କିଏ ବଦଳାଇଲା ଗୋଆ ଗଣିତ? ରାତି ସାରା ଅଙ୍କ କଷା, ସକାଳୁ ଗ୍ରୀନ ସିଗନାଲ

59

କନକ ବ୍ୟୁରୋ : ଗୋଆରେ ବିଜେପି ସରକାର ଗଢିଲା, ପାରିକର ବହୁମତ ପରୀକ୍ଷାରେ ପାଶ ହେଲେ । ହେଲେ ଗୋଆ ଗଣିତ ଏତେ ସହଜ ନଥିଲା । ଜନାଦେଶ ଅନୁସାରେ ରାଜ୍ୟରେ ଦଳ ଥିଲା ଦ୍ୱିତୀୟ ସ୍ଥାନରେ ଆଉ କଂଗ୍ରେସ ଏକ ନମ୍ବର । ହେଲେ ସବୁ ଓଲଟପାଲଟ କରି ସରକାର ଗଢିଲା ଭାଜପା । ଦୁଇ ମାଷ୍ଟରମାଇଣ୍ଡଙ୍କ ପାଇଁ ଏହା ସମ୍ଭବପର ହୋଇପାରିଛି । ଫଳାଫଳ ଆସୁ ଆସୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ ଗୋଆ ପ୍ରଭାରୀ ନୀତିନ ଗଡକରୀ ସରକାର ଗଠନ ପାଇଁ ସଂଖ୍ୟା ଯୋଗାଡରେ ଲାଗିପଡିଲେ ।

ଗୋଆରେ ବିଜେପିକୁ ମିଳିଥିଲା ୧୩ ଆଉ କଂଗ୍ରେସକୁ ୧୭ ଆସନ । ଗଡକରୀଙ୍କ ସୂଚନା ଅନୁସାରେ, ଫଳାଫଳ ଆସୁ ଆସୁ ଅମିତ ଶାହା ତାଙ୍କୁ ଫୋନ କରି ଭେଟିବାକୁ କହିଲେ । ୩୦ ରୁ ୪୫ ମିନିଟ ପରେ ଶାହାଙ୍କ ବାସଭବନରେ ଆରମ୍ଭ ହୋଇଗଲା ବୈଠକ । ଏହାରି ଭିତରେ ୫ ରାଜ୍ୟରୁ ୪ ରାଜ୍ୟରେ ସରକାର ଗଠନ ପାଇଁ ଅମିତ ଗଣମାଧ୍ୟମକୁ କହିସାରିଥାନ୍ତି । ବିଜେପିର ପ୍ରତିଷ୍ଠା ବାଜିରେ ଲାଗିଥିଲା । ଗଡକରୀ କହିଲେ, ସରକାର ଗଠନ ପାଇଁ ଆବଶ୍ୟକୀୟ ସଂଖ୍ୟା ନାହିଁ । ହେଲେ ଅମିତ କହିଥିଲେ, ଯେମିତି ହେଲେ ବି ଗୋଆରେ ଭାଜପା ପତାକା ଉଡିବା ଦରକାର । ବାସ୍ ତିଆରି ହେଲା ବ୍ଲୁ-ପ୍ରିଂଟ । ବିଜେପିର ଚାଣକ୍ୟ ଗଡକରୀଙ୍କୁ ପରାମର୍ଶ ଦେଲେ, ତୁରନ୍ତ ଗୋଆ ଯାଅ । ଗଡକରୀ ନିଜ ନିବାସକୁ ଫେରି ତୁରନ୍ତ ଗୋଆ ଅଭିମୁଖେ ବାହାରିଲେ ।

ସାରା ରାତି ବିଭିନ୍ନ ସମୀକରଣ ଉପରେ ଚର୍ଚ୍ଚା ଆରମ୍ଭ କଲେ ଗଡକରୀ । ରାତି ସାଢେ ଗୋଟାଏରେ ଏମଜିପି ଆଉ ଏହାପରେ ଗୋଆ ଫରୱାର୍ଡ ପାର୍ଟି ନେତାଙ୍କ ସହ ଆଲୋଚନା । ତେବେ ଭୋର୍ରେ ଉଭୟ ଦଳ ସର୍ତ୍ତ ରଖିଥିଲେ, ଯଦି ପାରିକର ମୁଖ୍ୟମନ୍ତ୍ରୀ ହେବେ, ତାହେଲେ ଯାଇ ବିଜେପିକୁ ଉଭୟ ଦଳ ସମର୍ଥନ କରିବେ । ଭୋର ୫ଟା ୧୫ରେ ଅମିତ ଶାହାଙ୍କ ସହ କଥା ହୋଇ ସର୍ତ୍ତ ବାବଦରେ ସୂଚନା ଦେଲେ ଗଡକରୀ । ମୋଦି ସେହି ସମୟରେ ଶୋଇଥିବାରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ କହିଥିଲେ, ସକାଳ ୭ଟାରେ ସେ ମୋଦିଙ୍କ ସହ କଥା ହେବେ । ଯଦି ପାରିକରଙ୍କୁ ଗୋଆ ଯିବାକୁ ପଡିବ ତେବେ ବିଜେପି ସଂସଦୀୟ ବୋର୍ଡ ଏହି ନିଷ୍ପତ୍ତି ନେବ ଆଉ ପାରିକରଙ୍କ ଇଛାକୁ ଗୁରୁତ୍ୱ ଦିଆଯିବ ।

ଶେଷରେ ସକାଳ ସାଢେ ୮ଟାରେ ଅମିତ ଗଡକରୀଙ୍କୁ ଫୋନ୍ କରି ଗ୍ରୀନ ସିଗନାଲ ଦେଲେ । ଅର୍ଥାତ୍ ମୋଦିଙ୍କ ସମେତ ଅନ୍ୟ ନେତା ରାଜି ଥିଲେ ଯଦି ସରକାର ବନୁଛି, ତେବେ ପାରିକର ମୁଖ୍ୟମନ୍ତ୍ରୀ ହେବାରେ କିଛି ଅସୁବିଧା ନାହିଁ । ଏଥିପାଇଁ ମନୋହର ପାରିକର ମଧ୍ୟ ପ୍ରସ୍ତୁତ ଥିବା ଶାହା କହିଥିଲେ । କିଛି ଏଭଳି ଢଙ୍ଗରେ ସାରା ରାତି ଅନିଦ୍ରା ରହି ଗୋଆର ଗଣିତ ବଦଳାଇଥିଲେ ଅମିତ-ଗଡକରୀ ଯୋଡି ଆଉ ସର୍ବାଧିକ ସିଟ୍ ପାଇ ସରକାର ଗଠନରୁ ବଂଚିତ ରହିଲା କଂଗ୍ରେସ ।