ଦେବୋତର ଅଧିନିୟମ ପରିସରରୁ ଗୋବର୍ଦ୍ଧନ ପୀଠକୁ ଦିଆଯିବ ବାଦ୍ ! ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ହାତରେ ମଠର ପରିଚାଳନାର ରହିବ ଅଧିକାର

236

କନକ ବ୍ୟୁରୋ : ଓଡିଶା ହିନ୍ଦୁ ଦେବୋତର ଅଧିନିୟମ ପରିସରରୁ ଗୋବର୍ଦ୍ଧନ ପୀଠକୁ ବାଦ ଦେବାପାଇଁ କ୍ୟାବିନେଟ ବୈଠକରେ ନିଷ୍ପତି ହୋଇଛି । ଏଣିକି ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ହାତରେ ମଠର ପରିଚାଳନା ଅଧିକାର ରହିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହି ନିଷ୍ପତି ନିଆଯାଇଛି । ଏହା ସହ ୧୦ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ଏଥିସହ ରାଜ୍ୟରେ ସଡକ, ରେଳ ଏବଂ ବିମାନ ଚଳାଚଳ ସମ୍ବଳିତ ବ୍ୟବସ୍ଥାକୁ ଅଧିକ ବ୍ୟବସ୍ଥିତ କରିବା ଉଦ୍ଦେଶ୍ୟରେ ବାଣିଜ୍ୟ ଓ ପରିବହନ ବିଭାଗକୁ ସ୍ଥାନାନ୍ତର କରିବାକୁ ନିଷ୍ପତି ନେଇଛନ୍ତି । ଏଥିପାଇଁ ରାଜ୍ୟ ମନ୍ତ୍ରୀମଣ୍ଡଳ ବିମାନ ଚଳାଚଳ ବିଷୟକୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗରୁ ବାଣିଜ୍ୟ ଓ ପରିବହନ ବିଭାଗକୁ ସ୍ଥାନାନ୍ତର କରିଛନ୍ତି ।

ଏଥିଲାଗି ଓଡିଶା ସରକାରୀ କାର୍ଯ୍ୟ ନିୟମାବଳୀରେ ସଂଶୋଧନ କରିବା ପାଇଁ ଅନୁମୋଦନ ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ଏଥିସହିତ ରାଜ୍ୟର ଯାଜପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ୩ଟି ବ୍ଲକ ଅନ୍ତର୍ଗତ ୩୮୪ଟି ଗ୍ରାମରେ ଭୂତଳ ଜଳ ପ୍ରଭାବିତ ହୋଇଥିବାରୁ ବିଶୁଦ୍ଧ ଜଳ ଯୋଗାଇବା ପାଇଁ ୪ଟି ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଓଡିଶା ଶ୍ରମ ସେବା ନିୟମ-୧୯୮୪କୁ ରଦ୍ଦ କରାଯାଇ ଓଡିଶା ଶ୍ରମ ସେବା ନିୟମ-୨୦୧୯ ପ୍ରଣୟନ ହୋଇଛି ।