ଗୋଖରପୁର ପରେ ଫାରୁଖବାଦ୍‌ ! ଅକ୍ସିଜେନ ଅଭାବରୁ ମାସକରେ ୪୯ ଶିଶୁ ମୃତ

40

କନକ ବ୍ୟୁରୋ: ଗୋରଖପୁର ବିଆରଡି ମେଡିକାଲ କଲେଜରେ ଅକ୍ସିଜେନ ଅଭାବ ଜନିତ କାରଣ ହେତୁ ଗତମାସରେ ୬୨ ଶିଶୁଙ୍କର ମୃତ୍ୟୁ ହେବା ଦ୍ୱାରା ଯେମିତି ସାରା ଦେଶରେ ଆଲୋଡନ ସୃଷ୍ଟି କରିଥିଲା । ସେହିପରି ଫାରୁଖାବାଦର ରାମ ମନୋହର ଲୋହିଆ ସରକାରୀ ମେଡିକାଲରେ ସ୍ୱତନ୍ତ୍ର ନ୍ୟୁବର୍ଣ୍ଣ କେୟାର ୟୁନିଟରେ ଗତମାସରେ ମରିଥିବା ୪୯ ଶିଶୁଙ୍କର ମୃତ୍ୟୁର କାରଣ ମଧ୍ୟ ଅକ୍ସିଜେନ ଅଭାବ ।

ସିଟି ମାଜିଷ୍ଟ୍ରେଟ୍ ଜୈନେନ୍ଦ୍ର ଜୈନ ଏବଂ ତହଶିଲଦାର ଅଜିତ କୁମାର ସିଂଙ୍କୁ ନେଇ ଗଠିତ ତଦନ୍ତକାରୀ ଦଳଙ୍କ ଦ୍ୱାରା ଆସିଥିବା ତଦନ୍ତ ରିପୋର୍ଟରୁ ଜଣାଯାଇଛି ଯେ, ସ୍ୱତନ୍ତ୍ର ନ୍ୟବୁର୍ଣ୍ଣ କେୟାର ୟ୍ରୁନିଟରେ ଅକ୍ସିଜେନ ଅଭାବ ହେତୁ ୪୯ ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିଲା।

ତେବେ ଏହି କାରଣ ନେଇ ଗତକାଲି ଉତ୍ତରପ୍ରଦେଶ ସରକାର ଫାରୁଖାବାଦ୍ ଜିଲ୍ଲା ମାଜିଷ୍ଟ୍ରେଟ୍ ରବିନ୍ଦ୍ର କୁମାର, ଜିଲ୍ଲା ହସ୍ପିଟାଲର ସିଏମଓ (ଚିଫ ମେଡିକାଲ ଅଫିସର) ଏବଂ ସିଏମଏସ ( ଚିଫ ମେଡିକାଲ ସୁପରିନଟେଣ୍ଡେଣ୍ଟ୍) ଙ୍କୁ ବଦଳି କରିଦେଇଛନ୍ତି। ସରକାରୀ ପରିଚାଳିତ ଡକ୍ଟର ରାମ ମନୋହର ଲୋହିଆ ହସ୍ପିଟାଲରେ ଗତ ମାସରେ ଜୁଲାଇ ୨୧ ରୁ ଅଗଷ୍ଟ ୨୦ ମଧ୍ୟରେ ୩୦ ଶିଶୁଙ୍କର ନ୍ୟୁବର୍ଣ୍ଣ କେୟାର ୟୁନିଟରେ ମୃତ୍ୟୁ ହୋଇଥିଲା ଏବଂ ଅନ୍ୟ ୧୯ ଜଣଙ୍କର ଡେଲିଭରି ସମୟରେ ହିଁ ମୃତ୍ୟୁ ହୋଇଯାଇଥିଲା । ସିଏମଓ ଡକ୍ଟର ଉମା କାନ୍ତ ପାଣ୍ଡେ ଏବଂ ସିଏମଏସ ଡକ୍ଟର ଅଗ୍ରଓ୍ଵାଲ୍ ଏବଂ ଅନ୍ୟ ଚିକିତ୍ସକଙ୍କ ବିରୋଧରେ ଫାରୁଖାବାଦ୍ କୋଟଓ୍ଵାଲୀ ପୁଲିସରେ ଏଫଆଇଆର ଦାୟର ହୋଇଛି । ସିଟି ମାଜିଷ୍ଟ୍ରେଟଙ୍କ ତଦନ୍ତ ରିପୋର୍ଟ ଆସିବାପରେ ହିଁ ଏହି ଏଫଆଇଆର ଦାୟର ହୋଇଛି ।

ତେବେ ଗୋରଖପୁରର ବିଆରଡି ମେଡିକାଲ କଲେଜରେ ଅକ୍ସିଜେନ ଅଭାବରୁ ଗତ ମାସରେ ଗୋଟିଏ ସପ୍ତାହରେ ୧୦୦ ଶିଶୁଙ୍କର ମୃତ୍ୟୁ ହେବାର ମାତ୍ର ଅଳ୍ପ କେତୋଟି ସପ୍ତାହ ପରେ ଫାରୁଖାବାଦରେ ଏହି ଘଟଣା ଘଟିଛି । ଜଣାଯାଇଛି ଯେ, ଦୁଇ ଅଫିସର ଶିଶୁମାନଙ୍କ ବାପା ମା’ଙ୍କ ସହ ସିଧାସଳଖ ଫୋନ୍ ମାଧ୍ୟମରେ କଥା ହେବାପରେ ହିଁ ଏହାର କାରଣ ଅକ୍ସିଜେନ ଅଭାବ ବୋଲି ଜଣାପଡିଲା । ଜୈନ ଏଫଆଇଆରରେ ଲେଖିଛନ୍ତି ଯେ, ଏହି ମୃତ୍ୟୁର କାରଣ ‘ ପେରିନାଟାଲ୍ ଆସଫିଜିଆ’ ଯାହା ନବଜାତ ଶିଶୁଙ୍କ କ୍ଷେତ୍ରରେ ଅକ୍ସିଜେନ ଅଭାବ ହେତୁ ହୋଇଥାଏ ।

କିନ୍ତୁ ଶିଶୁମାନଙ୍କ ପରିବାର ସଦସ୍ୟଙ୍କ ମତରେ ଚିକିତ୍ସକମାନେ ଅକ୍ସିଜେନ ଲଗାଇନଥିଲେ କି କୌଣସି ଆବଶ୍ୟକୀୟ ମେଡିସିନ୍ ମଧ୍ୟ ଦେଇନଥିଲେ । ଫାରୁଖାବାଦ ପୁଲିସ ସୁପରିନଟେଣ୍ଡେଣ୍ଟ୍ ଦୟାନନ୍ଦ ମିଶ୍ର କହିଛନ୍ତି ଏ ନେଇ ମାମଲା ରୁଜ୍ଜୁ ହୋଇସାରିଛି ଏବଂ ଆଗକୁ ତଦନ୍ତ ବଜାୟ ରହିଥିବାରୁ ପରବର୍ତ୍ତୀ ପର୍ଯ୍ୟାୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।