ଯେବେ ମନ୍ତ୍ରୀ ପକାଇଥିଲେ ଚାପ… । ତାରା ଦତ୍ତଙ୍କ ବହିରେ ପ୍ରଫୁଲ୍ଲ ଘଡେଇଙ୍କ ରାଜନୈତିକ ଚାପର କାହାଣୀ, ଖୁବଶୀଘ୍ର ଖୋଲିବ ଅନେକ ଗୁମର ।

1,096

କନକ ବ୍ୟୁରୋ : ତାରାଙ୍କ ବହିରେ ଘଡେଇଙ୍କ କାହାଣୀ । ବରିଷ୍ଠ ଆଇଏଏସ୍ ତାରା ଦତଙ୍କ ବହି ବଜାରକୁ ଆସିବା ପୂର୍ବରୁ ଚର୍ଚ୍ଚିତ ହେବାରେ ଲାଗିଛି । ନିଜ ରଚିତ ପୁସ୍ତକ ହାଇଲାଣ୍ଡର୍ସ ପ୍ଲେନସ୍ପିକରେ ତାରା ତାଙ୍କ ଚାକିରି ସମୟରେ ସରକାରୀ ସ୍ତରରେ ଘଟିଥିବା କିଛି ଅନାଲୋଚିତ ଦିଗକୁ ବର୍ଣ୍ଣନା କରିଛନ୍ତି । ଯେଉଁଥିରେ ସ୍ଥାନ ପାଇଛି ତତକାଳୀନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡେଇଙ୍କ ରାଜନୈତିକ ଚାପର ଏକ କାହାଣୀ ।

ଟ୍ରକରେ ଆସୁଥିଲା ଇଲେକ୍ଟ୍ରୋନିକ୍ସ ଜିନିଷ । କିନ୍ତୁ ଟିକସ ଦିଆଯାଉଥିଲା ଆଳୁର । କଲିକତାରୁ ରାଉରକେଲା ଆସୁଥିବା ବେଳେ ମୟୁରଭଞ୍ଜ ସୀମାରେ ଥିବା ତନଖି ଫାଟକରେ ଧରାପଡିଥିଲା ଟ୍ରକଟି । ବିଶେଷ ସୂତ୍ରରୁ ଖବର ପାଇ ଟ୍ରକକୁ ସିଜ୍ କରିଥିଲେ ବାଲେଶ୍ୱର ବାଣିଜ୍ୟକର ବିଭାଗ ଅଧିକାରୀ ।ତନଖି ଫାଟକରେ କିନ୍ତୁ ଟ୍ରକରେ ଆଳୁ ଅସୁଥିବା ନେଇ କାଗଜପତ୍ର ଦାଖଲ କରିଥିଲେ ଡ୍ରାଇଭର । କିନ୍ତୁ ଟ୍ରକକୁ ଛାଡିଦେବା ପାଇଁ ଚାପ ପକାଇଥିଲେ ତକ୍ରାଳୀନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ । କାରଣ ଆଳୁ ପାଇଁ ଟିକସ ଦେଇ ମୂଲ୍ୟବାନ ସାମଗ୍ରୀ ଚାଲାଣ କରୁଥିବା ପରିବହନ କମ୍ପାନୀରେ କାମ କରୁଥିଲେ ଅର୍ଥମନ୍ତ୍ରୀଙ୍କ ସମ୍ପର୍କୀୟ । ଆଉ ତାଙ୍କରି ଦ୍ୱାରା ଠକେଇ ଚାଲିଥିଲା ଲକ୍ଷ ଲକ୍ଷ ଟଙ୍କାର ଟିକସ ।

ଏମିତି କିଛି ତଥ୍ୟ ଦେଇଛନ୍ତି ପ୍ରାକ୍ତନ ବରିଷ୍ଠ ଆଇଏଏସ ତାରା ଦତ । ନିଜ ରଚିତ ପୁସ୍ତକ ହାଇଲାଣ୍ଡରସ୍ ପ୍ଲେନସ୍ପୀକରେ ତାରା ତାଙ୍କ ଚାକିରୀ ସମୟରେ ସରକାରୀ ସ୍ତରରେ ଘଟିଥିବା କିଛି ଅନାଲୋଚିତ ଦିଗକୁ ବର୍ଣ୍ଣନା କରିଛନ୍ତି । ଏପରିକି ଟିକସ ଫାଙ୍କୁଥିବା ରାଜ୍ୟର କିଛି ପ୍ରଭାବଶାଳୀ ବ୍ୟବସାୟୀ ଓ ବ୍ୟକ୍ତିବିଶେଷଙ୍କୁ ବାଣିଜ୍ୟକର କମିଶନର ଥିବା ବେଳେ ସେ ଅଙ୍କୁଶ ଳଗାଇବାକୁ ଚେଷ୍ଟା କରିବାରୁ ତକ୍ରାଳୀନ ଅର୍ଥମନ୍ତ୍ରୀ ଘଡେଇ ଓ ତାଙ୍କ ସମ୍ପର୍କ ଭିତରେ ଆସିଥିବା ଫାଟକୁ ନେଇ ପ୍ରକାଶ କରିଛନ୍ତି ତାରା ।