ରମାକାନ୍ତଙ୍କ ଦୁଃଖ ଶୁଣିଲେ ସରକାର: ବନ୍ଦୀ ଜୀବନରୁ ମିଳିବ ମୁକ୍ତି । ସହାୟତାର ହାତ ବଢାଇଲା ପ୍ରଶାସନ

217

କନକ ବ୍ୟୁରୋ: ବନ୍ଦୀ ଜୀବନ ମୁକ୍ତି ମିଳିବ । ଲୁହା ଶିକୁଳିରୁ ଜୀବନ ଫିଟିବ । ଆଉ ଜୀବନ- ଯନ୍ତ୍ରଣା ମଝିରେ ରଚା ହୋଇଥିବା ‘ଅଭିଶପ୍ତ’ ନାଟକର ଯବନିକା ପଡିବ । କାରଣ ରମାକାନ୍ତଙ୍କ ଜୀବନରେ ପଡିଥିବା ୩୦ ବର୍ଷିୟ ବେଡି ଫିଟାଇବ ପ୍ରଶାସନ, ସହାୟତା କରିବେ ସରକାର ।

ଦୀର୍ଘ ୩୦ ବର୍ଷ ହେବ ଗୋଟିଏ ଘରେ ବନ୍ଧା ହୋଇ ଅନ୍ଧାରୀ ଜୀବନ କାଟୁଛନ୍ତି ଯାଜପୁର ଦଶରଥପୁର ବ୍ଲକ ଉଦୟପୁର ଗାଁର ରମାକାନ୍ତ ବେହେରା । ମାନସିକ ବିକୃତି ପାଇଁ ତାଙ୍କୁ ଶିକୁଳିରେ ବାନ୍ଧି ରଖାଯାଇଥିବା ବେଳେ ଚିକିତ୍ସା ପାଇଁ ଅର୍ଥ ନଥିବାରୁ ପରିବାର ଲୋକେ ହାତଟେକି ଦେଇଥିଲେ । ତେବେ ରମାକାନ୍ତଙ୍କ ଏ ଦୁଃଖର କାହାଣୀ କନକ ନ୍ୟୁଜରେ ପ୍ରସାରଣ ପରେ ତାଙ୍କ ପାଖରେ ପ୍ରଶାସନ ପହଞ୍ଚିଛି । ଆଉ ଖୋଦ ଜିଲ୍ଲାପାଳ ରଞ୍ଜନ ଦାସ ରମାକ୍ତନ୍ତଙ୍କୁ ସବୁ ସହାୟତା ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ତେବେ ରମାକାନ୍ତଙ୍କ ଚିକିତ୍ସା ଖର୍ଚ୍ଚ ସହ ତାଙ୍କ ପରିବାରକୁ ମଧ୍ୟ ବିଜୁ ପକ୍କା ଘରର କାର୍ଯ୍ୟଦେଶ ଦିଆଯାଇଛି ଆଉ ପରିବାରର ସମସ୍ତ ସଦସ୍ୟଙ୍କୁ ରାସନ କାର୍ଡ ପ୍ରଦାନ କରାଯାଇଛି । ତେବେ ଅନ୍ଧାର ଘରୁ ଆଲୁଅ ଅପେକ୍ଷାରେ ଥିବା ରମାକାନ୍ତଙ୍କୁ ପ୍ରଶାସନର ପ୍ରତିଶ୍ରୁତି ମିଳିବା ପରେ ସାରା ପରିବାରରେ ଆଶା ସଞ୍ଚାର ହୋଇଛି । ଆଉ ଗାଁ ଲୋକେ ରମାକାନ୍ତଙ୍କୁ ସପୂର୍ଣ୍ଣ ସୁସ୍ଥ କରାଇବାକୁ ଜିଲ୍ଲାପାଳଙ୍କ ପାଖରେ ଗୁହାରୀ କରିଛନ୍ତି ।