ପଦଯାତ୍ରୀ ସାବଧାନ ! ପାଦେ ପାଦେ ରହିଛି ଦୁର୍ଘଟଣାର ବିପଦ, ଚଳିତବର୍ଷ ୪,୨୭୦ଜଣଙ୍କ ସଡକ ଦୁର୍ଘଟଣାରେ ହୋଇଛି ମୃତ୍ୟୁ ।

196

ପଦଯାତ୍ରୀ ସାବଧାନ ! ସଡକ ଦୁର୍ଘଟଣା ସାଜିଛି ମୃତ୍ୟୁର ଦୂତ । ଆପଣ ଚାଲି ଚାଲି ଯାଉଛନ୍ତି କି? ତେବେ ସାବଧାନ, କାହିଁକି ନା ପାଦେ ପାଦେ ରହିଛି ବିପଦ । ଓଡିଶାରେ ବଢୁଛି ସଡକ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା । ଆଉ ସରକାରଙ୍କ ହିସାବ କହୁଛି, ପାଦରେ ଚାଲି ଚାଲି ଯାଉଥିବା ଲୋକଙ୍କର ଦୁର୍ଘଟଣାରେ ଅଧିକ ମୃତ୍ୟୁ ହେଉଛି । ଚଳିତ ବର୍ଷ ଅର୍ଥାତ ଜାନୁୟାରୀରୁ ଅକ୍ଟୋବର ମଧ୍ୟରେ ୪ ହଜାର ୨୭୦ ଜଣଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଗତବର୍ଷ ସଡକ ଦୁର୍ଘଟଣାର ମୃତ୍ୟୁହାର ଥିଲା ୭.୩୩ । କିନ୍ତୁ ଚଳିତ ବର୍ଷ ମୃତ୍ୟୁହାର ରହିଛି ୮.୪୩ । ସଡକ ଦୁର୍ଘଟଣାରେ ଯୁବକମାନଙ୍କର ସର୍ବାଧିକ ମୃତ୍ୟୁ ହୋଇଛି । ୨୦ ବର୍ଷରୁ ୪୦ ବର୍ଷ ମଧ୍ୟରେ ମୃତ୍ୟୁ ସଂଖ୍ୟା ଅଧିକ ।

ଓଡିଶାର ୬ଟି ଜିଲ୍ଲାରେ ସର୍ବାଧିକ ଦୁର୍ଘଟଣା ଘଟିଛି । ଅନୁଗୁଳ, ବାଲେଶ୍ୱର, ବୌ÷ଦ୍ଧ ବରଗଡ଼, ଭଦ୍ରକ ଓ କଟକରେ ସାଂଘାତିକ ରୂପ ନେଉଛି ସଡ଼କ ଦୁର୍ଘଟଣା । ୨୦୧୮ରେ ୨୫ ହଜାର ୩୪ ଜଣଙ୍କର ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯାଇଛି । ସଡକ ଦୁର୍ଘଟଣାକୁ ରୋକିବା ପାଇଁ  ରାଜ୍ୟ ସରକାରଙ୍କ ପକ୍ଷରୁ ସଚିବାଳୟରେ ବୈଠକ ହୋଇଛି । ପରିବହନ ନିୟମକୁ କଡାକଡି ଲାଗୁ କରିବା ଓ ଆଇନ ଉଲଘଂନ କରୁଥିବା ବ୍ୟକ୍ତିଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିଷ୍ପତି ନିଆଯାଇଛି । ରାଜ୍ୟରେ ହେଉଥିବା ସଡକ ଦୁର୍ଘଟଣାକୁ ରୋକିବା ପାଇଁ ସୁପ୍ରିମକୋର୍ଟ ମଧ୍ୟ କଡା ନିର୍ଦ୍ଦେଶ ଜାରି କରିବା ସହ ଦୁର୍ଘଟଣା ପ୍ରତିଶତ କମାଇବା ପାଇଁ ରାଜ୍ୟ ଗୁଡିକୁ ତାଗିଦ କରିଛନ୍ତି ।