ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ହାତରେ ପୁଣି ପଡିଲା ହାତକଡ଼ି । ଗିରଫ କଲା କଟକ ମାଲଗୋଦାମ ପୁଲିସ, ପୁରୁଣା ୱାରେଣ୍ଟ ବଳରେ ଗିରଫ ହୋଇଥିବା ସୂଚନା

354

କନକ ବ୍ୟୁରୋ : ଆଜି ଅଚାନକ କମିଶନରେଟ ପୋଲିସ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟଙ୍କୁ ଗିରଫ କରିନେଲା । କୁହାଗଲା, ଏକ ପୁରୁଣା ୱାରେଣ୍ଟ ବଳରେ ରାଜାଙ୍କୁ ଗିରଫ କରାଯାଇଛି । କିନ୍ତୁ ଅନେକ ସମୟ ପର୍ଯ୍ୟନ୍ତ ଜମା ସ୍ପଷ୍ଟ ହୋଇପାରିଲାନାହିଁ ଯେ କାହିଁକି ଏହି ପଦକ୍ଷେପ ନେଇଛି ପୋଲିସ । ଜାମିନ ପାଇ ଜେଲରୁ ମୁକୁଳିବା ପରେ ହଠାତ ପୋଲିସର ଏହି ପଦକ୍ଷେପ ଅନେକ ଦିଗ ଆଡକୁ ଇସାରା କରୁଛି ।

ଏପ୍ରିଲ ୨୦୧୮ । ଜେଲରୁ ମୁକୁଳିଲେ ରାଜା ଆଚାର୍ଯ୍ୟ । ଜୁଡୋ କୋଚ୍ ବିରଂଚି ନାରାୟଣ ଦାସ ହତ୍ୟା ଘଟଣାରେ ୨୦୦୮ ମେ ମାସରେ ଗିରଫ ହୋଇଥିବା ଏହି ଗ୍ୟାଙ୍ଗଷ୍ଟର ୨୦୧୮ ଏପ୍ରିଲରେ ଜେଲରୁ ମୁକୁଳିଥିଲେ । କିନ୍ତୁ ହଠାତ୍ ବୁଧବାର ଦିନ ରାଜା ଆଚାର୍ଯ୍ୟଙ୍କୁ ପୁଣି ଉଠାଇ ନେଇଛି ପୁଲିସ । କୁହାଯାଉଛି, ଏକ ପୁରୁଣା ୱାରେଂଟ ବଳରେ ତାଙ୍କୁ କଟକ ମାଲଗୋଦାମ ପୁଲିସ ଗିରଫ କରିଛି ।

ପ୍ରଶ୍ନ ଉଠୁଛି, ହଠାତ୍ କାହିକିଁ ରାଜା ଆଚାର୍ଯ୍ୟଙ୍କୁ ଗିରଫ କରାଗଲା? ଏହି ବ୍ୟକ୍ତି ଜଣଙ୍କ ବାହାରେ ରହିଲେ ସମାଜ ପ୍ରତି ବିପଦ ରହିଛି ବୋଲି ପୁଲିସ ଚିନ୍ତା କଲା କି? ୨୦୧୮ ଏପ୍ରିଲରେ ଜାମିନ୍ ପାଇ ଜେଲରୁ ମୁକୁଳିବା ପରେ ପୁଣି ରାଜା ଅପରାଧିକ କାର୍ଯ୍ୟକଳାପରେ ଜଡିତ ହେବା ପାଇଁ ଉଦ୍ୟମ କରୁଥିଲେ କି? କାରଣ, ସେ ଜେଲରୁ ମୁକୁଳିବା ପରେ ମୃତ ବିରଂଚିଙ୍କ ପରିବାର ଓ ଅଭିନେତ୍ରୀ ଲେସଲି ତ୍ରିପାଠୀ ଓ ବିଦୁସ୍ମିତାଙ୍କ ପରିବାର ପକ୍ଷରୁ ଆଶଙ୍କା ପ୍ରକାଶ ପାଇଥିଲା ଯେ, ସେମାନଙ୍କ ଜୀବନ ପ୍ରତି ବିପଦ ରହିଛି । କିନ୍ତୁ ଏହାପରେ ସେଭଳି କୌଣସି ଘଟଣା ଘଟିନଥିଲା ।

ପୁଲିସର ପଦକ୍ଷେପ ଅନେକ ଦିଗ ଆଡକୁ ଇସାରା କରୁଛି । କାହିଁକି ପୁଲିସ ରାଜା ଆଚାର୍ଯ୍ୟଙ୍କୁ ପୁଣିଥରେ ଗିରଫ କରିବାକୁ ନିଷ୍ପତି ନେଲା । ଏହିଭଳି ଅନେକ ପ୍ରଶ୍ନ ସାମ୍ନାକୁ ଆସୁଛି । ତେବେ ରାଜା ଆଚାର୍ଯ୍ୟଙ୍କ ଓକିଲ କହିଛନ୍ତି, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଜାମିନରେ ଜେଲରୁ ମୁକୁଳି ସାଧାରଣ ଜୀବନଯାପନ କରିବାକୁ ରାଜା ଚାହୁଁଥିବା ବେଳେ ପୁଣିଥରେ ପୋଲିସ ଜାଣିଶୁଣି ତାଙ୍କୁ ଜେଲକୁ ପଠାଇବାକୁ ଯୋଜନା କରୁଛି । ବିରଞ୍ଚି ଦାସ ହତ୍ୟା ଘଟଣା ଛଡା ଅଭିନେତ୍ରୀ ବିଦୁସ୍ମିତାଙ୍କ ଭାଇ ଅରୁଣ ମନ୍ତ୍ରୀ ଅପହରଣ ଘଟଣା ମଧ୍ୟ ମୁଖ୍ୟ ଅଭିଯୁକ୍ତ ଥିଲେ ରାଜା । ଏହିପରି ପ୍ରାୟ ୪୦ଟି ଅପରାଧ ମାମଲା ଗଡୁଛି ଏହି ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ ।