କଳାହାଣ୍ଡିରେ ବନ୍ୟା ସ୍ଥିତି ଅପରିବର୍ତ୍ତିତ: ସୋନପୁରର ମୁଣ୍ଡାଘାଟ ପୋଲ ଉପରେ ୪ ଫୁଟର ପାଣି, ବୀରମହାରାଜପୁର-ରେଢାଖୋଲ ଯୋଗାଯୋଗ ବିଚ୍ଛିନ୍ନ

ତରଭା ସହରରେ ପଶିଲା ପାଣି

280

କନକ ବ୍ୟୁରୋ: କଳାହାଣ୍ଡିରେ ବନ୍ୟା ପରିସ୍ଥିତି ସଙ୍ଗୀନ । ଗତକାଲି ରାତିଠାରୁ ବର୍ଷା କମିଥିଲେ ମଧ୍ୟ ଏବେ ବି ବନ୍ୟା ଘେରରେ ଅଛନ୍ତି ଲୋକ । ହଜାରର ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇ ତାଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ପଠାଯାଇଛି । ମାଗଣା ରନ୍ଧା ଖାଦ୍ୟ ମଧ୍ୟ ବନ୍ୟା ପୀଡ଼ିତଙ୍କୁ ବଂଟା ଯାଇଛି । ମଦନପୁର ରାମପୁର, କେସିଙ୍ଗା, ନର୍ଲା, ଲାଂଜିଗଡ଼ ମଧ୍ୟରେ ବନ୍ୟାରେ ପ୍ରଭାବିତ ହୋଇଛି । ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି ଏସବୁ ଅଂଚଳ । ଭୁବନେଶ୍ୱରକୁ ଆସୁଥିବା ରାସ୍ତା ମଧ୍ୟ ବିଚ୍ଛିନ୍ନ ହୋଇଯାଇଛି । ରାୟପୁରରୁ -ବହ୍ମପୁର ଯାଉଥିବା ରାସ୍ତା ମଧ୍ୟ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି । କଳାହାଣ୍ଡି ଜିଲ୍ଲାପାଳ ଜି ପରାଗ ହସତ ବନ୍ୟାସ୍ଥିତି ସମୀକ୍ଷା କରୁଛନ୍ତି । ବନ୍ୟା ପାଇଁ ଅନେକ ସ୍ଥାନରେ ଘରଦ୍ୱାର ମଧ୍ୟ ଭାଙ୍ଗିପଡ଼ିଛି । ଚାଷଜମିରେ ମଧ୍ୟ ବନ୍ୟା ପାଣି ମାଡ଼ି ଯାଇ ଅନେକ କ୍ଷତିଗ୍ରସ୍ତ ହୋଇଛି ।

ସେପଟେ, ସୋନପୁରର ଏକ ପୋଲ ଉପରେ ୪ ଫୁଟର ବନ୍ୟା ପାଣି । ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବିରମହାରାଜପୁରର ମୁଣ୍ଡଘାଟରେ ବନ୍ୟାସ୍ଥିତି ସଙ୍ଗୀନ ହୋଇଛି । ବନ୍ୟାପାଣି ପାଇଁ ସୋନପୁର ବିରମହାରାଜପୁର ଯୋଗଯୋଗ ବିଚ୍ଛିନ୍ନ ହୋଇଛି । ସେହିପରି ତରଭା ସହର ଭିତରକୁ ମଧ୍ୟ ପସିଛି ବନ୍ୟାପାଣି । ତେଲନଦୀ ଓ ନିବୃତି ଯୋରର ପାଣି ପଶି ବ୍ୟାପକ କ୍ଷୟକ୍ଷତି ହୋଇଛି । ଜିଲ୍ଲା ପ୍ରଶାସନ ଓ ଅଗ୍ନିଶ୍ରମ ବିଭାଗ ପକ୍ଷରୁ ଉଦ୍ଧା କାର୍ଯ୍ୟ ଜାରି ରହିଛି ।
ସେହିଭଳି ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ବେହାଲ ହୋଇପଡିଛି କନ୍ଧମାଳ ଜିଲ୍ଲା । ବିଶେଷକରି ବାଲିଗୁଡା ଅଂଚଳର ଅବସ୍ଥା ସଙ୍ଗୀନ ହୋଇପଡିଛି । ପ୍ରବଳ ବର୍ଷା ଯୋଗୁଁ ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି । ୫୯ ନମ୍ବର ଜାତୀୟ ରାଜପଥରେ ଯୋଗାଯୋଗ ବିଚ୍ଛିନ୍ନ । ଏହି ରାଜପଥ ଗୋପାଳପୁର ଓ ରାୟପୁରକୁ ସଂଯୋଗ କରୁଛି । ଏହି ରାସ୍ତା ବର୍ତମାନ ବିଚ୍ଛିନ୍ନ ରହିଛି । ଏହି ରାସ୍ତାରେ ଯୋଗାଯୋଗ ସମ୍ଭବ ହୋଇପାରୁନି । କନ୍ଧମାଳ ଜିଲ୍ଲାର ବାଲିଗୁଡା ବ୍ଲକ ଅନ୍ତର୍ଗତ ବାକତାଗୁଡା ଗ୍ରାମର କଲଭର୍ଟ ଧୋଇଯାଇଛି ।

ଯାହା ଫଳରେ ରାୟଗଡା, କୋରାପୁଟ,ନବରଙ୍ଗପୁର,ମାଲକାନଗିରି, କଳାହାଣ୍ଡିକୁ ଯୋଗାଯୋଗ ବିଚ୍ଛିନ୍ନ ରହିଛି । ପଡୋଶୀ ଛତିଶଗଡକୁ ମଧ୍ୟ ଯୋଗାଯୋଗ ବିଚ୍ଛିନ୍ନ ରହିଛି । ରାସ୍ତାର ଦୁଇ ପାଶ୍ୱର୍ରେ ଶତାଧିକ ଗାଡି ଅଟକି ରହିଛି । କନ୍ଧମାଳ ଜିଲ୍ଲାରେ ୧୨୪୦ ମିଲିମିଟର ବର୍ଷା ରେକର୍ଡ ହୋଇଛି । ତେବେ ସର୍ବାଧିକ ବାଲିଗୁଡାରେ ୩୨୦ ମିଲିମିଟର ବର୍ଷା ହୋଇଛି । ସେପଟେ କନ୍ଧମାଳ ଜିଲ୍ଲାରେ ୧୦୬ଟି ଘର ଭାଙ୍ଗିଥିବା ନେଇ ସୂଚନା ଥିବା ବେଳେ ୪ଟି ଘର ସମ୍ପୁର୍ଣ୍ଣ ଧ୍ୱସ୍ତ ହୋଇଯାଇଛି । ତେବେ କେତେ ଏକର ଜମିରେ ବାଲିଚରିଯାଇଛି ସେନେଇ କିଛି ନିର୍ଦ୍ଦିଷ୍ଟ ସୂଚନା ମିଳିନାହିଁ ।

ବୈଦ୍ଧ ଜିଲ୍ଲା ବି ସମାନ ଅବସ୍ଥା । ୨ଦିନ ଧରି ଲଗାଣ ବର୍ଷା ଫଳରେ ବୌଦ୍ଧ ଜିଲ୍ଲାର କଂଟାମାଳ ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତେଲ ଓ ଖଡଙ୍ଗ ନଦୀ ଉଛୁଳିବାରୁ ଅନେକ ଗାଁରେ ପାଣି ପଶିଯାଇଛି । କଂଟାମାଳ-ମନମୁଣ୍ଡା ରାସ୍ତାର ଅଡାଗୌଡା ପୋଲ ଉପରେ ୫ଫୁଟର ପାଣି ଚାଲିଥିବା ବେଳେ କଂଟାମାଳ-ବାଲିଗୁଡା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ମାଣ୍ଡିଆଜୋର ପୋଲ ଉପରେ ୬ଫୁଟ ଉଚ୍ଚ ପାଣି ପ୍ରବାହିତ ହେଉଛି । କଂଟାମାଳ ବ୍ଲକର ୮ଟି ପଂଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଖମାନମୁଣ୍ଡା ପଂଚାୟତର ଦେଓ ଗାଁ ଏବଂ ଗମ୍ଭାରୀପଦର ଗାଁ ପାଣିଘେରରେ ରହିଛି । ବହୁ ଚାଷଜମି ଏବେ ଜଳମଗ୍ନ ହୋଇରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଜଳବନ୍ଦୀ ଅବସ୍ଥାରେ ଥିବା ଲୋକମାନେ ସହାୟତା ଅପେକ୍ଷାରେ ରହିଛନ୍ତି ।

ସେପଟେ ସୂଚନା ଅନୁସାରେ ବଲାଙ୍ଗିର, ବୌ÷÷ଦ୍ଧ, କଳାହାଣ୍ଡି, ସୋନପୁର, କନ୍ଧମାଳ ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଛି । କର୍ଲାମୁଣ୍ଡା ବ୍ଲକରେ ସର୍ବାଧିକ ୬୦୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ବର୍ଷା ଓ ସମ୍ଭାବ୍ୟ ବନ୍ୟା ନେଇ ସ୍ୱତନ୍ତ୍ର ରିଲିଫ କମିଶନର ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ୭ ଜିଲ୍ଲାର ୧୯ଟି ବ୍ଲକ ଓ ୧୩୪ଟି ଗାଁ ପ୍ରଭାବିତ ହୋଇଛି । ସେହିପରି ୨ଟି ବ୍ଲକରେ ୪୦୦ରୁ ଅଧିକ ମିଲିମିଟର ବର୍ଷା, ୪ଟି ବ୍ଲକରେ ୩୦୦ରୁ୪୦୦ ମିଲିମିଟର ବର୍ଷା, ୪୦ଟି ବ୍ଲକରେ ୧୦୦ରୁ ୨୦୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ବଲାଙ୍ଗିରକୁ ଏନଡିଆରଏଫ ଟିମ ପଠାଇବାକୁ ନିଷ୍ପତି ହୋଇଥିବା ବେଳେ ୧୧୫ଟି ସ୍ଥାନରେ ବନ୍ୟା ପୀଡିତ ଲୋକଙ୍କୁ ମାଗଣାରେ ଖାଦ୍ୟ ଦିଆଯାଇଛି ।