ଉତ୍ତର ଓଡିଶାରେ ଲଗାଣ ବର୍ଷା । ବଢୁଛି ନଦୀ ଜଳସ୍ତର, ବିପଦ ସଙ୍କେତ ଉପରେ ଜଳକା ।

386

କନକ ବ୍ୟୁରୋ : ଉତ୍ତର ଓଡ଼ିଶାରେ ଗତ ୫ ଦିନ ହେବ ବର୍ଷା ଲାଗି ରହିଛି । ଫଳରେ ବିଭିନ୍ନ ନଦୀର ଜଳସ୍ତର ବଢ଼ିଛି । ତେବେ ପ୍ରାୟ ସମସ୍ତ ନଦୀ ଗୁଡ଼ିକର ଜଳସ୍ତର ବିପଦ ସଂକେତ ତଳେ ପ୍ରବାହିତ ହେଉଥିବା ବେ‌ଳେ ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ୍‌ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର କିନ୍ତୁ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବା ଜଣାପଡ଼ିଛି । ନଦୀର ବିପଦ ସଂକେତ ୫.୫ ଥିବା ବେଳେ ଆଜି ସଂଧ୍ୟା ସୁଦ୍ଧା ଏହାର ଜଳସ୍ତର ୬ ମିଟରରେ ପ୍ରବାହିତ ହେଉଛି । ଫଳରେ ମଥାନୀ ପୋଲର ଡାହାଣ ପାର୍ଶ୍ବରେ ଥିବା ଅନେକ ଜମିରେ ପଶିଛି ।

ଯଦି ବର୍ଷା ଲାଗିରହେ, ତେବେ ନଦୀର ଜଳସ୍ତର ବଢ଼ିବା ସହ ବସ୍ତା ଓ ସଦର ବ୍ଲକ୍‌ ଅଧୀନ ୧୦ ପଞ୍ଚାୟତରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବ ବୋଲି ଅନୁମାନ କରାଯାଉଛି । ସେହିପରି ବିଭିନ୍ନ ସ୍ଥାନରେ ମାଟି ଅତଡ଼ା ଖସୁଥିବା ଯୋଗୁ ନଦୀକୂଳବାସୀ ତଥା ଜଳସେଚନ ବିଭାଗ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି । ବିଶେଷ କରି ବାହାର୍ଦା ପଞ୍ଚାୟତ ଶିବଗଡ଼ିଆଠାରେ ପରିସ୍ଥିତି ସଂଗୀନ ରହିଛି ।

ଏନେଇ ବସ୍ତା ଜଳସେଚନ ବିଭାଗର ଯନ୍ତ୍ରୀ ଜୟକୃଷ୍ଣ ବହେରାଙ୍କ ସହ ଯୋଗାଯୋଗ କରିବାରୁ ସେ ବନ୍ୟା ଆଶଙ୍କା କରି ନଦୀର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ବିଭାଗୀୟ କର୍ମଚାରୀଙ୍କୁ ସଜାଗ ରଖାଯାଇଛି । ଏହା ସହିତ ପର୍ଯ୍ୟାପ୍ତ ପରିମାଣରେ ବାଲିବସ୍ତା ମଧ୍ୟ ମହଜୁତ ରହିଛି ବୋଲି କହିଛନ୍ତି । ସେହିପରି ବିଡିଓ କୁମୁମିନା ଦାସଙ୍କ ମତାମତ ନେବାରୁ ସେ ବନ୍ୟା ନେଇ ଭୟଭୀତ ହେବାର କିଛି ନାହିଁ ବୋଲି କହିଛନ୍ତି ।