ବ୍ୟତିବସ୍ତ କଲାଣି ବନ୍ୟା ! କଣାସ, ବାଙ୍କି ଓ ଖୋର୍ଦ୍ଧାରେ ବନ୍ୟାସ୍ଥିତି ସଂଗୀନ, ଜଳବନ୍ଦୀ ଅବସ୍ଥାରେ ଲୋକେ

366

କନକ ବ୍ୟୁରୋ : ବାଙ୍କୀରେ ବି ବନ୍ୟାସ୍ଥିତି ଗମ୍ଭୀର ରହିଛି । ମହାନଦୀର ଜଳସ୍ତର କମିଥିଲେ ବି ୬ଟି ପଂଟାୟତର ୭ଟ ଗାଁ ପାଣିଘେରରେ ରହିଛି । ବିଲିପଡା ପଂଚାୟତ ଅଧିକ କ୍ଷତିଗ୍ରସ୍ତ ହୋଇଛି । ତାଳବସ୍ତ ପଂଚାୟତର ଦୁଇଟି ଗାଁ ଓ ସିମିଳିପୁର ପଂଚାୟତର ଗୋଟିଏ ଗାଁ କ୍ଷତିଗ୍ରସ୍ତ ହୋଇଛି । ପ୍ରଶାସନ ଲୋକଙ୍କ ପାଖରେ ପଂହଚିପାରିନାହିଁ । ସେପଟେ ରାଜୁଅ ନଦୀରେ ବନ୍ୟା ପରେ ଖୋର୍ଧା ଜିଲ୍ଲାରେ ଗୋଟିଏ ମାସରେ ଦ୍ୱିତୀୟ ଥର ପାଇଁ ଆସିଛି ବନ୍ୟା । ଏହି ବନ୍ୟା ପାଇଁ ଖୋର୍ଧାର ଓରବରସିଂ, ନରଣଗଡ ପଂଚାୟତର ୧୫ଟି ଗାଁରେ ପଶିଛି ବନ୍ୟାପାଣି ।

ଦିନକୁ ଦିନ ରାଜୁଅ ନଦୀରେ ବନ୍ୟା ଜଳ ସ୍ତର ବଢୁଥିବାରୁ ଅଂଚଳରେ ବି ବନ୍ୟା ଜଳସ୍ତର ବଢିବାରେ ଲାଗିଛି । ହରିମୂଳ ଗାଁ ଏବେ ସଂପୂର୍ଣ୍ଣ ରୂପେ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି । ଏଠାକୁ ପହଁଚିବାକୁ ଡଙ୍ଗା ହିଁ ଏକମାତ୍ର ଭରସା । ଲୋକେ ନିତ୍ୟ ବ୍ୟବହାର ସାମଗ୍ରୀ ପାଇଁ ଡଙ୍ଗା ଉପରେ ଭରସା କରୁଛନ୍ତି । ସେପଟେ ବନ୍ୟା ପ୍ରଭାବିତ ଅଂଚଳକୁ ମେଡିକାଲ ଟିମ୍ ପହଁଚି ବିପନ୍ନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ଉଦ୍ୟମ ଆରମ୍ଭ କରିଥିବା ଜଣାପଡିଛି । ଏପଟେ ଜଳବନ୍ଦୀରେ ପୁରୀ ଜିଲ୍ଲା କଣାସ ବ୍ଲକର ୪ଟି ଗ୍ରାମ ପଂଚାୟତ ।

ଦୟା ଓ ରାଜୁଅ ନଦୀରେ ବନ୍ୟା ଆସିବା ପରେ ଏହି ସାରା ଅଂଚଳ ଜଳବନ୍ଦୀ ହୋଇଯାଇଛି । ବୁଡି ଯାଇଛି ପୋଲ । ଗାଁ ଦାଣ୍ଡରେ ଲହଡି ମାରୁଛି ବନ୍ୟା ପାଣି । ଘର ଭିତରେ ଆଣ୍ଠୁଏ ପାଣି । ମାସେ ନପୁରୁଣୁ ଏ ହେଉଛି କଣାସ ବ୍ଲକରେ ଦ୍ୱିତୀୟ ବନ୍ୟା । କଣାସ ବ୍ଲକର ୪ଟି ପଂଚାୟତରେ ବନ୍ୟା ପାଣି ପଶିଥିବାରୁ ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଦୋକନ୍ଦା, କେରା ବଡାସ, ଗୋପିନାଥପୁର ପଂଚାୟତର ବିଭିନ୍ନ ଗାଁ ଏବେ ଦୟା ଓ ରାଜୁଆ ନଦୀର ବନ୍ୟା ଜଳରେ ଜଳବନ୍ଦୀ ହୋଇଛି । ଗାଁରେ ଘର ଗୁଡିକରେ ପାଣି ପସିଥିବାବେଳେ ସ୍କୁଲ ଘରେ ବି ପାଣି ପସିଛି । ସବୁଠି ଆଣ୍ଠୁଏ ଉଚ୍ଚରେ ପାଣି ଚାଲୁଛି । କହିବାକୁ ଗଲେ ପୁରା ଅଂଚଳ ଜଳବନ୍ଦୀ ।

ଯୁଆଡେ ଅନେଇଲେ କେବଳ ପାଣି ଆଉ ପାଣି । ବନ୍ୟାରେ ସବୁ ରାସ୍ତା ବୁଡି ଯାଇଥିବାରୁ ପୁରା ଅଂଚଳକୁ ଗମନାଗମନ ପୁରା ଠପ୍ ହୋଇଯାଇଛି । ସେପଟେ ବିପନ୍ନଙ୍କ ନିକଟରେ ପ୍ରଶାସନ ପହଁଚି ନଥିବା ଅଭିଯୋଗ ଆସିଛି । ପାଣିରେ ସବୁ କିଛି ବୁଡିବା ପରେ ବିପନ୍ନଙ୍କ ଭରସା ଏବେ ଶୁଖିଲା ଖାଦ୍ୟ । ଦୟା ଓ ରାଜୁଅ ନଦୀରେ ଜଳସ୍ତର ବଢୁଥିବାରୁ ଲୋକଙ୍କ ଦୁର୍ଦ୍ଦଶା ବି ବଢିବାରେ ଲାଗିଛି । ସେପଟେ ବନ୍ୟା ସ୍ଥିତି ଉପରେ ପ୍ରଶାସନ ନଜର ରଖିଥିବା କହିଛନ୍ତି ତହସିଲଦାର । ପାଣି ଘେରରେ ଥିବା ପଂଚାୟତ ଗୁଡିକ ଉପରେ ଖାସ୍ ନଜର ରହିଛି । ବନ୍ୟା ବିପନ୍ନଙ୍କୁ ସମସ୍ତ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି କଣାସ ବିଡିଓ ।