କନକ ବ୍ୟୁରୋ: ଲାଗାତାର ଦ୍ୱିତୀୟ ଦିନ ଲାଗି କୁହୁଡି ବଳୟରେ ଟ୍ୱିନି-ସିଟି । ଆଜି ରବିବାର ଦିନ ମଧ୍ୟ ଟ୍ୱିନି ସିଟିରେ ଘନ କୁହୁଡି ଦେଖିବାକୁ ମିଳିଛି । ଫଳରେ ସକାଳୁ ସାଧାରଣ ଜୀବନ ଯାତ୍ରା ଏକପ୍ରକାର ବାଧାପ୍ରାପ୍ତ ହୋଇଛି । ବାହାରକୁ ବାହାରିଲେ ଖାଲି କୁହୁଡି ଆଉ କୁହୁଡି । ଆଜି ରବିବାର ତେଣୁ ଆପଣ ଯଦି ଏବେ ବାହାରକୁ ବାହାରୁଛନ୍ତି ତାହା ହେଲେ ଟିକେ ସତର୍କ ହୋଇ ଘରୁ ବାହାରନ୍ତୁ ।
ଚଳିତ ବର୍ଷ ଶୀତ ଦିନରେ ଏଭଳି କୁହୁଡି ଆଗରୁ କେବେ ଦେଖିବାକୁ ମିଳିନଥିଲା । ଆଜି ସକାଳୁ ଦୈତନଗରୀ ସମ୍ପୂର୍ଣ୍ଣ ଧଳା ଆସ୍ତରଣରେ ଘୋଡେଇ ହୋଇ ରହିଛି । ଘନ କୁହୁଡିର ବଳୟ ଭିତରେ ରହିଛି କଟକ ଓ ଭୁବନେଶ୍ୱର । ଅତି ପାଖରୁ ଲୋକ ଓ ଗାଡିକୁ ଦେଖିବା କଷ୍ଟକର ହୋଇଛି । ଘନ କୁହୁଡି ଯୋଗୁଁ ରାସ୍ତାରେ ଯାତାୟତ କରିବା ଏକ ପ୍ରକାର କଷ୍ଟକର ହୋଇପଡିଛି । ଗାଡି ଚାଳକମାନେ ଲାଇଟ୍ ଦେଇ ଗାଡି ଚଳାଉଥିବା ଦେଖିବାକୁ ମିଳିଛି ।
ସେହିଭଳି ଅସ୍ତରଙ୍ଗରେ ମଧ୍ୟ ସକାଳୁ ସକାଳୁ ଘନକୁହୁଡି ଦେଖିବାକୁ ମିଳିଛି । ଟିପି ଟିପି କୁହୁଡି ବର୍ଷାରେ ମାଟି ଭିଜିଯାଇଛି । କୁହୁଡି ଯୋଗୁଁ ଲୋକେ ଦିନରେ ଲାଇଟ ଲଗାଇ ଗାଡି ଚଳାଉଛନ୍ତି । ସମୁଦ୍ର ଉପରେ ବି କୁହୁଡିର ଚାଦର ଦେଖିବାକୁ ମିଳିଛି । ୨୦ ମିଟର ଦୂରରୁ ସମୁଦ୍ରକୁ ଦେଖିହେଉନି ।
ସେପଟେ ଘନ କୁହୁଡିରେ ହଜିଯାଇଛି କୋଣାର୍କ । ସକାଳୁ ସକାଳୁ କୁହୁଡିର ବହଳ ଆସ୍ତରଣରେ କୋଣାର୍କ ମନ୍ଦିର ଦେଖା ଯାଉନାହିଁ । ଘନ କୁହୁଡି ଯୋଗୁଁ ଆଜି ସକାଳେ ୫ ଫୁଟ ଦୂରରୁ ଆଗକୁ କିଛି ଦେଖାଯାଉ ନାହିଁ । ଆଉ କୁହୁଡିରେ କୋଣାର୍କ ବୁଲିବାର ମଜା ନେଇଛନ୍ତି ପର୍ଯ୍ୟଟକ । ସେପଟେ ପୁରୀରେ ମଧ୍ୟ ଘନ କୁହୁଡି ଦେଖିବାକୁ ମିଳିଛି । ଶୀତୁଆ ସକାଳ ଓ ଘନ କୁହୁଡିରେ ମଧ୍ୟ ଶ୍ରୀଜୀଉଙ୍କ ଦର୍ଶନ କରିବା ପାଇଁ ଭକ୍ତଙ୍କ ଗହଳି ଜମିଛି ।