ଉଛୁଳୁଛି ମହାନଦୀ । ବାଙ୍କୀରେ ଘରେ ପଶିଲା ପାଣି, ଦୟାନଦୀରେ ଜଳସ୍ତର ବଢ଼ି ପୁରୀ କଣାସର ବିଭିନ୍ନ ଗାଁରେ ପଶିଲା ପାଣି: ରାଜୁଆ ନଦୀରେ ବନ୍ୟା ବି ବନ୍ୟା

763

କନକ ବ୍ୟୁରୋ : ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବିଶେଷକରି ବାଙ୍କି ଅଂଚଳର ବିଭିନ୍ନ ଗାଁରେ ମହାନଦୀର ବନ୍ୟା ପାଣି ପ୍ରବାହିତ ହେଉଛି । ବନ୍ୟା ଜଳ ଆସିବା ଫଳରେ ବାଙ୍କିରେ ସ୍ଥିତି ସଙ୍ଗୀନ ହୋଇଛି । ବାଙ୍କିର ବିଭିନ୍ନ ଗାଁରେ ପାଣି ପଶିଯାଇଛି । ଗାଁ ଦାଣ୍ଡରେ ୩ଫୁଟ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ୬ଟି ପଂଚାୟତର ୧୫ଟି ଗାଁ ଏବେ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି । ଏପରିକି ତଳିଆ ଅଂଚଳରେ ଥିବା ବହୁ ଘର ଭିତରେ ପାଣି ପଶିଯାଇଛି । ବନ୍ୟା ପାଣି ମାଡୁଥିବାରୁ ଲୋକମାନେ ଭୟରେ ନିଜର ଅତ୍ୟାବଶ୍ୟକୀୟ ଜିନିଷ ଧରି ସୁରକ୍ଷିତ ସ୍ଥାନକୁ ଚାଲିଯାଉଥିବା ଦେଖିବାକୁ ମିଳିଛି ।

ତେବେ ପାଣି ପଶିଥିବା ବିଭିନ୍ନ ଗାଁରେ ପ୍ରଶାସନ ନପହଁଚି ଥିବାରୁ ଏହାକୁ ନେଇ ପ୍ରଭାବିତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । କେବଳ ବାଙ୍କି ନୁହେଁ ବରଂ ପୁରୀ ଜିଲ୍ଲାର କଣାସ ବ୍ଲକରେ ମଧ୍ୟ ବନ୍ୟାସ୍ଥିତି ଉପୁଜିଛି । ଏଠି ଦୟାନଦୀରେ ଜଳସ୍ତର ବଢ଼ିବା ଯୋଗୁଁ ବିଭିନ୍ନ ଗାଁରେ ବନ୍ୟା ଜଳ ପଶି ଯାଇଛି । ରାଜୁଆ ନଦୀରେ ବନ୍ୟା ଆସି ଖୋର୍ଦ୍ଧାର ବିଭିନ୍ନ ଗାଁରେ ପ୍ରବାହିତ ହେଉଛି । ଖୋର୍ଦ୍ଧାରେ ବି ବନ୍ୟା । ରାଜୁଆ ନଦୀରେ ବନ୍ୟା ଜଳ ଆସି ଖୋର୍ଦ୍ଧାରେ ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଖୋର୍ଦ୍ଧାର ଓରବରସିଂ,ନରଣଗଡ ପଂଚାୟତର ୧୫ଟି ଗାଁରେ ବନ୍ୟା ପାଣି ପଶିଯାଇଛି ।

ରାତି ଅଧରେ ବନ୍ୟା ଜଳ ମାଡି ଆସି ଘର ଭିତରେ ପାଣି ପଶି ଯାଇଛି । ଘର ଭିତରେ ଲହଡି ଭାଙ୍ଗୁଛି ଅଂଟାଏ ବନ୍ୟା ପାଣି । କେତେକ ସ୍ଥାନରେ ଘର ମଧ୍ୟ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେପଟେ ଫୁଲୁଛି ଦୟାନଦୀ । ଦୟାନଦୀର ଜଳସ୍ତର ବଢ଼ିବା ଫଳରେ କଣାସ ବ୍ଲକର ବିଭିନ୍ନ ଗାଁରେ ପାଣି ପଶି ଯାଇଛି । ଗାଁ ଦାଣ୍ଡରେ ପ୍ରବାହିତ ହେଉଛି ଆଣଣ୍ଠୁଏ ଉଚ୍ଚର ବନ୍ୟା ପାଣି । ଦୋକନ୍ଦା, ତରବଡା, ବାଲିପାଟଣା, କକ୍ଷାରୁବସ୍ତ, ବଡାସ,ସବଳଙ୍ଗ ଓ ବୈଦନାଥପାଟଣା, ଜାଗୁଳାଇପଦର ଗାଁ ଜଳବନ୍ଦୀ ହୋଇ ରହିଛି ।