ଗାଡ଼ି ଚାଳକଙ୍କ ପାଇଁ ଅଫର ବର୍ଷା କଲେ ପେଟ୍ରୋଲ ପମ୍ପ ମାଲିକ! ଜାଣନ୍ତୁ କେତେ ଲିଟର ପେଟ୍ରୋଲ ଓ ଡିଜେଲ ପକାଇଲେ କଣ ମିଳିବ ଫ୍ରି

48

ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧିକୁ ନେଇ ଏବେ ପୂରା ଦେଶରେ ରାଜନୀତିର ନିଆଁ ଲାଗିଛି । ଏପରିକି ଏନେଇ ଗତ ୧୦ ତାରିଖ ଦିନ ଭାରତ ବନ୍ଦ ଡାକରା ଦେଇଥିଲା କଂଗ୍ରେସ । କିନ୍ତୁ ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧି ଫଳରେ ଅଧିକ କ୍ଷତି ସହୁଛନ୍ତି ପେଟ୍ରୋଲ ମାଲିକ । ଆଉ ଏହି କ୍ଷତିର ଭରଣା କରିବା ପାଇଁ ପେଟ୍ରୋଲ ମାଲିକ ମାନେ ନୂଆ ନୂଆ ସ୍କିମ ଆରମ୍ଭ କରୁଛନ୍ତି । ଯେଉଁଥିରେ ପେଟ୍ରୋଲ ଓ ଡିଜେଲ ପକାଉଥିବା ଗ୍ରାହକମାନଙ୍କୁ ପେଟ୍ରୋଲ ପମ୍ପ ମାଲିକଙ୍କ ପକ୍ଷରୁ ମାଗଣା ଖାଇବା ଓ ଚାହା ମିଳୁଛି । ଏଭଳି ଘଟଣା ଏବେ ମଧ୍ୟପ୍ରଦେଶର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଦେଖିବାକୁ ମିଳୁଛି ।

ମଧ୍ୟପ୍ରଦେଶ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଅଧିକ ଭାଟ ନେଉଥିବାରୁ ଏଠାରେ ଅନ୍ୟ ରାଜ୍ୟ ତୁଳନାରେ ତୈଳ ଦର ଅଧିକ ମହଙ୍ଗା । ଯେଉଁଥିପାଇଁ ମଧ୍ୟପ୍ରଦେଶର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଥିବା ପେଟ୍ରୋଲ ପମ୍ପରେ ଟ୍ରକ ଓ ଅନ୍ୟ ଗାଡି ଚାଳକ ମାନେ ତୈଳ ନ ପକାଇ ଅଳ୍ପ ଦୂରରେ ଥିବା ମହାରାଷ୍ଟ୍ର ପେଟ୍ରୋଲ ପମ୍ପରେ ତେଲ ପକାଉଛନ୍ତି । ଯେଉଁଥିପାଇଁ ଗତ କିଛି ଦିନ ହେବ ମଧ୍ୟପ୍ରଦେଶର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଥିବା ପେଟ୍ରୋଲ ପମ୍ପ ଗୁଡିକ ମାଲିକ ମାନେ କ୍ଷତି ସହୁଛନ୍ତି । ତେଣୁ ଏହି ସମସ୍ୟାକୁ ଦୂର କରିବାକୁ ପେଟ୍ରୋଲ ପମ୍ପ ମାଲିକ ମାନେ ନୂଆ ସ୍କିମ ଆରମ୍ଭ କରିଛନ୍ତି । ଯେଉଁ ସ୍କିମରେ ପେଟ୍ରୋଲ ପକାଇଲେ ଗାଡି ଚାଳକଙ୍କୁ ମାଗଣା ଜଳଖିଆ ସହ ଚାହା ଫ୍ରିରେ ମିଳୁଛି । ଏହାଛଡା ଅଧିକରୁ ଅଧିକ ତେଲ ପକାଇଲେ ଗ୍ରାହକଙ୍କୁ ଲକି ଡ୍ର ମାଧ୍ୟମରେ ମୋବାଇଲ, ଫ୍ରିଜ,ଏସି, ଲାପଟପ, ବାଇକ ଜିତିବାର ସୁଯୋଗ ଦେଉଛନ୍ତି ପେଟ୍ରୋଲ ପମ୍ପ ମାଲିକ । ଏଭଳି ସ୍କିମ ଆରମ୍ଭ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗାଡି ଚାଳକଙ୍କୁ ଆକର୍ଷିତ କରି ଅଧିକରୁ ଅଧିକ ତୈଳ ବିକ୍ରି କରିବା ।

ପେଟ୍ରୋଲ ପମ୍ପର ମାଲିକ ଅନୁଜ ଖଣ୍ଡେଲୱାଲଙ୍କ କହିବା ଅନୁଯାୟୀ, ୧୦୦ ଲିଟର ଡିଜେଲ କିଣିଲେ ଟ୍ରକ ଓ ବସ ଡାଇଭରଙ୍କୁ ମାଗଣା ଜଳଖିଆ ସହ ଚାହା ମିଳିବ । ଏହାଛଡା ୫୦୦୦ ଲିଟର ଡିଜେଲ ଓ ପେଟ୍ରୋଲ ଉପରେ ମୋବାଇଲ, ସାଇକେଲ ଓ ହାତଘଣ୍ଟା, ୧୫୦୦୦ ଲିଟର ତୈଳ କିଣିଲେ ଆଲମିରା, ସୋଫା, ଓ ୧୦୦ ଗ୍ରାମର ରୂପା କଏନ, ୨୫ ହଜାର ଲିଟର ଡିଜେଲ ଉପରେ ୱାସିଂ ମେସିନ ପାଇପାରିବେ । ସେହିଭଳି ୫୦ ହଜାର ଲିଟର ଉପରେ ଏସି ଓ ଲାପଟପ ଏବଂ ୧ ଲକ୍ଷ ଲିଟର ଡିଜେଲ କିଣିବା ଉପରେ ସ୍କୁଟି କିମ୍ବା ମୋଟରସାଇକେଲ ଗ୍ରାହକ ପାଇପାରିବେ ବୋଲି ପେଟ୍ରୋଲ ପମ୍ପର ମାଲିକ ଅଫର କରିଛନ୍ତି ।

ପେଟ୍ରୋଲ ପମ୍ପର ମାଲିକଙ୍କ କହିବା ଅନୁଯାୟୀ, ଟ୍ୟାକ୍ସ ବୃଦ୍ଧି ଯୋଗୁଁ ମହାରାଷ୍ଟ୍ର ତୁଳନାରେ ମଧ୍ୟପ୍ରଦେଶରେ ତେଲ ଦର ଅଧିକ ରହିଛି । ତେଣୁ ମଧ୍ୟପ୍ରଦେଶର ସୀମାନ୍ତବର୍ତ୍ତୀ ଅଞ୍ଚଳର ଗାଡି ଚାଳକ ମାନେ ସ୍ଥାନୀୟ ଅଞ୍ଚଳରେ ତୈଳ ନ ପକାଇ ସୀମାପାର ହୋଇ ମହାରାଷ୍ଟ୍ର ପେଟ୍ରୋଲ ପମ୍ପରେ ତେଲ ପକାଉଛନ୍ତି । ଏବେ ମଧ୍ୟପ୍ରଦେଶରେ ପେଟ୍ରୋଲ ଓ ଡିଜେଲ ଉପରେ ସରକାର ଯଥାକ୍ରମେ ୨୮ ଓ ୨୨ ପ୍ରତିଶତ ଟ୍ୟାକ୍ସ ନେଉଛନ୍ତି ।