ସହିଦଙ୍କ ଦାୟାଦ ନିଖୋଜ ବିବାଦରେ ନୂଆ ମୋଡ : ବାବୁଲାଙ୍କୁ ବିଜେଡି ଲୁଚାଇ ରଖିଥିବା ଅଭିଯୋଗ ଆଣିଲା ବିଜେପି

2

କନକ ବ୍ୟୁରୋ : ରାଜନୀତିର ଚକ୍ରବ୍ୟୁହରେ ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାର । ସହିଦ ଲକ୍ଷ୍ମୀ ଇନ୍ଦିରା ପଣ୍ଡାଙ୍କ ଦାୟଦଙ୍କୁ ନେଇ ତେଜିଲା ରାଜନୀତି । ଲକ୍ଷ୍ମୀ ପଣ୍ଡାଙ୍କ ନାତି ବାବୁଲାଙ୍କୁ ଲୁଚାଇ ରଖିଛି ବିଜେଡି । ଭାରତୀୟ ଜନତା ପାର୍ଟିର ଏଭଳି ସାଂଘାତିକ ଅଭିଯୋଗ ପରେ ପରିସ୍ଥିତି ଭିନ୍ନ ମୋଡ ନୋଇଛି । ସହିଦଙ୍କ ପରିବାରଙ୍କୁ ମୋଦି ସମ୍ବର୍ଦ୍ଧିତ କରିବା ପରେ, ବାବୁଲା ହଜିଯିବା ଘଟଣାକୁ ନେଇ ବିଜେପିକୁ ଟାର୍ଗେଟ କରିଆସୁଛି ବିଜେଡି । ଆଉ ଏବେ ବିଜେଡି ବିରୋଧରେ ଅପହରଣ ଷଡଯନ୍ତ୍ରର ଅଭିଯୋଗ ଆଣିଛି ବିଜେପି ।

୧୭ ବର୍ଷର ଶାସନରେ ସହିଦ ପରିବାରଙ୍କୁ ଭୁଲି ଯାଇଥିବା ବିଜେଡି ସରକାର, ବିଜେପିର କାର୍ଯ୍ୟକ୍ରମରେ ଭୟଭୀତ । କାଳେ ସହିଦଙ୍କୁ ସମ୍ମାନର ଶ୍ରେୟ ବିଜେପି ନେଇଯିବ ସେଥିପାଇଁ ଏହାକୁ ଭଣ୍ଡୁର କରାବିକୁ ଷଡଯନ୍ତ୍ର କରିଛନ୍ତି । ଆଉ ଲକ୍ଷ୍ମୀ ଇନ୍ଦିରା ପଣ୍ଡାଙ୍କ ଦାୟଦ ବାବୁଲାଙ୍କୁ ଲୁଚାଇ ରଖିଛନ୍ତି ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ଓ କୋରାପୁଟ ରାଜନୀତିର ଟାଣୁଆ ବିଜେଡି ନେତା ରବି ନାରାୟଣ ନନ୍ଦ । ଏକ ସାମ୍ବାଦିକ ସମ୍ମିଳନୀରେ ଖବରକାଗଜ ରିପୋର୍ଟକୁ ଆଧାର କରି ଏଭଳି ସାଂଘାତିକ ଅଭିଯୋଗ କରିଛି ବିଜେପି ।

ହେଲେ ବିଜେପିର ଏଭଳି ଅଭିଯୋଗକୁ ସଂପୂର୍ଣ୍ଣ ଅସ୍ୱୀକାର କରିଛନ୍ତି ରବି ନାରାୟଣ ନନ୍ଦ । କହିଛନ୍ତି, ନିଜ ବିଫଳତାକୁ ଘୋଡାଇବା ପାଇଁ ଏଭଳି ଭିତିହୀନ ଦୋଷାରୋପ କରୁଛି ଭାରତୀୟ ଜନତା ପାର୍ଟି । ଭୁବନେଶ୍ୱରରେ ବିଜେପି ଜାତୀୟ କାର୍ଯ୍ୟକାରିଣୀରେ ଓଡିଶାର ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଏଥିପାଇଁ ରାଜଧାନୀରେ ପହଂଚିଥିବା ୧୬ ପରିବାରଙ୍କ ମଧ୍ୟରେ ବି ଥିଲେ ଲକ୍ଷ୍ମୀ ଇନ୍ଦିରା ପଣ୍ଡାଙ୍କ  ଦାୟାଦ  । କୁହାଯାଉଛି ଏମାନଙ୍କୁ ଆଣିବା ଓ ଛାଡିବା ଦାୟିତ୍ୱ ନେଇଥିଲା ନବରତ୍ନ କମ୍ପାନି ନାଲକୋ । ହେଲେ ଫେରିବାବେଳେ ସ୍ୱାମୀ ଓ ପୁଅଙ୍କଠାରୁ ଷ୍ଟେସନରେ ଅଲଗା ହୋଇଗଲେ ଲକ୍ଷ୍ମୀ ପଣ୍ଡାଙ୍କ ବୋହୁ । ଅନେକ ତୁମ୍ବି ତୋଫାନ ପରେ ସେ ଘରକୁ ଫେରିଛନ୍ତି ।

କିନ୍ତୁ ଏଯାଏ ଫେରିନାହାଁନ୍ତି ପୁଅ ତଥା ଲକ୍ଷ୍ମୀ ପଣ୍ଡାଙ୍କ ନାତି । ଯାହାକୁ ନେଇ ଦିନକୁ ଦିନ ଭିନ୍ନ ମୋଡ ନେଉଛି ରାଜ୍ୟ ରାଜନୀତି  । ସହିଦଙ୍କୁ ସମ୍ମାନ ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି ।

Comments are closed.