ଲୋମଶ ଶିଶୁ କାହ୍ନାର ଅସ୍ତ୍ରପୋଚାର ପରେ ମୁହଁରୁ ଖୋଲିଲା ପଟି, ସ୍ୱତନ୍ତ୍ର ଡାକ୍ତରୀ ଦଳ ରଖିଛନ୍ତି ନଜର

43

କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ଗାୟାଗଣ୍ଡା ପଞ୍ଚାୟତ ବାଘୁଆ ଗାଁର ରାମଚନ୍ଦ୍ର ନାଇକ ଓ ମମତାଙ୍କ ୬ ବର୍ଷର ପୁଅ ଲୋମଶ ବାଳକ କାହ୍ନାର ବ୍ରହ୍ମପୁର ଏମକେସେଜି ମେଡିକାଲରେ ଚିକିତ୍ସା କରାଯାଉଥିଲା । ପ୍ରଥମ ପର୍ଯ୍ୟାୟ ଅସ୍ତ୍ରୋପଚାର ପରେ କାହ୍ନାର ମୁହଁରୁ ପଟି ଖୋଲାଯାଇଛି। ଏବେ ଏକ ନୂଆ ଚେହେରାରେ ସାମ୍ନାକୁ ଆସିଛି ଏହି ୬ ବର୍ଷର ଶିଶୁ। ଅପରେସନ୍ ପୂର୍ବର ଚେହେରା ତୁଳନାରେ ଏହି ଚେହେରାରେ ଢେର୍ ପରିବର୍ତ୍ତନ ବାରି ହୋଇପଡ଼ିଛି। ଯାହାକୁ ନେଇ କାହ୍ନାର ବାପାମା’ ମୁହଁରେ ଖୁସି ଖେଳିଯାଇଛି। କାହ୍ନାର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁଥିବାବେଳେ ସେ ସମ୍ପୂର୍ଣ୍ଣ ସୁସ୍ଥ ରହିଛି ଏବଂ ଆଉ ୧୦ ଦିନ ସେ ଆଇସିୟୁରେ ରହିବ ବୋଲି ଏମକେସେଜି ମେଡିକାଲ ଅଧୀକ୍ଷକ ଡା. ଚରଣ ପଣ୍ଡା କହିଛନ୍ତି।

 

ଏମକେସେଜି ମେଡିକାଲରେ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ପ୍ରଫେସର ଡା. ରାଜୁ ଦାଶଙ୍କ ନେତୃତ୍ୱରେ ୧୨ ଜଣିଆ ଡାକ୍ତରୀ ଦଳ ଗତ ୨୬ ତାରିଖରେ କାହ୍ନାର ପ୍ରଥମ ପର୍ଯ୍ୟାୟ ଅସ୍ତ୍ରୋପଚାର କରିଥିଲେ। ଚେହେରାର ଡାହାଣ ପଟ ଅଂଶର ଲୋମଶ ଚମଡ଼ାକୁ ହଟାଇଯାଇ ଜଙ୍ଘରୁ ଚମଡ଼ା ବାହାର କରାଯାଇ ସେଠାରେ ସ୍କିନ୍ ଗ୍ରାଫ୍ଟିଂ ପଦ୍ଧତିରେ ପ୍ରତ୍ୟାରୋପଣ କରାଯାଇଥିଲା। ଅସ୍ତ୍ରୋପଚାର ପରେ ତାଙ୍କୁ ଆଇସିୟୁରେ ରଖାଯାଇଥିଲା। ଆଜି ତାଙ୍କର ମୁହଁର ପଟି ଖୋଲାଯାଇଛି। ଲୋମ ଥିବା ସ୍ଥାନଟି ସଫା ରହିଥିବାବେଳେ ସେଠାରେ ନୂତନ ଚମଡ଼ା ଲାଗିଛି। କେବଳ ଷ୍ଟିଚ୍ ପଡ଼ିଥିବା ସ୍ଥାନରେ ଚିହ୍ନ ରହିଛି। ପରବର୍ତ୍ତୀ ଅସ୍ତ୍ରୋପଚାର ପରେ ତାହା ଆପେଆପେ ଚେହେରା ସହିତ ମିଶିଯିବ ବୋଲି ଡାକ୍ତର କହିଛନ୍ତି। କାହ୍ନାର ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଟ୍ଵିଟ୍ କରିଥିଲେ। ସେ ନେଇ କାହ୍ନାକୁ ଚିକିତ୍ସା ପାଇଁ ଗତ ୧୯ତାରିଖରେ ଏମକେସେଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା