ଆସନ୍ତାକାଲି ବନ୍ଦ ରହିବ ରାଜ୍ୟର ସମସ୍ତ ବ୍ୟାଙ୍କ୍ । ମକର ସଂକ୍ରାନ୍ତି ପାଇଁ ଛୁଟି ଘୋଷଣା କଲେ ରାଜ୍ୟ ସରକାର ।

1,973

କନକ ବ୍ୟୁରୋ : ଆସନ୍ତାକାଲି ରାଜ୍ୟର ସମସ୍ତ ବ୍ୟାଙ୍କ ବନ୍ଦ ରହିବ । ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ରାଜ୍ୟର ସମସ୍ତ ବ୍ୟାଙ୍କକୁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାପୂର୍ବରୁ ମକର ସଂକ୍ରାନ୍ତି ପାଇଁ ବୁଧବାର ସମସ୍ତ ସରକାରୀ ଅଫିସ ଓ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରିଥିଲେ ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରାଯାଇଥିଲା । ମକର ସଂକ୍ରାନ୍ତିକୁ ଓଡିଶାର ଗଣପର୍ବ ଭାବେ ପାଳନ କରାଯାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ଛୁଟି ଘୋଷଣା କରିଛନ୍ତି ।

ହିନ୍ଦୁ ସଂସ୍କୃତି ଓ ଧାର୍ମିକ ପରମ୍ପରାରେ ଏହି ପର୍ବ ପାଳନର ଅନେକ ମହତ୍ୱ ରହିଛି । ମକର ସଂକ୍ରାନ୍ତିରୁ ସୂର୍ଯ୍ୟଙ୍କର ଉତରାୟଣ ଗତି ଆରମ୍ଭ ହୁଏ ଏବଂ ମକର ରାଶିରେ ସୂର୍ଯ୍ୟ ପ୍ରବେଶ କରନ୍ତି । ଏହି ପର୍ବକୁ ଭିନ୍ନ ଭିନ୍ନ ଅଂଚଳରେ ଭିନ୍ନ ଭିନ୍ନ ନାଁରେ ପାଳନ କରିଥାନ୍ତି । ଓଡିଶାରେ ମକର ସଂକ୍ରାନ୍ତି, ଆନ୍ଧ୍ରପ୍ରଦେଶରେ ପୋଙ୍ଗଲ, ପଞ୍ଜାବରେ ଲୋହରି, ଆସାମରେ ବିହୁ, ପଶ୍ଚିମବଙ୍ଗରେ ପୌଷ ସଂକ୍ରାନ୍ତି ଭାବେ ଜଣାଶୁଣା । ମକର ସଂକ୍ରାନ୍ତି ଉତ୍ତର ଓଡିଶାର ଗଣପର୍ବ ଭାବେ ପାଳିତ ହୋଇଥାଏ ।

ମୟୂରଭଞ୍ଜ, ବାଲେଶ୍ୱର ଓ କେନ୍ଦୁଝର ଜିଲ୍ଲାରେ ବସବାସ କରୁଥିବା ବିଶେଷକରି ଆଦିବାସୀ ସମ୍ପ୍ରଦାୟ ଏହି ପର୍ବକୁ ଅତି ଆନନ୍ଦଉଲ୍ଲାସର ସହିତ ପାଳି ଥାନ୍ତି । ଏହି ସମ୍ପ୍ରଦାୟରେ ମକର ସଂକ୍ରାନ୍ତି ନୂଆ ବର୍ଷ । ମକର ବୁଡ ପକାଇ ନବବସ୍ତ୍ର ପରିଧାନ ଓ ପିଠାପଣା ଖାଇ ସମସ୍ତେ ମଉଜରେ ମାତନ୍ତି । ସାନ୍ତାଳ ସମ୍ପ୍ରଦାୟରେ ମୃତବ୍ୟକ୍ତିଙ୍କ ଅସ୍ଥି ବିସର୍ଜନ ସହିତ ଶୁଦ୍ଧିକ୍ରିୟା ସମ୍ପନ୍ନ କରାଯାଏ । ଏହା ଦାମୋଦର ଯାତ୍ରା ଭାବେ ନାମିତ ।