ପ୍ରଶାସନର ବିଚିତ୍ର ବ୍ୟବସ୍ଥା ! ଘର କୋରାପୁଟରେ କିନ୍ତୁ ଗାଁଲୋକେ ଭୋଟ୍ ଦିଅନ୍ତି ରାୟଗଡାରେ ।

85

କନକ ବ୍ୟୁରୋ : ୧୯୯୨ ଜାନୁଆରି ୨ ତାରିଖରେ ଅବିଭକ୍ତ କୋରାପୁଟ ଜିଲ୍ଲା ୪ଟି ଜିଲ୍ଲାରେ ଭାଗ ହୋଇଥିଲା ।  ଏହି ସମୟରେ କୋରାପୁଟ ଜିଲ୍ଲା ସୀମାରେ ରହିଯାଇଛି ଗମ୍ଭାରିଗୁଡା ଗାଁ । ଯାହା ଏବେ ରାୟଗଡା ଜିଲ୍ଲା ଅଧିନରେ ରହିଛି । ଗାଁଟି କୋରାପୁଟ ପାଖରେ ଥିବା ବେଳେ ରାୟଗଡାରେ ଭୋଟ ଦିଅନ୍ତି ଏଠାକାର ଭୋଟର । ଜିଲ୍ଲା ବିଭାଜନର ବହୁ ବର୍ଷ ପରେ ବି ଗାଁଟିକୁ କୋରାପୁଟରେ ଅନ୍ତର୍ଭୁକ୍ତ କରାଯାଇନଥିବାରୁ କ୍ଷୋଭ ପ୍ରକାଶ ପାଇଛି ।

କି ବିଚିତ୍ର ବ୍ୟବସ୍ଥା ! ଘର କୋରାପୁଟରେ, ଭୋଟ ରାୟଗଡାରେ । କୋରାପୁଟ ଦଶମନ୍ତପୁର ବ୍ଲକ ଠାରୁ ୨କିମି ଦୂର ଏବଂ ରାୟଗଡା କାଶିପୁର ଠାରୁ ୪୦  କିଲୋମିଟର ଦୂରରେ ରହିଛି ଏହି ଆଦିବାସୀ ବହୁଳ ଗମ୍ଭାରିଗୁଡା ଗାଁ । ଏଠାରେ ୫୨ ପରିବାର ବାସ କରନ୍ତି । ଏଠାକାର ୧୯୧ ଜଣ ଭୋଟର କୋରାପୁଟର ତହସିଲ ଅଧିନରେ ରହି ମଧ୍ୟ ଗାଁ ଠାରୁ ୨୦ କିଲୋମିଟର ଦୂର କାଶିପୁର କୁଚେଇପଦର ମତଦାନ କେନ୍ଦ୍ରରେ ଭୋଟ ଦେଇଥାନ୍ତି । ନିର୍ବାଚନ ସମୟରେ ଯେଉଁ ଦଳ ଗାଡି ପଠାଇ ନିଏ ସେହି ଦଳକୁ ଭୋଟ ଦେଇଥାନ୍ତି ଏଠାକାର ଭୋଟର ।

ଗମ୍ଭାରୀଗୁଡାର କିଛି ଜମି ପଟ୍ଟା କାଶିପୁର ତହସିଲରେ ଓ କିଛି ଜମି ଦଶମନ୍ତପୁର ତହସିଲ ଅଧିନରେ ରହିଛି । ଉଜ୍ଜଳା ଯୋଜନା କଣ ଜାଣିନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ମନରେଗା ଯୋଜନା କାର୍ଯ୍ୟକାରୀ ହେଉନାହିଁ । ଗାଁରେ ସ୍କୁଲ କି ଅଂଗନବାଡି କେନ୍ଦ୍ର ନଥିବା ବେଳେ ଆଶାକର୍ମୀ ନିଯୁକ୍ତ ହୋଇନାହାନ୍ତି । ବାର୍ଦ୍ଧକ୍ୟ ଭତା ପାଇଁ କୁଚେଇପଦର ଯିବାକୁ ପଡୁଛି । ଏସବୁ ଦୃଷ୍ଟିରୁ କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକରେ ରହିବାକୁ ଇଛା ପ୍ରକାଶ କରିଛନ୍ତି ଗ୍ରାମବାସୀ ।

ଜିଲ୍ଲା ବିଭାଜନର ୨୭ ବର୍ଷ ପରେ ବି ଏହି ଗାଁଟି କୋରାପୁଟ ପାଖରେ ଥାଇ ବି ରାୟଗଡା ଜିଲ୍ଲା ଅଧିନରେ ରହିଛି, ତାକୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି । ସେପଟେ ଗ୍ରାମବାସୀଙ୍କ ଏହି ଦାବି ରାଜ୍ୟ ସରକାରଙ୍କ ସ୍ତରରେ ସମାଧାନ ହେବ କହି କ୍ୟାମେରା ସାମ୍ନାରୁ ମୁହଁ ଫେରାଇ ନେଇଛନ୍ତି କୋରାପୁଟ ଜିଲ୍ଲା ସ୍ତରୀୟ ଅଧିକାରୀ ।