ପାକିସ୍ତାନ କ୍ରିକେଟର ସାହିଦ ଆଫ୍ରିଦିଙ୍କୁ ଗୌତମ ଗମ୍ଭୀରଙ୍କ ମୁହଁତୋଡ ଜବାବ । କହିଲେ ପୁଅ, ବ୍ୟସ୍ତ ହୁଅନ୍ତି ଖୁବଶୀଘ୍ର ଆସିବ ପିଓକେ ପାଳି ।

2,746

କନକ ବ୍ୟୁରୋ : କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଦେଶରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । କିନ୍ତୁ ମୋଦି ସରକାରଙ୍କ ଏହି ନିଷ୍ପତିକୁ ପାକିସ୍ତାନ ସହଜରେ ଗ୍ରହଣ କରି ପାରୁନାହିଁ । ଏହି ଘୋଷଣା ପରେ ପାକିସ୍ତାନର ନେତା,ଜନତା, ଅଭିନେତା ଏପରିକି ପୂର୍ବତନ ଖେଳାଳି ମଧ୍ୟ ଭାରତ ବିରୋଧରେ ବିଷ ଓଗାଳୁଛନ୍ତି । ଯାହାକୁ ନେଇ ଉଭୟ ଦେଶର ପୂର୍ବତନ ଖେଳାଳିଙ୍କ ମଧ୍ୟରେ ଏବେ ଟ୍ୱିଟର ୱାର ଆରମ୍ଭ ହୋଇଛି ।

ଧାରା ୩୭୦ ଉଚ୍ଛେଦ ସହ ଜମ୍ମୁ-କାଶ୍ମୀର ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ମଧ୍ୟ ହରାଇଛି । ଆଉ ଏହାସହ ଜମ୍ମୁ-କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି । ତେବେ ମୋଦି ସରକାରଙ୍କ ଏହି ନିଷ୍ପତିକୁ ନେଇ ସୋସିଆଲ ମିଡ଼ିଆରେ ବର୍ଷିଛନ୍ତି ପୂର୍ବତନ ପାକ୍ କ୍ରିକେଟର ସାହିଦ ଆଫ୍ରିଦ୍ । ଔଷଧ ବିକଳରେ ତାଟିଆ କାମୁଡିବା ଭଳି ଟ୍ୱିଟ୍ କରି ବର୍ଷିଛନ୍ତି ସାହିଦ । ପାକିସ୍ତାନ ନାଗରିକଙ୍କ ଭଳି କାଶ୍ମୀର ନାଗରିକଙ୍କୁ ମଧ୍ୟ ସ୍ୱାଧୀନତା ଓ ଅଧିକାର ମିଳୁ । ବିନା କାରଣରେ କାଶ୍ମୀରବାସୀଙ୍କ ଉପରେ ହେଉଥିବା ଅତ୍ୟାଚାର ଓ ଆକ୍ରମଣ ବାବଦରେ ମିଳିତ ଜାତିସଂଘ ଜାଣିବା ଦରକାର ଓ ଏ ବାବଦରେ ଆମେରିକା ମଧ୍ୟ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ନେଉ । ଏହାସହ ସାହିଦ ମିଳିତ ଜାତିସଂଘର ଭୂମିକା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ମିଳିତ ଜାତିସଂଘ କାହିଁକି ଗଠନ ହୋଇଥିଲା ଓ ଏବେ କଣ ଜାତିସଂଘ ଶୋଇ ରହିଛି କି ବୋଲି ପ୍ରଶ୍ନ କରିଛନ୍ତି ।

ସାହିଦଙ୍କ ଏଭଳି ଟ୍ୱିଟ୍ ଉପରେ ମୁହଁ ତୋଡ ଜବାବ ଦେଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର । ପୂର୍ବରୁ ପଡିଆ ମଝିରେ ଉଭୟଙ୍କ ମଧ୍ୟରେ ଅନେକ ଥର ତୁ ତୁ ମେଁ ମେଁ ଦେଖିବାକୁ ମିଳିଥିବା ବେଳେ ଏବେ ଟ୍ୱିଟରରେ ଯୁଦ୍ଧ ଦେଖିବାକୁ ମିଳିଛି । ନୂଆ କରି ସାଂସଦ ହୋଇଥିବା ଗମ୍ଭୀର ଟ୍ୱିଟରରେ ସାହିଦଙ୍କୁ ପୁଅ ବୋଲି ସମ୍ବୋଧନ କରିବା ସହ କହିଛନ୍ତି, ଆଫ୍ରିଦୀ ପୂରା ଠିକ୍ କହିଛନ୍ତି । ବିନା କାରଣରେ ଆକ୍ରମଣ ଓ ଅତ୍ୟାଚାର କଥା ସାମ୍ନାକୁ ଆଣିଥିବାରୁ ଆଫ୍ରିଦିଙ୍କୁ ପ୍ରଂଶସା କରିବା କଥା । କିନ୍ତୁ ଆଫ୍ରିଦି ଏହା କହିବାକୁ ଭୁଲିଯାଇଛନ୍ତି ଯେ, ଏଭଳି ଘଟଣା ପିଓକେରେ ହେଉଛି । ତେବେ ଚିନ୍ତା କର ନାହିଁ ଖୁବ ଶୀଘ୍ର ଏହି ମାମଲାର ମଧ୍ୟ ଆମେ ସମାଧାନ କରିବୁ, ପୁଅ ।

ଏହାପୂର୍ବରୁ ଗତକାଲି ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଜଣାଇଥିଲେ ଗମ୍ଭୀର । ଯାହା କେହି କରିପାରିନଥିଲେ, ତାହା ଆମେ କରି ଦେଖାଇଲୁ ବୋଲି କହିଥିଲେ ଗମ୍ଭୀର । ପୂର୍ବରୁ ଅନେକ ଥର ଭାରତ-ପାକିସ୍ତାନ ମ୍ୟାଚରେ ଆଫ୍ରିଦି ଓ ଗମ୍ଭୀର ମୁହାଁମୁହିଁ ହୋଇଛନ୍ତି । କିନ୍ତୁ ପ୍ରଥମ ଥର ପାଇଁ ଟ୍ୱିଟରରେ ସାହିଦଙ୍କୁ ଟାର୍ଗେଟ କରିଛନ୍ତି ଗମ୍ଭୀର ।

କ୍ରିକେଟରରୁ ସାଂସଦ ହୋଇଥିବା ଗମ୍ଭୀର ଏହାପୂର୍ବରୁ ଅନେକଥର ବିଭିନ୍ନ ମୁଦ୍ଦାରେ ପାକିସ୍ତାନକୁ ଟାର୍ଗେଟ କରିବା ସହ ନିଜର ଦେଶଭକ୍ତି ଜାହିର କରିଛନ୍ତି । ଆଉ ଯେତେବେଳେ ଧାରା ୩୭୦ ଉଚ୍ଛେଦକୁ ନେଇ ପାକିସ୍ତାନ କ୍ରିକେଟର ସାହିଦ ପ୍ରଶ୍ନ ଉଠାଇଛନ୍ତି ସେତେବେଳେ ଏହି ମଉକାକୁ ଗମ୍ଭୀର ହାତଛଡା କରିବେ ବା କିପରି? ସେ ଯାହା ହେଉ ନା କାହିଁକି ଏହି ଟ୍ୱିଟ୍ ପାଇଁ ଗମ୍ଭୀରଙ୍କୁ ବେଶ ପ୍ରଂଶସା କରାଯାଉଛି ।