ମୋମୋ ବିକୁଛନ୍ତି, ପାଠ ପଢୁଛନ୍ତି… ରାଜଧାନୀ ରାସ୍ତା କଡରେ ଫୁଡ କର୍ଣ୍ଣର କରି ନିଜ ପଢାଖର୍ଚ୍ଚ ବହନ କରୁଛନ୍ତି ୩ ଯୁବତୀ

1,537

କନକ ବ୍ୟୁରୋ: ରାସ୍ତା କଡରେ ଉଠା ଦୋକାନ, ଦୋକାନ ଭିତରୁ ଦେଖା ଚାଲିଛି ସୁନେଲୀ ସପନ । ଏ ସ୍ୱପ୍ନ ନିଜ ଭବିଷ୍ୟତ ପାଇଁ, ଏ ପରିଶ୍ରମ ନିଜ ପାଠପଢା ପାଇଁ… ଅନ୍ୟ ଉପରେ ବୋଝ ନହୋଇ, କାହା ଉପରେ ଭରସା ନକରି ନିଜ ପଢା ଖର୍ଚ୍ଚ ନିଜେ ଉଠାଉଛନ୍ତି ଏ ତିନି ଯୁବତୀ । ଆଉ ତାଙ୍କ ପଢା ଖର୍ଚ୍ଚ ବହନ କରିବାର ବଡ ମାଧ୍ୟମ ସାଜିଛି ରାସ୍ତା କଡରେ ସେମାନେ ଖୋଲିଥିବା ଏହି ‘ବେଷ୍ଟି ଫୁଡ ପଏଣ୍ଟ’ ।

ସନ୍ଧ୍ୟା ହେଲେ ଭୁବନେଶ୍ୱର ପଳାଶୁଣୀ ଛକ ହାଇୱେ କଡ଼ରେ ଖୋଲିଯାଏ ଏହି ଫୁଡ କର୍ଣ୍ଣର । ଶୀତୁଆ ସନ୍ଧ୍ୟାକୁ ଗରମ ଗରମ ଚା, ମୋମୋ, ଅଣ୍ଡା ଆମଲେଟ ଏବଂ ସୁଇଟ କର୍ଣ୍ଣର ମଜା ନିଅନ୍ତି ଗ୍ରାହକ । ମାସେ ହେଲା ନୂଆ କରି ଖୋଲାଯାଇଥିବା ଏହି ବେଷ୍ଟି କର୍ଣ୍ଣରୁ ଟେଷ୍ଟି ଖାଦ୍ୟ ମିଳୁଥିବାରୁ ଲୋକଙ୍କ ଭିଡ ଜମିବା ସହ ଭଲ ବେପାର ମଧ୍ୟ ହେଉଛି ।

ତେବେ ଯାଜପୁର, ବାରିପଦା ଭଳି ରାଜ୍ୟର ବିଭିନ୍ନ ସ୍ଥାନରୁ ଆସି ରାଜଧାନୀରେ ଏପରି ଏକ ପରିକଳ୍ପନା କରିଛନ୍ତି ହିମାନୀ ଦାସ, ରାଜଶ୍ରୀ ମଲ୍ଲିକ ଏବଂ ମାନସୀ ଦାସ । ଆଉ ଏ ଦୋକାନ ପଛର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନିଜ ପାଠପଢା ଖର୍ଚ୍ଚ ବହନ କରିବା । ଗ୍ରାଜୁଏସନ୍ ପରେ ୩ ଶିକ୍ଷିତ ଯୁବତୀ ଏବେ ପ୍ରତିଯୋଗୀତାମୂଳକ ପରୀକ୍ଷା ପାଇଁ ରାଜଧାନୀରେ ପ୍ରସ୍ତୁତି କରୁଛନ୍ତି । ଆଉ ସମୟ ବାହାର କରି ନିଜ ଖର୍ଚ୍ଚ ନିଜେ ଉଠାଇବାକୁ ଏଭଳି ପ୍ରୟାସ କରିଛନ୍ତି ।

ଦିନରେ ପାଠ ପଢି, ସନ୍ଧ୍ୟାରେ ଦୋକାନ ଖୋଲନ୍ତି ଯୁବତୀମାନେ । ସକାଳେ କୋଚିଂ ସରିବା ପରେ ଦିନ ୨ଟାରୁ ଫୁଡ କର୍ଣ୍ଣର ପାଇଁ ଆରମ୍ଭ ହୁଏ ପ୍ରସ୍ତୁତି । ଆଉ ସଂଧ୍ୟା ୫ରୁ ରାତି ସାଢେ ୯ଟା ଯାଏଁ ଖୋଲା ରହେ ଦୋକାନ । ତେବେ ସମାଜରେ ଯେତେବେଳେ କିଛି ଯୁବପିଢି ପାଠ ପଢିବା ଖର୍ଚ୍ଚ ଆଳରେ ହଜାର ହଜାର ଟଙ୍କା ଉଡାଇ ଦିଅନ୍ତି ଠିକ୍ ସେତିକି ବେଳେ ହିମାନୀ, ରାଜଶ୍ରୀ ଓ ମାନସୀ ନିଜ ଗୋଡରେ ନିଜେ ଛିଡା ହୋଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ।