ଦିଲ୍ଲୀର ଦୁଇଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ପୂର୍ବ ଦିଲ୍ଲୀରୁ ନିର୍ବାଚନ ମଇଦାନକୁ ଓହ୍ଲାଇଲେ ଗୌତମ ଗମ୍ଭୀର ।

473

କନକ ବ୍ୟୁରୋ : ୨୦୧୯ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନର ଠିକ୍ ଗୋଟିଏ ଦିନ ପୂର୍ବରୁ ଦିଲ୍ଲୀର ଦୁଇଟି ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । ପୂର୍ବ ଦିଲ୍ଲୀରୁ ଏଥର ବିଜେପି ଟିକେଟରେ ଲଢିବେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଗୌତମ ଗମ୍ଭୀର । ସେହିପରି ନୂଆଦିଲ୍ଲୀ ଲୋକସଭା ଆସନରୁ ମୀନାକ୍ଷୀ ଲେଖୀଙ୍କୁ ପ୍ରାର୍ଥୀ କରିଛି ବିଜେପି ।

ରବିବାର ଦିଲ୍ଲୀର ୪ଟି ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା ଭାରତୀୟ ଜନତା ପାର୍ଟି । ଆଜି ଆଉ ଦୁଇଟି ଆସନ ପାଇଁ ଦଳ ପକ୍ଷରୁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ତେବେ ଦୀର୍ଘ ଦିନ ଧରି ଗୌତମ ଗମ୍ଭୀର ନିର୍ବାଚନ ଲଢିବେ କି ନାହିଁ, ସେନେଇ ଏକପ୍ରକାର କଳ୍ପନା ଜଳ୍ପନା ଲାଗି ରହିଥିବା । ତେବେ ସବୁ ଚର୍ଚ୍ଚା ଓ ଆଲୋଚନାର ଅନ୍ତ ଘଟାଇ ଶେଷରେ ଗମ୍ଭାରଙ୍କୁ ପୂର୍ବ ଦିଲ୍ଲୀ ଆସନରୁ ପ୍ରାର୍ଥୀ କରିଛି ଭାରତୀୟ ଜନତା ପାର୍ଟି । ଏହି ଆସନରୁ ୨୦୧୪ ନିର୍ବଚନରେ ମହେଶ ଗିରିଙ୍କୁ ଦଳ ପ୍ରାର୍ଥୀ କରିଥିଲା । ଏଥର ମହେଶଙ୍କ ଟିକେଟ୍ କଟିଥିବା ବେଳେ ଗମ୍ଭୀରଙ୍କୁ ପ୍ରାର୍ଥୀ କରିଛି ଦଳ । ସେପଟେ ଏହି ଆସନ ପାଇଁ ଅରବିନ୍ଦର ସିଂହ ଲବଲିଙ୍କୁ ଚଳିତ ନିର୍ବାଚନରେ ମଇଦାନକୁ ଓହ୍ଲାଇଛି କଂଗ୍ରେସ । ୨୦୧୯ ନିର୍ବାଚନର ଦୁଇଟି ପର୍ଯ୍ୟାୟ ମତଦାନ ଶେଷ ହୋଇଥିବା ବେଳେ ରାତି ପାହିଲେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପଡିବ ଭୋଟ୍ ।