୫୦ ଭାଗ ବି ଆଦାୟ ହୋଇପାରିଲାନି ଖଣି ଜୋରିମାନା! ନିର୍ଦ୍ଦେଶ ଅନୁସାରେ ବନ୍ଦ ହେଲା ୭ଟି ଖଣି, ୧୭ରେ ସୁପ୍ରିମକୋର୍ଟର ପରବର୍ତ୍ତୀ ଶୁଣାଣି

27

କନକ ବ୍ୟୁରୋ : ଜିରୋ ନାଇଟର ଡେଡ୍ ଲାଇନ ପରେ ଓଡ଼ିଶା ସରକାର ବଡ ପଦକ୍ଷେପ ନେଇଛନ୍ତି । ୨୦୧୭ର ବିଦାୟୀ ଓ ୨୦୧୮ର ଆରମ୍ଭ ରାତି ଖଣି ମାଲିକଙ୍କ ପାଇଁ ଥିଲା ଅଶୁଭ ରାତି । କାରଣ ଏହି ରାତିରେ ଓଡ଼ିଶାର ଖଣି ଲୁଟ୍ କରି ଅର୍ଥର ପାହାଡ଼ ଉପରେ ଠିଆ ହୋଇଥିବା ଖଣି ମାଲିକଙ୍କ ଉପରେ ଚଡ଼କ ପଡ଼ିଥିଲା । ଧାର୍ଯ୍ୟ ସମୟ ଭିତରେ ଜୋରିମାନା ନଦେବାରୁ ୭ଟି ଖଣିକୁ ଆଜିଠାରୁ ବନ୍ଦ କରି ଦେଇଛନ୍ତି ରାଜ୍ୟ ସରକାର । ପ୍ରାୟ ୧୯ ହଜାର କୋଟି ଟଙ୍କାର ଜୋରିମାନାରୁ ଆଦାୟ ହୋଇଛି ମାତ୍ର ୮ ହଜାର ୨୩୩ କୋଟି ଟଙ୍କା । ଟଙ୍କା । ଅନ୍ୟପଟରେ ବର୍ଷ ବର୍ଷ ଧରି ଖଣି ବନ୍ଦ ରଖିଥିବା ୬୮ ଖଣି ମାଲିକ ଜୋରିମାନା ଦେଇନାହାନ୍ତି । ସେମାନେ ଆଇନର ଗଳାବାଟ ଖୋଜୁନାହାନ୍ତି ତ? ସେ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

minesସରିଲା ଜିରୋ ନାଇଟ୍ ଡେଡ୍ ଲାଇନ୍ । ଆଦାୟ ହୋଇପାରିଲା ନାହିଁ ଅଧା ଜୋରିମାନା । ସସପେଣ୍ଡ୍ ହେଲା ୭ଟି ଚାଲୁଥିବା ଖଣି । ବେଆଇନ ଭାବେ ରତ୍ନଗର୍ଭା ଓଡିଶାର ଖଣିଜ ସମ୍ପଦକୁ ଲୁଟ କରି ହଜାର ହଜାର କୋଟି ଟଙ୍କାର ମୁନାଫା କମାଇଥିବା ଖଣିମାଲିକଙ୍କ ଉପରେ ଆଜି ଲଗାମ କଷିଛନ୍ତି ସରକାର । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ରାଜ୍ୟ ସରକାରଙ୍କ ପାଖରେ ଜୋରିମାନା ଦାଖଲ କରିନଥିବା ୭ଟି ଖଣିକୁ ବନ୍ଦ କରିଦେଇଛନ୍ତି ସରକାର । ଜିରୋନାଇଟ୍ ଡେଡଲାଇନ ସୁଦ୍ଧା ୪୩ଟି ଚାଲୁଥିବା ଖଣିର ମାଲିକ ଜୋରିମାନା ଦେଇଥିବା ବେଳେ ତା’ ଭିତରେ ସେମାନେ ଚାଲୁନଥିବା ୩୦ଟି ଖଣି ପାଇଁ ବି ଜୋରିମାନା ଦେବାକୁ ବାଧ୍ୟ ହୋଇଛନ୍ତି ।

decision on mines wonerସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟ ସରକାର ଯେଉଁ ୧୫୨ଟି ଖଣିଠାରୁ ଜୋରିମାନା ପାଇବାକୁ ଆଶା ରଖିଥିଲେ, ତାର ପରିମାଣ ଥିଲା ପ୍ରାୟ ୧୯ ହଜାର କୋଟି ଟଙ୍କା । ତେବେ ସେଥିରୁ ମିଳିଛି ମାତ୍ର ୮,୨୨୩ କୋଟି ଟଙ୍କା । ଜୋରିମାନା ଦେଇନଥିବାରୁ ଯେଉଁ ୭ଟି ଚାଲୁଥିବା ଖଣିକୁ ବନ୍ଦ କରାଯାଇଛି ସେମାନଙ୍କ ଉପରେ ପ୍ରାୟ ୩ ହଜାର କୋଟି ଟଙ୍କା ଜୋରିମାନା ବକେୟା ପଡ଼ିଛି । ଜୋରିମାନା ଦେଇନଥିବାରୁ ବନ୍ଦ ହୋଇଥିବା ଖଣିଗୁଡିକ ହେଲାଓଏମଏମର ପାଟକୁମୁଡ଼ାରେ ଥିବା ଖଣି, ସିରାଜୁଦ୍ଦିନର ବଲଦା ଖଣି, କର୍ପ ରିସୋର୍ସେସର ରାଇକେଲାଠାରେ ଥିବା ଖଣି, ମେସ୍କୋର ରୋଇଡା, ଏସେଲ୍ ମାଇନିଂର କୋଇଡା ଖଣି, ଆଇଡିସିର ରୋଇଡା ଓ ନେସନାଲ୍ ଏଣ୍ଟରପ୍ରାଇଜର ରାଇକେଲାଠାରେ ଥିବା ଖଣି ।

ଜୋରିମାନା ଦେଇନଥିବା ଖଣିମାଲିକଙ୍କ ସଂପର୍କରେ ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ କ୍ଷମତାପନ୍ନ କମିଟି ବା ସିଇସିଙ୍କୁ ୨/୩ ଦିନ ଭିତରେ ରିପୋର୍ଟ ଦେବେ ରାଜ୍ୟ ସରକାର । ଜାନୁଆରୀ ୧୭ ତାରିଖରେ ସୁପ୍ରିମକୋର୍ଟ ପୁଣି ଏହି ମାମଲାର ଶୁଣାଣି କରିବେ । ଏବେ ସମସ୍ତଙ୍କ ନଜର ବକେୟା ପଡ଼ିଥିବା ଜରିମାନା ଟଙ୍କା କିପରି ଆଦାୟ କରିବେ ସୁପ୍ରିମକୋର୍ଟ? ତେବେ ଏସବୁ ଭିତରେ ଖଣିମାଲିକମାନେ ଜୋରିମାନା ଟଙ୍କା ନଦେଇ ଗଳାବାଟ ଖୋଜୁଥିବା ମଧ୍ୟ ଚର୍ଚ୍ଚା ହେଊଛି ।