କନକ ବ୍ୟୁରୋ : ମେ’ ମାସ ମଧ୍ୟଭାଗରୁ ସେପ୍ଟେମ୍ବର ୧୪ ତାରିଖ ଅର୍ଥାତ୍ ପ୍ରାୟ ୪ ମାସ ଭିତରେ ତେଲ କମ୍ପାନି ଗୁଡ଼ିକ ପେଟ୍ରୋଲ ଲିଟର ପିଛା ପାଖାପାଖି ୭ଟଙ୍କା ବଢାଇ ସାରିଲେଣି। ସେହିଭଳି ଏହି ସମୟ ମଧ୍ୟରେ ଡିଜେଲ ଦର ବଢିଛି ଲିଟର ପିଛା ପାଖାପାଖି ୮ ଟଙ୍କା। ଉଲ୍ଲେଖଯୋଗ୍ୟ, ଗତ ମେ’ ୧୨ ତାରିଖରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ହୋଇଥିଲା। ଏପ୍ରିଲ ମାସରୁ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହେବା ସହିତ ପ୍ରଚାର ଜୋର ଧରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୋଦ୍ ପ୍ରଚାରର ମଙ୍ଗ ଧରିଥିଲେ। ହେଲେ ଯେଉଁ ସମୟରେ ପ୍ରଚାର ତାତି ବଢିଲା, ହଠାତ୍ ସେହି ସମୟରେ ତେଲ ଦର ସ୍ଥିର ରହିଲା। ଦେଖାଯାଇଛି ଯେ ସରକାରୀ ତେଲ କମ୍ପାନି ଗୁଡ଼ିକ ୧୯ ଦିନ ଧରି ପେଟ୍ରୋଲ, ଡିଜେଲ ଦରରେ ପଇସାଟିଏ ପରିବର୍ତ୍ତନ ଆଣିଲେ ନାହିଁ।
ଶନିବାର ଭୁବନେଶ୍ୱରରେ ପେଟ୍ରୋଲ ଦର ୮୦ ଟଙ୍କା ୪୭ ପଇସାରେ ପହଞ୍ଚି ଯାଇଛି। ମେ’ ୧୨ ତାରିଖରେ ପେଟ୍ରୋଲ ଦର ୭୩ ଟଙ୍କା ୪୬ ପଇସା ଥିଲା। ଅର୍ଥାତ୍ ଏହି ସମୟ ମଧ୍ୟରେ ପେଟ୍ରୋଲ ୭ ଟଙ୍କା ୧ ପଇସା ମହଙ୍ଗା ହୋଇଯାଇଛି। ସେହିଭଳି ଭୁବନେଶ୍ୱରରେ ଶନିବାର ଡିଜେଲ ଦର ୭୮ ଟଙ୍କା ୯୧ ପଇସା ଛୁଇଁଛି। ମେ’ ୧୨ ତୁଳନାରେ ଡିଜେଲ ଦର ୮ ଟଙ୍କା ୧୬ ପଇସା ବଢ଼ିଯାଇଛି। ଅନ୍ୟପକ୍ଷରେ ଶୁକ୍ରବାର ତୁଳନାରେ ଶନିବାର ଭୁବନେଶ୍ୱରରେ ପେଟ୍ରୋଲ ଓ ଡିଜେଲ ଦର ଯଥାକ୍ରମେ ୩୪ ପଇସା ଏବଂ ୨୬ ପଇସା ବଢ଼ିଛି। ଗତ ୧୨ ତାରିଖରେ ଗୋଟିଏ ଦିନ ପାଇଁ ପେଟ୍ରୋଲ, ଡିଜେଲ ଦର ସ୍ଥିର ରହିବା ପରେ ଲଗାତାର ୩ ଦିନ ହେଲା ବଢ଼ୁଛି। ତିନି ଦିନରେ ପେଟ୍ରୋଲ ଦର ୭୫ ପଇସା ଏବଂ ଡିଜେଲ ଦର୬୧ ପଇସା ମହଙ୍ଗା ହୋଇଗଲାଣି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/Petrol-1.jpg)