କେନ୍ଦ୍ର ସରକାରଙ୍କ ନୂଆ ବର୍ଷ ଉପହାର, ଶସ୍ତା ହେଲା ଗ୍ୟାସ୍ ସିଲିଣ୍ଡର । ଜାଣନ୍ତୁ ସବସିଡ ଓ ଅଣ ସବସିଡ ଯୁକ୍ତ ସିଲିଣ୍ଡର ପିଛା କେତେ ଟଙ୍କା କମିଲା 

595

କନକ ବ୍ୟୁରୋ : ଏଲପିଜି ଗ୍ରାହକଙ୍କ ପାଇଁ ଖୁସି ଖବର । ନୂଆ ବର୍ଷ ପୂର୍ବରୁ ଏଲପିଜି ଗ୍ରାହକଙ୍କୁ ବଡ ଉପହାର ଦେଲେ କେନ୍ଦ୍ର ସରକାର । ଜାନୁଆରୀ ୧ ତାରିଖରୁ ଅଣ ସବସିଡ ଯୁକ୍ତ ଏଲପିଜି ସିଲିଣ୍ଡର ପିଛା ୧୨୧ ଟଙ୍କା ୫୦ ପଇସା ହ୍ରାସ ପାଇଥିବା ବେଳେ ସବସିଡ ଯୁକ୍ତ ସିଲିଣ୍ଡର ପିଛା ୫ ଟଙ୍କା ୯୫ ପଇସା ହ୍ରାସ ପାଇଛି ।ଡିସେମ୍ବର ମାସରେ ଲଗାତାର ଦ୍ୱିତୀୟ ଥର ପାଇଁ ଏଲପିଜି ଗ୍ୟାସ ଦର ହ୍ରାସ ପାଇଛି । ଏନେଇ ଆଇଓସିଏଲ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ତରାଷ୍ଟ୍ରୀୟ ବଜାରରେ ଏଲପିଜି ମୂଲ୍ୟ ହ୍ରାସ ଓ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ବଢିବା କାରଣରୁ ଏହି ମୂଲ୍ୟ ହ୍ରାସ ପାଇଛି ବୋଲି ଇଣ୍ଡିଆନ୍ ଅଏଲ ପକ୍ଷରୁ ଏକ ପ୍ରେସ ଇସ୍ତାହାର ମାଧ୍ୟମରେ ପ୍ରକାଶ କରାଯାଇଛି । ଏହି ଅନୁସାରେ ଘରୋଇ ଏଲପିଜି ବ୍ୟବହାର କାରୀଙ୍କୁ ୮୩୮ ଟଙ୍କା ବଦଳରେ ଏଣିକି ୭୧୬ ଟଙ୍କା ଦେବାପାଇଁ ପଡିବ । ଗ୍ରାହକ ମାନଙ୍କୁ ସିଲିଣ୍ଡର କିଣିବା ବେଳେ ୧୨୧ ଟଙ୍କା ୫୦ ପଇସା କମ୍ ଦେବାକୁ ପଡିବ । ଘରୋଇ ସିଲିଣ୍ଡର ସବସିଡ୍ ଯୁକ୍ତ ହୋଇଥିବା କାରଣରୁ ସବସିଡ ପରେ ସିଲିଣ୍ଡର ଉପରେ ୫ ଟଙ୍କା ୯୫ ପଇସା ଦର କମିବ । ଡିସେମ୍ବର ୨୦୧୮ରେ ସବସିଡ୍ ଯୁକ୍ତ ସିଲିଣ୍ଡରର ମୂଲ୍ୟ ୫୧୧.୭୮ ପଇସା ଥିବା ବେଳେ ଜାନୁଆରୀ ପହିଲାରୁ ଏହି ମୂଲ୍ୟ ୫୦୫.୮୩ ପଇସା ରହିବ । ଏହା ବାଦ୍ ଅତିରିକ୍ତ ମୂଲ୍ୟ ସବସିଡ୍ ଆକାରରେ କେନ୍ଦ୍ର ସରକାର ଗ୍ରାହକଙ୍କ ବ୍ୟାଙ୍କ ଖାତାରେ ପ୍ରଦାନ କରୁଛନ୍ତି ।