କନକ ବ୍ୟୁରୋ: ଜନ୍ମରୁ ମୂକ ଓ ବଧିର। କିନ୍ତୁ ଏହି ଅକ୍ଷମତା ସାଜି ପାରିଲା ନାହିଁ ପ୍ରତିବନ୍ଧକ। ଦୃଢ଼ ଇଚ୍ଛାଶକ୍ତି ସାଙ୍ଗକୁ ଅବିଚ୍ଛିନ୍ନ ସଂଘର୍ଷ ତାଙ୍କୁ ନୂଆ ପରିଚୟ ଦେଇଛି। ଜଣେ ଦକ୍ଷ ଇଲୋକ୍ଟ୍ରୋନିକ୍ସ ଏବଂ ଇଲେକ୍ଟ୍ରିକାଲ ମେକାନିକ ଭାବେ ଧୀରେ ଧୀରେ ଆଗକୁ ବଢ଼ି ଚାଲିଛନ୍ତି। ନବରଙ୍ଗପୁର ସଦର ବ୍ଲକ୍ ତେଲିଗୁଡ଼ା ଗାଁର ଏହି ଦିବ୍ୟାଙ୍ଗ ଯୁବକ ଜଣକ ଅନ୍ୟ ଉପରେ ବୋଝ ନ ହୋଇ ସ୍ବାବଲମ୍ବୀ ହୋଇ ଉଦାହରଣ ସୃଷ୍ଟି କରିଛନ୍ତି।

Advertisment

ଅକ୍ଷୟ କୁମାର ସାହୁ। ବୟସ ମାତ୍ର ୩୦ବର୍ଷ। ଜନ୍ମରୁ ସେ ଦିବ୍ୟାଙ୍ଗ। ତେଣୁ ବୟସ ବଢ଼ିବା ସହ ବାପା, ମା’ ଚିନ୍ତାରେ ରହିଥିଲେ। ମୂକ ତଥା ବଧିରଙ୍କ ନିମନ୍ତେ ଜିଲ୍ଲାରେ କୌଣସି ବିଦ୍ୟାଳୟ ନଥିବାରୁ ପୁଅର ଭବିଷ୍ୟତ ପାଇଁ ବାପା ନାରାୟଣ ସାହୁ ସନ୍ଦିହାନ ଥିଲେ। ତଥାପି କିଛି ପଢ଼ାଲେଖା ଶିଖିଲେ ଆଗକୁ କିଛି କରିପାରିବେ ବୋଲି ଆଶାରେ ଗାଁ ସ୍କୁଲକୁ ଛାଡ଼ିଲେ। ପ୍ରାଥମିକ ଶିକ୍ଷା ପରେ ଅକ୍ଷୟ ନବରଙ୍ଗପୁର ଜେଇଏଲସି ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀ ପର୍ୟ୍ୟନ୍ତ ପଢ଼ିଲେ। ଏହାପରେ ଅଧିକ ପଢ଼ିବା ପାଇଁ ଇଚ୍ଛା ପ୍ରକାଶ କରି ନଥିଲେ। ପଢ଼ିବା ସମୟରେ ବୈଦ୍ୟୁତିକ ଯନ୍ତ୍ରପାତି ପ୍ରତି ପ୍ରବଳ ଆଗ୍ରହ ରହିଥିଲା। ତେଣୁ ଘରେ ଥିବା କିଛି ଯନ୍ତ୍ରପାତିକୁ ଖୋଲାଖୋଲି କରି ପୁଣି ଯୋଡ଼ିଲେ। ପୁଅର ଏମିତି ଆଗ୍ରହ ଦେଖି ନାରାୟଣ ନବରଙ୍ଗପୁର ବସଷ୍ଟାଣ୍ଡ ନିକଟରେ ଥିବା ଗୋଟିଏ ବୈଦ୍ୟୁତିକ ଯନ୍ତ୍ରପାତି ମରାମତି ଦୋକାନରେ ଆଣି ଛାଡ଼ିଲେ। ଦୋକାନ ମାଲିକ ଏସ. ଆଲ୍ଲୀ ମଧ୍ୟ ଦିବ୍ୟାଙ୍ଗ ଅକ୍ଷୟ ସଂପର୍କରେ ଜାଣିବା ପରେ ଏଥିରେ ସହଯୋଗ କଲେ। ଏସି, ରେଫ୍ରିଜେଟର୍, କୁଲର, ୱାସିଂ ମେସିନ୍, ଫ୍ୟାନ ଭଳି ଇଲୋକ୍ଟ୍ରୋନିକ୍ସ ଯନ୍ତ୍ର ସଜାଡ଼ିବା ଶିଖାଇଲେ।

କିଛି ବର୍ଷ ମଧ୍ୟରେ ଏହି କାମରେ ପୋଖତ ହୋଇଗଲେ ଅକ୍ଷୟ। ଆଉ ପଛକୁ ଫେରିବା ପାଇଁ କେବେ ଚାହିଁନାହାନ୍ତି। ବିନା କୌଣସି ବୈଷୟିକ ତାଲିମରେ ସମସ୍ତ କାମ ଚୁଟୁକିରେ ଶେଷ କରିଦେଉଛନ୍ତି। ଏସ.ଅଲ୍ଲୀଙ୍କ କହିବା ହେଲା ଅକ୍ଷୟ ତାଙ୍କ ପାଖକୁ ଆସିବା ପରେ ବହୁତ ମନଯୋଗ ଦେଇ କାମ ଶିଖୁଥିଲେ। ଦୀର୍ଘ ବର୍ଷ ଧରି ସେ ଏହି କାମ କରି ଆସୁଥିବା ବେଳେ ବହୁ ପିଲାଙ୍କୁ କାମ ଶିଖାଇଛନ୍ତି। ବହୁ ଜଣ କାମ ଶିଖିବା ପରେ ଛାଡ଼ି ଚାଲି ଯାଇଛନ୍ତି। କିନ୍ତୁ ଅକ୍ଷୟ ସବୁ ବେଳେ ପାଖେ ପାଖେ ରହି ଆସିଛନ୍ତି। ତାଙ୍କୁ ସମସ୍ତ ସୁବିଧା ଓ ଅସୁବିଧାରେ ସହଯୋଗ କରିଛନ୍ତି। ଗୁରୁଙ୍କ ଆଦେଶକୁ କେବେ ହେଲେ ଅବମାନନା କରିନାହାନ୍ତି ବୋଲି ଏସ.ଅଲ୍ଲୀ କହିଛନ୍ତି।

ପୂର୍ବେ ମୋବାଇଲ ଫୋନରେ ମେସେଜ୍ ମାଧ୍ୟମରେ ଗ୍ରାହକଙ୍କୁ ଯୋଗାଯୋଗ କରୁଥିଲେ। ଏପରିକି ମେସେଜ କରି ହିଁ ଗ୍ରାହକଙ୍କ ଠିକଣା ନେଇ ତାଙ୍କ ଘରେ ପହଞ୍ଚୁଥିଲେ। ଆଧୁନିକ ମୋବାଇଲ ଆସିବା ପରେ ଭିଡିଓ କଲିଂ କରି ଗ୍ରାହକଙ୍କ ନିକଟରେ ପହଞ୍ଚି ଯାଉଛନ୍ତି। ତେବେ ପ୍ରଥମେ ପ୍ରଥମେ ଠାରରେ ତାଙ୍କ କଥା ବୁଝିବା କଷ୍ଟ ହେଉଥିଲା। ହେଲେ ମୋବାଇଲ ଆସିବା ପରେ ସବୁ କାମ ସହଜ ହୋଇଯାଇଛି। ଦୈନିକ ୫ଶହ ଟଙ୍କାରୁ ଅଧିକ ରୋଜଗାର କରୁଛନ୍ତି। ପ୍ରଖର ସ୍ମରଣଶକ୍ତି ଯୋଗୁଁ ଗୋଟିଏ ଥର କାମ ବତାଇ ଦେଲେ ସବୁ ମନେ ରଖି ଦେଉଛନ୍ତି। ଦ୍ବିତୀୟ ଥର ଆଉ କିଛି କହିବାକୁ କିମ୍ବା ବୁଝାଇବାକୁ ପଡ଼ୁନାହିଁ ବୋଲି କହିଛନ୍ତି ତାଙ୍କ ଗୁରୁ ଏସ.ଅଲ୍ଲୀ।

କେବଳ ଜଣେ ମେକାନିକ୍ ଭାବେ ସେ ପରିଚୟ ହାସଲ କରିନାହାନ୍ତି। ଅନ୍ୟ ଗୋଟିଏ ପରିଚୟ ବି ତାଙ୍କର ରହିଛି। ନିପୁଣ ଟ୍ରାକ୍ଟର ଡ୍ରାଇଭର ଭାବେ ତାଙ୍କୁ ଅଧିକାଂଶ ଲୋକ ଚିହ୍ନନ୍ତି। ଚାଷ ସମୟରେ ଜମିରେ ଟ୍ରାକ୍ଟର ବୁଲାଇ ହଳ କରୁଛନ୍ତି। ଘରର ସମସ୍ତ କାର୍ୟ୍ୟ ଏବଂ ନିଜ ବୃତ୍ତି ମଧ୍ୟରେ ଉତ୍ତମ ତାଳମେଳ ରଖିଛନ୍ତି। ତାଙ୍କ ଭଳି ମୂକ ଓ ବଧିର ଦିବ୍ୟାଙ୍ଗଙ୍କୁ ନେଇ ଗୋଟିଏ ମୋବାଇଲ ଗ୍ରୁପ୍ ଗଠନ କରିଛନ୍ତି। ପ୍ରତିଦିନ ସଂଧ୍ୟାରେ ବସଷ୍ଟାଣ୍ଡ ନିକଟରେ ଥିବା ପୂଜାରୀ ଇଲେକ୍ଟ୍ରିକାଲ ଦୋକାନ ନିକଟରେ ସମସ୍ତେ ଏକତ୍ରିତ ହେଉଛନ୍ତି। ଯାହାର କିଛି ବି ଅସୁବିଧା ହେଲେ ଅକ୍ଷୟ ସେଠି ପହଞ୍ଚି ସହାୟତାର ହାତ ବଢ଼େଇଥାନ୍ତି। ସେ ଏବେ ବିବାହିତ ଓ ତାଙ୍କ ୨ ପୁଅ ରହିଛି। ସେ ମାସକ ୧ହଜାର ଟଙ୍କା ଦିବ୍ୟାଙ୍ଗ ଭତ୍ତା ପାଉଛନ୍ତି। କିନ୍ତୁ ଅନ୍ୟ କୌଣସି ସରକାରୀ ସହାୟତାକୁ ଅପେକ୍ଷା କରି ରହିନାହାନ୍ତି। ତଥାପି ଯଦି ସରକାରୀ ସହାୟତା ମିଳିବ ତେବେ ନିଜର ବ୍ୟବସାୟ ଆରମ୍ଭ କରିବେ ବୋଲି ଜଣାଇଛନ୍ତି। ଦିବ୍ୟାଙ୍ଗମାନେ ସକ୍ଷମଙ୍କ ଠାରୁ କୌଣସି ଗୁଣରେ କମ ନୁହନ୍ତି ତାହା ସେ ପ୍ରମାଣିତ କରିଛନ୍ତି। ତେଣୁ ଅନ୍ୟମାନଙ୍କ ପାଇଁ ପାଲଟି ଯାଇଛନ୍ତି ପ୍ରେରଣା।