ଅଫେରା ଦୁନିଆରେ ଅରୁଣ…ଅସୁସ୍ଥତା କାରଣରୁ ମିଡିଆଠାରୁ ଦୂରେଇ ରହୁଥିଲେ ବି ସୋସିଆଲ ମିଡିଆରେ ଥିଲେ ସକ୍ରିୟ, ପଢନ୍ତୁ ଅରୁଣ ଜେଟଲିଙ୍କ ସେହି ଶେଷ ବାର୍ତ୍ତା

779

ପରଲୋକରେ ଅରୁଣ ଜେଟଲି । ଦିଲ୍ଲୀ ଏମ୍ସ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଦିନ ୧୨ଟା ୭ ମିନିଟରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା । ଗତ ଅଗଷ୍ଟ ୯ ତାରିଖରେ ଛାତିରେ ଯନ୍ତ୍ରଣା ଓ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ତାଙ୍କର ଚିକିତ୍ସାରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ରହି ଚିକିତ୍ସା ବ୍ୟବସ୍ଥା ଦେଖୁଥିଲେ । ତେବେ ଡାକ୍ତରଙ୍କ ସମସ୍ତ ଉଦ୍ୟମ ସତ୍ୱେ ଆଖି ବୁଜିଛନ୍ତି ଅରୁଣ ଜେଟଲି ।

ଗତ କିଛି ଦିନ ହେଲା ଗଭୀର ରୋଗରେ ଆକ୍ରାନ୍ତ ଥିବା ସତ୍ୱେ ବି ସେ ସୋସିଆଲ ମିଡାଆରେ ବହୁତ ସକ୍ରିୟ ଥିଲେ । ଅସୁସ୍ଥତା କାରଣରୁ ସେ ମିଡିଆ ସାମନାକୁ ଆସୁପାରୁନଥିଲେ ବି ନିଜର ମନ କଥା ତଥା ବାର୍ତ୍ତାକୁ ସୋସିଆଲ ମିଡିଆ ଜରିଆରେ ଲୋକଙ୍କ ନିକଟରେ ପହଂଚାଉଥିଲେ । ଗତ ୭ ଅଗଷ୍ଟ ତାରିଖରୁ ଅରୁଣ ଜେଟଲି ଶେଷ ସମୟ ପର୍ଯ୍ୟନ୍ତ ସୋସିଆଲ ସାଇଟରେ ସକ୍ରିୟ ଥିବା ନଜର ଆସିଥିଲେ । ଅଗଷ୍ଟ ୯ ତାରିଖରେ ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା କାରଣରୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା ଆଉ ସେବେଠାରୁ ହିଁ ଜେଟଲି ଏମ୍ସରେ ଭର୍ତ୍ତି ଥିଲେ । ଦୀର୍ଘ ଦିନ କାଳ ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ଆଜି ଆଖି ବୁଜିଛନ୍ତି ଅରୁଣ ଜେଟଲି ।

ତେବେ ଶେଷ ଥର ପାଇଁ ଅରୁଣ ଜେଟଲି ଅଗଷ୍ଟ ୬ ତାରିଖରେ ଶ୍ରୀ ରାମଚରିତମାନସର ରଚୟିତା ଏବଂ ମହାନ ସନ୍ଥ ତୁଳସୀଦାସଙ୍କ ଜୟନ୍ତୀରେ ତାଙ୍କୁ ସ୍ମରଣ କରିଥିଲେ । ୫ରୁ ୬ ଅଗଷ୍ଟ ମଧ୍ୟରେ ଅରୁଣ ଜେଟଲି ନିଜ ବ୍ଲଗ ଅରୁଣ ଜେଟଲି ଡଟ୍ କମ ଏବଂ ଫେସବୁକ ପେଜରେ ଲଗାତର ସକ୍ରିୟ ଥିଲେ । ସୁଷମା ସ୍ୱାରଜଙ୍କ ନିଧନ ପରେ ବି ଅରୁଣ ଜେଟଲି ସୋସିଆଲ ମିଡିଆ ଜରିଆରେ ଗଭୀର ସମବେଦନା ବ୍ୟକ୍ତ କରିଥିଲେ । ଅଗଷ୍ଟ ୬ ତାରିଖ ୩ଟା ୧୪ରେ ବି ଅରୁଣ ଜେଟଲି ନିଜ ଫେସବୁକ ପେଜରେ ସଂସଦର ସଫଳ ଅଧିବେଶନ ଉପରେ ଏକ ଲମ୍ବା ବ୍ଲଗ ଲେଖିଥିଲେ । ଏହି ବ୍ଲଗରେ ଜେଟଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସ୍ୱତନ୍ତ୍ର ଧନ୍ୟବାଦ ଜଣାଇବା ସହ ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ଐତିହାସିକ ନିଷ୍ପତିକୁ ପ୍ରଶଂସା ମଧ୍ୟ କରିଥିଲେ ।

ଅରୁଣ ଜେଟଲି ନିଜର ଶେଷ ଫେସବୁକ ବ୍ଲଗରେ ଲେଖିଥିଲେ କି, ସଂସଦର ଚଳିତ ଅଧିବେଶନ ଦେଶବାସୀଙ୍କ ପାଇଁ ବେଶ୍ ଲାଭଦାୟକ ରହିଛି । ଏହି ଅଧିବେଶନରେ ବହୁ ଐତିହାସିକ ବିଧାନ ପାରିତ କରାଯାଇଛି । ଟ୍ରିପଲ ତଲାକ ଆଇନ, ଭାରତର ଆତଙ୍କବାଦ ବିରୋଧୀ ଆଇନକୁ ମଜବୁତ କରିବା ଏବଂ ଅନୁଚ୍ଛେଦ ୩୭୦ ଉପରେ ନିଷ୍ପତି ନେବା ଭଳି ସମସ୍ତ ଅଭୁତପୂର୍ବ ନିଷ୍ପତି ଅଟେ । ସେହିଭଳି ଅନୁଚ୍ଛେଦ ୩୭୦ ଉପରେ ବିଜେପି ଯେଉଁ ପ୍ରତିଶ୍ରୁତ ଦେଇଥିଲା, ତାର ଉପଲବ୍ଧି ଅବିଶ୍ୱସନୀୟ । ସରକାରଙ୍କ ନୂଆ କାଶ୍ମୀର ନୀତିର ସମର୍ଥନରେ ଜନତାଙ୍କ ମୁଡ ଏତେ ମଜଭୁତ ହୋଇଯାଇଛି କି ବିରୋଧୀମାନେ ବି ଜନତାଙ୍କ ଏହି ରାୟ ଆଗରେ ଆଣ୍ଠେଇ ବାକୁ ବାଧ୍ୟ ହୋଇଛନ୍ତି । ରାଜ୍ୟସଭା ପାଇଁ ଦୁଇ – ତୃତୀୟାଂଶ ବହୁମତ ଏହି ନିଷ୍ପତିକୁ ମଂଜୁରୀ ଦେବା କଳ୍ପନା ବାହରେ ଥିଲା । ଏହାପରେ ଜେଟଲି ଜମ୍ମୁ-କାଶ୍ମୀରକୁ ନେଇ ଗତ ୬ ତାରିଖ ସଂଧ୍ୟା ୪ଟାରୁ ଗୋଟିଏ ପରେ ଗୋଟିଏ ଟୁଇଟ୍ କରିଚାଲିଥିଲେ । କିଛି ଟୁଇଟରେ ତ ଜେଟଲି ଜମ୍ମୁକାଶ୍ମୀରର ଏଭଳି ସ୍ଥିତି ପାଇଁ କଂଗ୍ରେସକୁ ଦାୟୀ କରିଥିଲେ ତ ପୁଣି ଅନୁଚ୍ଛେଦ ୩୭୦କୁ ହଟାଇବା ନିଷ୍ପତି ପାଇଁ ଉଭୟ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କୁ ପ୍ରଶଂସା କରିଥିଲେ ।

ବାସ୍ତବରେ ଅରୁଣ ଜେଟଲିଙ୍କ ପରଲୋକ ବିଜେପି ରାଜନୀତି ପାଇଁ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ୧୯୫୨ ମସିହା ଡିସେମ୍ୱର ୨୮ ତାରିଖରେ ନୂଆ ଦିଲ୍ଲୀରେ ଜନ୍ମ ଗ୍ରହଣ କରିଥିଲେ ଜେଟଲି । ଛାତ୍ରଜୀବନରେ ଏବିଭିପି ସହିତ ଜଡିତ ରହି ପ୍ରମୁଖ ଛାତ୍ରନେତା ଭାବେ ପରିଚିତି ହାସଲ କରିଥିଲେ । ଦେଶରେ ଜରୁରୀକାଳୀନ ସ୍ଥିତି ଯେତେବେଳେ ଲାଗୁ ହୋଇଥିଲା ୧୯ ମାସ ଧରି ଜେଲ ଭୋଗିଥିଲେ ଜେଟଲି । ଆଡଭାନୀ ବାଜପେୟୀଙ୍କ ସମୟରୁ ବର୍ତ୍ତମାନର ମୋଦି ସରକାରଙ୍କ ଯାଏଁ ରହିଥିଲା ତାଙ୍କର ରାଜନୈତିକ କ୍ୟାରିୟର । ୧୯୯୬ରେ କେନ୍ଦ୍ରରେ ଯେତେବେଳେ ବାଜପେୟୀଙ୍କ ନେତୃତ୍ୱରେ ସରକାର ଗଢିଥିଲା ବିଜେପି , ସେତେବେଳେ ଅର୍ଥ , ପ୍ରତିରକ୍ଷା, କର୍ପୋରେଟ୍ ଆଫାୟାର୍ସ, ବାଣିଜ୍ୟ ଓ ଶିଳ୍ପ ପରି ପ୍ରମୁଖ ବିଭାଗର ମନ୍ତ୍ରୀ ପଦ ସମ୍ଭାଳିଥିଲେ ।

ମୋଦି ସରକାରଙ୍କ ପ୍ରଥମ ପାଳିରେ ଅର୍ଥ ଓ ପ୍ରତିରକ୍ଷା ବିଭାଗ ଦାୟିତ୍ୱ ବି ତୁଲାଇଥିଲେ । ଏକାଧାରରେ ଜେଟଲି ଥିଲେ ଜଣେ ବିଚକ୍ଷଣ ରାଜନେତା ଓ ଓକିଲ ମଧ୍ୟ । ତାଙ୍କର ଏପରି ପରଲୋକ ରାଜନୈତିକ ମହଲରେ ଏକ ବିରାଟ ଶୂନ୍ୟ ସ୍ଥାନ ସୃଷ୍ଟି କରିବ । ବାଜପେୟୀଙ୍କ ପରେ ଯଦି କେବେ ଦ୍ୱିତୀୟ ଧାଡିର ନେତାଙ୍କୁ ବଛାଯାଏ, ତେବେ ଆଗରେ ଆସିବେ ଜେଟଲି । ଆଜି ତାଙ୍କର ପରଲୋକ ବିଜେପି ପାଇଁ ଜାତୀୟ ରାଜନୀତିରେ ଏକ ବଡ ଝଟକା ହୋଇଛି ।