ମହାନଦୀରେ ବନ୍ୟା ଆଶଙ୍କା ନେଇ ସୂଚନା ଦେଲେ ସରକାର: ଏସଆରସି କହିଲେ, ସାମାନ୍ୟ ଅଛି ବନ୍ୟା ପରିସ୍ଥିତି, ୧୧ଟି ଜିଲ୍ଲାକୁ ସତର୍କ ରହିବାକୁ ନିର୍ଦ୍ଦେଶ

38

କନକ ବ୍ୟୁରୋ: ମହାନଦୀରେ ବନ୍ୟା ଆଶଙ୍କା ସୂଚନା ଦେଲେ ସରକାର । ବନ୍ୟା ପରିସ୍ଥିତି ସାମାନ୍ୟ ଥିବା ଡେପୁଟି ଏସଆରସି କହିଛନ୍ତି । ମହାନଦୀରେ ଜଳଧାରଣା କ୍ଷମତା ୮ ଲକ୍ଷ କ୍ୟୁସେକରୁ ଅଧିକ ହୋଇଥିବାରୁ କ୍ଷୟକ୍ଷତି ହେବାର ସମ୍ଭାବନା ନାହିଁ ବୋଲି କହିଛନ୍ତି । ମହାନଦୀ କୂଳିଆ ୧୧ଟି ଜିଲ୍ଲାକୁ ସତର୍କ କରାଇଛନ୍ତି ସରକାର । ବାତ୍ୟା ଆଶ୍ରୟ ସ୍ଥଳୀକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।ସ।ଳନ୍ଦୀରେ ସାମାନ୍ୟ ବନ୍ୟା ପରିସ୍ଥିତି ହୋଇଛି, କିନ୍ତୁ କ୍ଷୟକ୍ଷତି ହେବାର ଆଶଙ୍କା ନାହିଁ ବୋଲି ଡେପୁଟି ଏସଆରସି କହିଛନ୍ତି ।

ସେପଟେ, ମହାନଦୀରେ ମାଡି ଆସୁଛି ବନ୍ୟା ପାଣି । ହୀରାକୁଦ ଜଳଭଣ୍ଡାରରୁ ୨୫ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ବର୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୧ ଦଶମିକ୍ ପାଂଚ ଆଠ ଫୁଟ୍ । ଜଳଭଣ୍ଡାର ଭିତରକୁ ପ୍ରତି ସେକେଣ୍ଡରେ ୪ ଲକ୍ଷ ୧୯ହଜାର ୧୫୦କ୍ୟୁସେକ୍ ଜଳ ପ୍ରବେଶ କରୁଛି । ଜଳଭଣ୍ଡାରରୁ ୪ ଲକ୍ଷ ୮ହଜାର ୧୦୩ କ୍ୟୁସେକ୍ ନିଷ୍କାସିତ ହେଉଛି । ଖଇରମାଲ ନିକଟରେ ୭ଲକ୍ଷ ୬୬ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି ।

ବରମୂଳରେ ୪ଲକ୍ଷ ୫୮ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ସେହିପରି ମୁଣ୍ଡଳି ବ୍ୟାରେଜରେ ୬ଲକ୍ଷ ୨୫ହଜାର ୯୭୫ କ୍ୟୁସେକ ଜଳ ପ୍ରବାହିତ ହେଉଛି । ହୀରାକୁଦ ଡ୍ୟାମ୍ରୁ ନିଷ୍କାସିତ ହେଉଥିବା ଜଳ ଆସନ୍ତାକାଲି ସକାଳ ସୁଦ୍ଧା ମୁଣ୍ଡଳିରେ ପହଁଚିବ । ଏହି ପାଣି ପହଁଚିଲେ ମହାନଦୀର ତଳମୁଣ୍ଡରେ ଥିବା ଶହ ଶହ ଗ୍ରାମ ଜଳମଗ୍ନ ହେବାର ଆଶଙ୍କା ସୃ୍ଷ୍ଟି ହୋଇଛି ।