତାହା ସମୟ କହିବ ।