ପାଣି କମୁଥିଲେ ବି ଟଳିନି ବିପଦ । ବୈତରଣୀ ଓ ଗୋବରୀ ନଦୀରେ ଘାଇ । ପାଣି ଘେରରେ ଶତାଧିକ ପରିବାର, ବୁଡିଛି ହଜାର ହଜାର ଏକର ଚାଷ ଜମି

29

କନକ ବ୍ୟୁରୋ: ଲଗାଣ ବର୍ଷା ପରେ କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଓ ଆଳି ବ୍ଲକରେ ଏବେ ବନ୍ୟା ପରିସ୍ଥିତି ଉଦବେଗ ଜନକ ହୋଇପଡିଛି । ବୈତରଣିରେ ବନ୍ୟା ଜଳ ଆସି ରାଜକନିକା ଓ ଆଳି ବ୍ଲକର ୧୮ ଟି ପଂଚାୟତର ଲୋକ ଜଳବନ୍ଦୀ ହୋଇଛନ୍ତି । ରାଜକନିକା ବ୍ଲକର ୮ଟି ପଞ୍ଚାୟତ ପାଣି ଘେରରେ ରହିଥିବା ବେଳେ ଆଳି ବ୍ଲକରେ ଧୋୟା ଅଞ୍ଚଳର ୧୦ଟି ପଞ୍ଚାୟତ ପାଣି ଘେରରେ ରହିଛି । ହଜାର ହଜାର ହେକ୍ଟର ଚାଷଜମିରେ ମାଡି ରହିଛି ବନ୍ୟାଜଳ ।

ରାଜକନିକା ବ୍ଲକର ବାରାଦୁମଣ୍ଡ ପଞ୍ଚାୟତ ,ପ୍ରଧନପଡା ,ଚରପଡା ,ପଣସଗଣ୍ଡ ପଞ୍ଚୟତ ବିଷେଷ ଭାବରେ ପ୍ରଭାବିତ ହୋଇଛି । ଏହି ୫ଟି ପଞ୍ଚାୟତ ବାହ୍ୟଜଗତରୁ ବିଛିନ୍ନ ହୋଇ ରହିଛି । ଗାଁ ଭିତରେ ଅଂଟାଏ ଉଚ୍ଚର ପାରି ଚାଳିଛି । ତିନିଦିନ ହେଲାଣି ଲୋକେ ଠିକ ଭାବରେ ଖାଇନାହଁନ୍ତି । ପିଇବା ପାଇଁ ପାଣି ନାହିଁ । ତାସାଙ୍ଗକୁ ଲୋକଙ୍କୁ ଘାରିଛି କୁମ୍ଭିର ଓ ସାପ ଭୟ । ଗତକାଲି ଜିଲ୍ଲାପାଳ ବନ୍ୟାଂଚଳ ବୁଲି ଦେଖିବା ସହ ଲୋକଙ୍କ ସୁରକ୍ଷା ପାଇଁ ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି । କାନପୁର ରାସ୍ତାରେ ଦୁଇଟି ୨୫ ଫୁଟର ଘାଇ ହୋଇସାରିଛି । ରାତିର ପାଣି ଅଧିକ ହେବ ବୋଲି ଲୋକମାନେ ଅତଙ୍କିତ ଅଛନ୍ତି ।

ବୈତରଣୀ ନଦୀରେ ବନ୍ୟା ଜଳସ୍ତର କମିଛି । ବିପଦ ସଂକେତର ଯଥେଷ୍ଟ ତଳେ ପ୍ରବାହିତ ହେଉଛି ବନ୍ୟା ଜଳ । ହେଲେ ଟଳିନି ବିପଦ । ଏବେ ବି ଭଣ୍ଡାରୀ ପୋଖାରୀ , ତିହିଡି ଓ ଭଦ୍ରକ ସଦର ବ୍ଲକରେ ବିଭିନ୍ନ ଗାଁ ବୈତରଣୀ ନଈର ବନ୍ୟା ପାଣିରେ ଜଳବନ୍ଦୀ ହୋଇଛି । ଏହି ୪ଟି ବ୍ଲକର ଶହେରୁ ଅଧିକ ପଂଚାୟତ ପାଣି ଘେରରେ ରହିଛି । ଭଦ୍ରକର ଚାନ୍ଦବାଲିରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

ଆରଡି, ସୁନ୍ଦରପୁର, ନାନ୍ଦପୁର ଏବଂ ଓଗଳି ପଂଚାୟତର ହଜାର ହଜାର ଲୋକ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛନ୍ତି । ଅନେକ ଗାଁରେ ବନ୍ୟା ପାଣି ପଶିଥିବାରୁ ଲୋକେ ଜଳବନ୍ଦୀ ଘେରରେ ରହିଛନ୍ତି । ତେବେ ବନ୍ୟା ପ୍ରଭାବିତଙ୍କ ପାଇଁ ରନ୍ଧା ଖାଦ୍ୟର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ସେପଟେ ବନ୍ୟା ଜଳ ପଶିଥିବା ଗାଁ ଗୁଡିକର ଦୁର୍ଦଶା ବଢ଼ିଛି । ବିଷଧର ସାପ ଓ ସଂକ୍ରାମକ ରୋଗ ବ୍ୟାପିବାର ଭୟ ଦେଖାଦେଇଛି । ଏହା ସହିତ ହଜାର ହଜାର ହେକ୍ଟର ଧାନ ଫସଲ ନଷ୍ଟ ହୋଇଛି ।