‘ଫୁଲ’ ପ୍ରେମିକ ଦିଲ୍ଲୀପ: ଓହଃ କି ସୁନ୍ଦର ! କେତେ ରଙ୍ଗ, କେତେ ରୂପ । ଅଗଣା ଦେଖିଲେ ଆଖି ଲାଖିଯିବ…

420

ଫୁଲ ହସିଲେ ସେ ହସନ୍ତି । ଆଉ ଫୁଲ ଝାଉଁଳି ଗଲେ ତାଙ୍କ ମନ ମରିଯାଏ । ଏମିତି ଜଣେ ଫୁଲ ବନ୍ଧୁ ହେଉଛନ୍ତି ଦିଲ୍ଲିପ କୁମାର ସ୍ୱାଇଁ । ନିଜ ଘର ଅଗଣାରେ ଲଗାଇଛନ୍ତି ଦେଶ ବିଦେଶର ବିଭିନ୍ନ ପ୍ରଜାତିର ଫୁଲ । ପ୍ରାୟ ୨୦୦ ପ୍ରକାର ଫୁଲ ଦେଖିବାକୁ ମିଳେ ଦିଲ୍ଲୀପଙ୍କ ଦାଣ୍ଡ ଦୂଆରେ । ଗଛରେ ଫୁଟିଥିବା ପ୍ରତ୍ୟେକ ଫୁଲକୁ ନିଜର ପରିବାରର ଜଣେ ସଦସ୍ୟ ଭାବି ଯତ୍ନ ନିଅନ୍ତି ଦିଲ୍ଲୀପ ।

ଓହଃ କି ସୁନ୍ଦର ! କେତେ ରଙ୍ଗ ! କେତେ ରୂପ ! ଦେଖିବା ଲୋକର ଆଖି ଲାଖିଯାଏ । ଘର ଆଗଣାରେ ୨୦୦ ପ୍ରକାର ଫୁଲ ଗଛ । କେବଳ ଏତିକି ନୁହେଁ ଘର ଛାତ ଉପରେ ଅଛି ଗେଣ୍ଡୁ , ଡାଲିଆ, ସେବତୀ, ଡାଲିଆ, ଗୋଲାପ ଭଳି ବିଭିନ୍ନ ପ୍ରଜାତିର ୫୦୦ରୁ ଅଧିକ ଫୁଲ କୁଣ୍ଡ । ଫୁଲ ବଗିଚା କରି ନିଜ ପାଇଁ ଏକ ନିଆରା ପରିଚୟ ସୃଷ୍ଟି କରିଛନ୍ତି ଫୁଲବନ୍ଧୁ କେନ୍ଦ୍ରାପଡା ମାର୍ଶାଘାଇର ଦିଲ୍ଲୀପ ସ୍ୱାଇଁ । ୪୦ ବର୍ଷରେ ନିଜ ବଗିଚାରେ ୧୫ଶହ କୁଣ୍ଡରେ ଫୁଲଗଛ ଲଗାଇଛନ୍ତି ଦିଲ୍ଲୀପ । ଆଉ ତାଙ୍କ ବଗିଚାର ସୁନ୍ଦର ଫୁଲ ପାଗଳ କରୁଛି ପ୍ରକୃତି ପ୍ରେମୀଙ୍କୁ ।

ଗ୍ରିନ୍ ହାଉସ ମଧ୍ୟରେ ଅଛି ବିଦେଶରୁ ଆସିଥିବା ଆଷ୍ଟୋନୋମା ୪୨ , ଅର୍କିଟର ୮ ଏବଂ ଏୟାର ହାଙ୍ଗିଙ୍ଗ୍ର ୬୭ ପ୍ରଜାତିର ଫୁଲ ଏବଂ ସୋ’ ଗଛ । ସେହିପରି ବିଗୁନିଆ, ଜିରାନିଅମ୍ , ପିଟୁନିଆ ଏବଂ ଆନ୍ଥିରିୟମ୍ ପରି ୪୨ ପ୍ରକାରର ନୂଆ ଫୁଲ ଗଛ ଲଗାଇଛନ୍ତି ଫୁଲପ୍ରେମୀ ଦିଲ୍ଲୀପ । ବିଭିନ୍ନ ନୁଆ ନୁଆ ପ୍ରଜାତିର ମନିପ୍ଲାଂଟରେ ସଜେଇ ହୋଇଛି ବଗିଚା । ଯାହାକୁ ଦେଖିବା ପାଇଁ ଜିଲ୍ଲା ଏବଂ ଜିଲ୍ଲା ବାହାରୁ ଲୋକଙ୍କ ସୁଅ ଛୁଟେ । ସବୁଠାରୁ ବଡକଥା ହେଲା ଗଛରେ ଫୁଟିଥିବା ଗୋଟିଏ ଗୋଟିଏ ଫୁଲକୁ ନିଜର ପିଲାଙ୍କ ଭଳି ଯତ୍ନ ନିଅନ୍ତି ଦିଲ୍ଲୀପ ।

ଏକ ଘରୋଇ କମ୍ପାନୀରେ କାମ କରୁଥିବା ଦିଲ୍ଲୀପ ଫୁଲ ବଗିଚା ପାଇଁ ୩ ଥର ଜିଲ୍ଲା ସ୍ତରରେ ପୁରସ୍କୃତ ହେବା ସହ ରାଜ୍ୟସ୍ତରରେ ଜଣେ ଫୁଲ ବନ୍ଧୁ ଭାବେ ପରିଚିତ । ରାଜ୍ୟ ଏବଂ ରାଜ୍ୟ ବାହାରେ ଆୟୋଜିତ ଫୁଲ ପଦର୍ଶନୀରେ ସାମିଲ ଫୁଲ ଗଛ ଲଗାଇବା ଶୈଳୀ ଏବଂ ଏହାର ଯତ୍ନ ସଂପର୍କରେ ଲୋକଙ୍କୁ ବୁଝାଇଥାନ୍ତି ଦିଲ୍ଲୀପ ।