ପରପାରିରେ ପାରିକର । ୬୩ ବର୍ଷ ବୟସରେ ଗୋଆ ମୁଖ୍ୟମନ୍ତ୍ରୀଙ୍କ ଦେହାନ୍ତ, ଦୀର୍ଘ ଦିନ ଧରି ପାନକ୍ରିଆଟିକ କ୍ୟାନସରରେ ଥିଲେ ପୀଡିତ

1,588

କନକ ବ୍ୟୁରୋ : ପରଲୋକରେ ପାରିକର । ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ୬୩ ବର୍ଷ ବୟସରଙ୍କ ପରଲୋକ ହୋଇଛି । ଗୋଆର ୩ ଥର ମୁଖ୍ୟମନ୍ତ୍ରୀ ଥିବା ପାରିକର ଦୀର୍ଘଦିନ ହେବ ପାନକ୍ରିଆଟିକ କ୍ୟାନସର ରୋଗରେ ପୀଡିତ ଥିଲେ । ଏହାପୂର୍ବରୁ ସେ ମୋଦି ସରକାରରେ ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି । ପାରିକରଙ୍କ ଦେହାନ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୋକପ୍ରକାଶ କରିଛନ୍ତି । ଏହି ଖବର ଜଣାପଡିବା ପରେ ପାରିକରଙ୍କ ଘର ସାମ୍ନାରେ ଲୋକ ମାନେ ଭିଡ ଜମାଇବା ଆରମ୍ଭ କଲେଣି । ତେବେ ଏହାକୁ ଦୃଷ୍ଟିରେ ରଖି ପାରିକରଙ୍କ ଘର ସାମ୍ନାରେ ପୋଲିସ ମୁତୟନ କରାଯାଇଛି ।

ଗତକାଲି ଠାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଆଜି ତାଙ୍କର ଦେହାନ୍ତ ହୋଇଛି । ଦୀର୍ଘଦିନ ଚିକିତ୍ସିତ ହୋଇ ଆସୁଥିବା ପାରିକରଙ୍କ ଦିନକୁ ଦିନ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଚାଲିଥିବା ବେଳେ ତାଙ୍କୁ ପୂର୍ବରୁ ଆମେରିକାରେ ମଧ୍ୟ ଚିକିତ୍ସିତ କରାଯାଇଥିଲା । ଏପରିକି ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଡାକ୍ତର ମାନେ ଚେଷ୍ଟା କରିଥିଲେ ମଧ୍ୟ ଏଥିରେ ବିଫଳ ହୋଇଥିଲେ । ପାରିକରଙ୍କ ଦେହାନ୍ତ ପରେ ଗୋଆରେ ରାଜନୈତିକ ସଙ୍କଟ ଦେଖାଦେଇଛି ।  ଏହାପୂର୍ବରୁ ପାରିକର ବିଶ୍ୱ କର୍କଟ ଦିବସରେ କହିଥିଲେ, ମଣିଷ ମନ ଦୃଢ ଥିଲେ ଯେକୌଣସି ରୋଗକୁ ଜୟ କରିପାରିବ । ନିଜର କାର୍ଯ୍ୟଶୈଳୀ ଓ ସରଳ ଜୀବନ ଯାପନ ପାଇଁ ପାରିକର ସର୍ବଦା ଚର୍ଚ୍ଚାରେ ରହି ଆସିଛନ୍ତି । ତାଙ୍କର ବିୟୋଗରେ ପୂରା ଦେଶରେ ଶୋକର ଛାୟା ଖେଳିଯାଇଛି ।