ମେଟ୍ରୋରେ ଚୋରୀ କରୁଥିବା ୪ ମହିଳା ଗିରଫ , ଲୋକଙ୍କ ଉପରେ ବାନ୍ତି କରି ସଫା କରିବା ବାହାନାରେ ଚୋରୀ କରୁଥିଲେ ଗହଣା ଏବଂ ଟଙ୍କା

197

ଟ୍ରେନରେ ଯାତ୍ରୀଙ୍କ ସାମଗ୍ରୀ ଚୋରି ମାମଲା ଦିନକୁ ଦିନ ବଢିବାରେ ଲାଗିଛି । ମେଟ୍ରୋରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । ନୂଆ ନୂଆ ଉପାୟରେ ଟ୍ରେନରେ ଚୋରି କରାଯାଉଛି । ଏବେ ରେଲୱେର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହା ମଧ୍ୟରେ ମେଟ୍ରୋ ପୋଲିସ ଟ୍ରେନରେ ସାମଗ୍ରୀ ଚୋରି କରୁଥିବା ମହିଳା ଗ୍ୟାଙ୍ଗ ମଧ୍ୟରୁ ଚାରି ଜଣ ମହିଳା ଚୋରଙ୍କୁ ଧରିବାରେ ସଫଳ ହୋଇଛି । ଏହି ଗ୍ୟାଙ୍ଗର ମହିଳାମାନେ ନିଜ ସହିତ ଛୁଆଙ୍କୁ ଧରି ଟ୍ରେନରେ ଯାତ୍ରା କରନ୍ତି ଏବଂ ପରେ ଛୁଆଙ୍କୁ ବାନ୍ତି କରାଇ ଯାତ୍ରୀମାନଙ୍କ ଧ୍ୟାନ ପରିବର୍ତ୍ତନ କରି ସେମାନଙ୍କ ଠାରୁ ଚୋରି କରିଥାନ୍ତି ।

ସୂଚନାନୁସାରେ, ୧୦ ଡିସେମ୍ବରରେ ରାଜୀବ ଚୌକ ମେଟ୍ରୋ ଷ୍ଟେସନରେ ସାମଗ୍ରୀ ଚୋରି ହୋଇଥିବା ନେଇ ଯାତ୍ରୀ ଜଣଙ୍କ ଅଭିଯୋଗ କରିଥିଲେ । ଯାତ୍ରୀଙ୍କ ବ୍ୟାଗରେ ପାଖାପାଖି ୭୫ହଜାର ଟଙ୍କା ଓ ୪ଲକ୍ଷ ଟଙ୍କାର ହୀରା ଏବଂ ସୁନା ଗହଣା ଥିଲା । ଚୋରି ହେବା ସମୟରେ ଏହି ଚାରି ଜଣ ମହିଳା ଚୋର ବଗିରେ ଉପସ୍ଥିତ ଥିଲେ । ପୋଲିସ ଫଟୋ ଚିତ୍ର ମାଧ୍ୟମରେ ଚୋରଙ୍କୁ ଗିରଫ କରିପାରିଛି । ପୋଲିସ ଚାରି ଜଣ ଚୋରଙ୍କ ଠାରୁ ୭୦ ହଜାର ଟଙ୍କା ଓ ପାଖାପାଖି ୪ ଲକ୍ଷ ଟଙ୍କାର ଅଳଙ୍କାରମାନ ଜବତ କରିଛି । ମେଟ୍ରୋ ପୋଲିସ ଉପାୟୁକ୍ତ ବିକ୍ରମ ପରେୱାଲଙ୍କ କହିବାନୁଯାୟୀ ମହିଳାଙ୍କ ପରିଚୟ ମିଳିଛି । ସେମାନେ ହେଲେ ଆନନ୍ଦ ପର୍ବତର ବାସିନ୍ଦା ବିନିତା , ଗାୟତ୍ରୀ, କବିତା ଓ ଉପା । ଯାତ୍ରୀଙ୍କ ଅଭିଯୋଗକୁ ଭିତ୍ତି କରି ଏହି ଚୋରଣୀ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ମେଟ୍ରୋ ପୋଲିସ । ଏହି ଗ୍ୟାଙ୍ଗ ମେଟ୍ରୋ , ବସଷ୍ଟାଣ୍ଡ, ଟ୍ରେନ ଏଭଳି ବିଭିନ୍ନ ଜାଗାରେ ଛୁଆଙ୍କୁ ଧରି ଭିନ୍ନ ଭିନ୍ନ ଉପାୟରେ ଚୋରି କରିଥାନ୍ତି ।