ଦୁଇ ଦିନରେ ୫ ହତ୍ୟା ! ଲମ୍ବି ଚାଲିଛି ଅପରାଧର ତାଲିକା

34

କନକ ବ୍ୟୁରୋ : ୨ଦୁଇ ଦିନରେ ୫ଟି ହତ୍ୟାକାଣ୍ଡ । ଲମ୍ବି ଚାଲିଛି ଅପରାଧର ତାଲିକା । ମାତ୍ର ୪୮ ଘଂଟାରେ ଭିତରେ ଗଂଜାମ ଜିଲ୍ଲାରେ ଘଟିଛି-ପାଂଚ-ପାଂଚଟି ହତ୍ୟାକାଣ୍ଡ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆସ୍କା ପିତଳ ଗାଁରେ ପୁଣି ଜଣଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସନ୍ୟାସୀ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଗୋଟିଏ ପରେ ଗୋଟିଏ ଘଟଣା ହତ୍ୟା ଘଟଣା ସାମ୍ନାକୁ ଆସିବା ପରେ ଏବେ ପ୍ରଶ୍ନ ଉଠୁଛି- ପୁଲିସ ଓ ଆଇନଶୃଙ୍ଖଳା ପ୍ରତି ରହୁନି କି ଲୋକଙ୍କ ଭୟ ?

5 murder within 48 hour ଗୋଟିଏ ପରେ ଗୋଟିଏ ହତ୍ୟାକାଣ୍ଡ । କେତେବେଳେ ରାଜନୈତିକ ଶତ୍ରୁତା, ତ ଆଉ କେତେବେଳେ ପୂର୍ବ ଶତ୍ରୁତା । ଆଉ ପରିଣତି ଆପଣଙ୍କ ସାମ୍ନାରେ । ମାତ୍ର ୪୮ଘଂଟା ଭିତରେ ଗଡିଲାଣି ପାଂଚ-ପାଂଚଟି ମୁଣ୍ଡ । ନୃଶଂସ ହତ୍ୟାର ଏହି ସବୁ ଘଟଣା ବୟାନ କରୁଛି,ଯେମିତି ଗଂଜାମ ଜିଲ୍ଲାରେ ଭୁଷୁଡି ପଡ଼ିଛି ଆଇନଶୃଙ୍ଖଳା ବ୍ୟବସ୍ଥା ।

୨ଦିନରେ ୫ଟି ହତ୍ୟାକାଣ୍ଡର ଇଏ ହେଉଛି ତାଲିକା ।

ଅକ୍ଟୋବର ୨ ତାରିଖ : ଶ୍ମଶାନରେ ହତ୍ୟାକାଣ୍ଡ
ପାତ୍ରପୁର ଜରଡ଼ା ଗାଁରେ ଶବଦାହ ପାଇଁ ଯାଇଥିବା କାଳିଆ ନାୟକଙ୍କୁ ହତ୍ୟା କଲେ ତାଙ୍କ ସଂପର୍କୀୟ ଶିବ ନାୟକ । ଶବଦାହ ବେଳେ ବଚଷା ଥିଲା ହତ୍ୟା ପଛର କାରଣ ।

ଅକ୍ଟୋବର ୨ ତାରିଖ : ରାଜନୈତିକ ଶତ୍ରୁତା ନେଲା ଜୀବନ
ଧରାକୋଟ ଓଳମ୍ବା ଗାଁରେ ପାଣ୍ଡବ ନାଇକଙ୍କ ମୁଣ୍ଡ ଗଣ୍ଡିରୁ ଅଲଗା ହୋଇଗଲା । ଧାରୁଆ ଅସ୍ତ୍ରରେ ପାଣ୍ଡକଙ୍କୁ ହାଣିଦେଲେ ଅଙ୍ଗଦ ରାଉତ । ହତ୍ୟା ପଛରେ ରାଜନୈତିକ ଶତ୍ରୁତା ।

ଅକ୍ଟୋରବର ୩ ତାରିଖ : ରେସ୍ତୁରାଁରେ ପିଟି ପିଟି ହତ୍ୟା
ଦିଗପହଣ୍ଡିର ଏକ ରେସ୍ତୁରାଁ ଭିତରେ ଲୁହାରଡରେ ପିଟିପିଟି କୁରେଶୁ ଗୌଡ଼ଙ୍କୁ ସମସ୍ତଙ୍କ ସାମ୍ନାରେ ହତ୍ୟାକରାଗଲା । ଆଉ ହତ୍ୟା ପରେ ଚମ୍ପଟ୍ ମାରିଲେ ଅପରାଧୀ ।

ଅକ୍ଟୋରବର ୩ ତାରିଖ : ଜମିବାଡ଼ି ବିବାଦ ନେଲା ଜୀବନ
ବେଗୁନିଆପଡ଼ା ସୁମଣ୍ଡଳ ଗାଁର ତ୍ରିନାଥ ବେହେରାଙ୍କୁ ବେଧଡକ୍ ଗୁଳିକରି ହତ୍ୟା କରାଗଲା । ରାତିରେ ଧାନ ଜଗିବାକୁ ଯାଇଥିବା ବେଳେ ଅଚାନକ୍ ହେଲା ଗୁଳିମାଡ଼ ।

ଆଉ ହତ୍ୟାକାଣ୍ଡର ତାଲିକାରେ ଏବେ ସାମିଲ ହୋଇଛିି ଆସ୍କା ପିତଳ ଗାଁର ସନ୍ୟାସୀ ସାହୁଙ୍କ ନାଁ । ଯାହାଙ୍କୁ ପିଟି ପିଟି ହତି ନିର୍ମମ ଭାବରେ ହତ୍ୟା କରାଯାଇଛି । ଆଉ ହତ୍ୟା ପଛରେ କାରଣ ରହିଛି ପୂର୍ବ ଶତ୍ରୁତା ।

ଗୋଟିଏ ପଟେ ଯେତେବେଳେ ଗଂଜାମ ପୁଲିସ ଅପରାଧ ଦମନ ପାଇଁ ଗୋଟିଏ ପରେ ଗୋଟିଏ ଏନକାଉଣ୍ଟର କରୁଛି, ଅନ୍ୟପଟେ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ହତ୍ୟାକାଣ୍ଡ ।

ଏହି ସବୁ ଘଟଣା ଏବେ ପ୍ରଶ୍ନ କରୁଛି-

-ପୁଲିସ ଓ ଆଇନଶୃଙ୍ଖଳା ପ୍ରତି ରହୁନି କି ଲୋକଙ୍କ ଭୟ ?

-ଅପରାଧୀଙ୍କ ନିୟନ୍ତ୍ରଣକୁ ଚାଲିଯାଉଛି କି ଗଂଜାମ ଜିଲ୍ଲା ?

-ଅପରାଧକୁ ରୋକିବାକୁ ବିଫଳ ହେଉଛି କି ଗଂଜାମ ପୁଲିସ ?