ଆସାମରେ ବନ୍ୟା ସ୍ଥିତି ଗମ୍ଭୀର । ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି, ପାଣିଘେରରେ ୫ଶହ ଗାଁ, ଉଦ୍ଧାରକାର୍ଯ୍ୟରେ ସେନା, NDRF ଓ SDRF ।

241

କନକ ବ୍ୟୁରୋ : ଆସାମରେ ବନ୍ୟା ସ୍ଥିତି ଏବେ ଭୟଙ୍କର ରୂପ ନେଇଛି । ରାଜ୍ୟର ପ୍ରାୟ ୫ ଶହ ଗ୍ରାମ ସଂପୂର୍ଣ୍ଣ ପାଣି ଘେରରେ ରହିଥିବା ବେଳେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି । ରାଜ୍ୟର ୩୩ଜିଲ୍ଲାରୁ ୨୧ ଜିଲ୍ଲାରେ ପ୍ରାୟ ୮.୭ ଲକ୍ଷ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ସମସ୍ତ ନଦୀରେ ଜଳସ୍ତର ବିପଦସଙ୍କେତ ଟପି ପ୍ରବାହିତ ହେଉଛି । ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏଏସଡିଏମ୍‌ଏ)ର ଏକ ରିପୋର୍ଟ ଅନୁଯା‌ୟୀ ୨୧ ଜିଲ୍ଲାର ୧୫୫୬ ଗ୍ରାମରେ ୮.୬୯ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି ।

ବନ୍ୟା ହେତୁ ଧେମାଜୀ, ଲକ୍ଷ୍ମୀପୁର, ବିଶ୍ବନାଥ, ସୋନିତପୁର, ଦାରାନ୍ଦ, ବକ୍ସା, ବା‌ରପେଟା, ନଳବରୀ, ଚିରାଙ୍ଗ୍‌, ବେଙ୍ଗାଇଗାଓଁ, କୋକ୍ରାଝର, ମୋରିଗାଓଁ, ହୋଜାଇ, ନାଗାଓଁ, ଗୋଲାଘାଟ, ମଜୁଲି, ଜୋରହାଟ, ଦିବ୍ରୁଗଡ଼, ତିନସୁକିଆ ଏବଂ ଶିବସାଗରର ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି । ୭,୬୦୦ରୁ ଅଧିକ ଲୋକ ଏବେ ଘର ଛାଡ଼ି ୬୮ଟି ଆଶ୍ରୟସ୍ଥଳରେ ରହୁଛନ୍ତି । ବନ୍ୟା ହେତୁ ୨୭,୮୬୪ ହେକ୍ଟର ଚାଷଜମି ମଧ୍ୟ ପ୍ରଭାବିତ ହୋଇଛି । ଗୋଲାଘାଟ ଏବଂ ଦିମା ହାସାଓ ଜିଲ୍ଲାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବୋକାଖାଟ ରେଭିନ୍ୟୁ ସର୍କଲ୍‌ରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଦିମା ହସାଓ ଜିଲ୍ଲାର ହାଫଲଙ୍ଗ୍‌ରେ ଭୂସ୍ଖଳନ ଯୋଗୁଁ ଜଣଙ୍କ ମୃତ୍ୟୁ ହୋଇଛି । ସେନା, ଏନ୍‌ଡିଆରଏଫ୍‌ ଏବଂ ଏସ୍‌ଡିଆରଏଫ୍‌ ପକ୍ଷରୁ ବିଭିନ୍ନ ସ୍ଥାନରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଏଯାବତ୍‌ ରାଜ୍ୟରେ ୧୧୬୦ ଲୋକଙ୍କୁ ବନ୍ୟା ପ୍ରବଣ ଅଞ୍ଚଳରୁ ଉଦ୍ଧାର କରାଯାଇଛି ।