ଆଜି ବିଳମ୍ବିତ ସନ୍ଧ୍ୟାରେ ଜାମ୍ମୁକଶ୍ମୀର ରାଜ୍ୟପାଳ ସତ୍ୟପାଳ ମଲ୍ଲିକ ଜାମ୍ମୁକଶ୍ମୀର ବିଧାନସଭାକୁ ଭଙ୍ଗ କରିଦେଇଥିବା ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଘୋଷଣା କରିଛନ୍ତି । ତେବେ ରାଜ୍ୟପାଳଙ୍କର ବିଧାନସଭା ଭଙ୍ଗ ଘୋଷଣାକୁ ନେଇ ରାଜନୈତିକ ବିବାଦ ତୀବ୍ର ହେବାରେ ଲାଗିଛି। ଉଲ୍ଲେଖଯୋଗ୍ୟ ଆଜି ପୂର୍ବାହ୍ନରେ ପିପୁଲସ୍ ଡେମୋକ୍ରେଟିକସ୍ ପାର୍ଟି (ପିଡିପି), କଂଗ୍ରେସ ଏବଂ ନ୍ୟାସନାଲ କନଫ୍ରେନସ୍ (ଏନସି) ମେଣ୍ଟ କରି ଜାମ୍ମୁକଶ୍ମୀରରେ ସରକାର ଗଠନ କରିବେ ବୋଲି ନିଷ୍ପତ୍ତି ନେଇଥିଲେ।
ବିଗତ ପାଞ୍ଚ ମାସ ଧରି ରାଜ୍ୟପାଳ ଶାସନ ଅଧୀନରେ ରହିବା ପରେ ଆଜି ଜାମ୍ମୁକଶ୍ମୀରରେ ନୂତନ ସରକାର ଗଠନ ପାଇଁ ପଥ ପରିଷ୍କାର ହୋଇଛି। ଜାମ୍ମୁକଶ୍ମୀରରେ ପିପୁଲସ୍ ଡେମୋକ୍ରାଟିକ୍ ପାର୍ଟି (ପିଡିପି)- ନ୍ୟାସନାଲ କନଫରେନ୍ସ (ଏନସି)- କଂଗ୍ରେସ ଏକାଠି ମେଣ୍ଟ କରି ସରକାର ଗଠନ କରିବେ ଏବଂ ନୂତନ ସରକାରରେ ପିଡିପିର ବରିଷ୍ଠ ନେତା ଅଲତାଫ୍ ବୁଖାରୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ସର୍ବସମ୍ମତ୍ତ ନିଷ୍ପତ୍ତି ହୋଇଥିବା ଜାଣିବାକୁ ମିଳିଛି। ୮୭ ସଦସ୍ୟ ବିଶିଷ୍ଟ ଜାମ୍ମୁକଶ୍ମୀର ବିଧାନସଭାରେ ଏବେ ପିଡିପିର ୨୮, ଏନସିର ୧୫ ଓ କଂଗ୍ରେସର ୧୨ ଜଣ ନିର୍ବାଚିତ ବିଧାୟକ ଅଛନ୍ତି। ଏମାନେ ସମସ୍ତେ ମିଶିଗଲେ ଏମାନଙ୍କ ସଂଖ୍ୟା ୫୫ ହୋଇଯିବ ଓ ସରକାର ଗଠନ ପାଇଁ ରାସ୍ତା ପରିଷ୍କାର ହୋଇଯିବ।
ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ଏହା ପୂର୍ବରୁ ଭାରତୀୟ ଜନତା ପାର୍ଟି (ବିଜେପି)- ପିପୁଲସ୍ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ସହ ମେଣ୍ଟକରି ଜାମ୍ମୁକଶ୍ମୀରରେ ମିଳିତ ସରକାର ଗଠନ କରିଥିଲା। ତେବେ ହଠାତ୍ ବିଜେପି ମିଳିତ ସରକାରରୁ ଓହରି ଯିବାରୁ ପିଡିପି- ବିଜେପି ମେଣ୍ଟ ସହ ସରକାର ମଧ୍ୟ ଭାଙ୍ଗି ଯାଇଥିଲା ଏବଂ ରାଜ୍ୟରେ ରାଜ୍ୟପାଳ ଶାସନ ଲାଗୁ ହୋଇଥିଲା।
ପିଡିପିର ନେତ୍ରୀ ମେହବୁବା ମୁଫତି ସରକାର ଗଠନ ପାଇଁ ରାଜ୍ୟପାଳ ସତ୍ୟପାଳ ମଲ୍ଲିକଙ୍କୁ ଅନୁରୋଧ ପତ୍ର ପଠାଇବା ପାଇଁ ଯିବାବେଳେ ରାଜ୍ୟପାଳ ମଲ୍ଲିକ ତାଙ୍କୁ ଦେଖାଦେଇ ନଥିଲେ। ଏପରିକି ଟେଲିଫେନ୍ ଧରି ନଥିଲେ କିମ୍ବା ଫ୍ୟାକ୍ସରେ ଯୋଗେ ମଧ୍ୟ ତାଙ୍କ ଦାବି ପତ୍ରକୁ ଗ୍ରହଣ କରି ନଥିଲେ। କିନ୍ତୁ ପରେ ପରେ ଜାମ୍ମୁକଶ୍ମୀର ବିଧାନସଭା ଭଙ୍ଗ କଲେ ବୋଲି ଏକ ପ୍ରେସ ବିଜ୍ଞପ୍ତିରେ ଘୋଷଣା କରିଥିଲେ।