କମିଲା ବର୍ଷା, ବଢ଼ିଲା ଦୁର୍ଦ୍ଦଶା । ଏବେ ବି ଘରେ ଜମିଛି ନାଳନର୍ଦ୍ଦମାର ଅଳିଆ ଆବର୍ଜନା । ଛାଡିନି ବନ୍ୟା, ପାଣି ଘେରରେ ଲୋକେ ।

275

କନକ ବ୍ୟୁରୋ : ବଲାଙ୍ଗୀର ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର ଆସିଛି । ସହର ଭିତରେ ଜମି ରହିଥିବା ପାଣି କମିଛି । କିନ୍ତୁ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଛି । ଘର ଭିତରେ ଜମି ରହିଛି ନାଳ-ନର୍ଦ୍ଦମାର ଅଳିଆ-ଆବର୍ଜନା । ଘରେ ଥିବା ଆସବାବପତ୍ର ସବୁ, ବନ୍ୟା ପାଣିରେ ନଷ୍ଟ ହୋଇଯାଇଛି । ଆଉ ଏସବୁ ଭିତରେ ବୋଝ ଉପରେ ନଳିତା ବିଡ଼ା ହୋଇ ସାମ୍ନାକୁ ଆସିଛି ବର୍ଷା । ସେପଟେ ସୋନପୁର ଓ ବୌଦ୍ଧ ଜିଲ୍ଲାରେ ବନ୍ୟା ପରିସ୍ଥିତି ସଂଗୀନ ହେବାରେ ଲାଗିଛି । ମହାନଦୀ, ତେଲନଦୀ ଉଛୁଳୁଥିବା ବେଳେ ଜନବସତି ଆଡକୁ ମାଡ଼ି ଆସିଛି ବନ୍ୟାପାଣି ।

ପାଣିରେ ବୁଡି ଯାଉଥିବା ଏହି ହନୁମାନ ମନ୍ଦିର ହିଁ ସୂଚାଉଛି ବୌଦ୍ଧ ସହରରେ କେଉଁ ଭଳି ରହିଛି ବନ୍ୟା ସ୍ଥିତି । ସତେ ଯେମିତି ବୌଦ୍ଧକୁ ବୁଡ଼ାଇ ଦେଇଛି ବନ୍ୟାଜଳ । ଯୁଆଡେ ଚାହିଁଲେ ପାଣି ଆଉ ପାଣି । ଆଉ ଗ୍ରାମାଂଚଳର ଚିତ୍ର ଆହୁରି ସଂଗୀନ୍ । କେଉଁଠି ବାଉଁଶ ଭେଳାରେ ମଣିଷ ସୁରକ୍ଷିତ ସ୍ଥାନକୁ ଯାଉଛି, ତ ଆଉ କେଉଁଠି ଜୀବନ ବଂଚାଇବାର ମାଧ୍ୟମ ପାଲଟିଛି କାଠଡଙ୍ଗା ।

ବୌଦ୍ଧ ଜିଲ୍ଲା କଂଟାମାଳ ବ୍ଲକରେ ପ୍ରାୟ ୨୦ଟି ଘର ସଂପୂର୍ଣ୍ଣ ପାଣି ଘେରରେ ରହିଛି । ୨୦ ହଜାର ଲୋକଙ୍କୁ ତଳିଆ ଅଂଚଳରୁ ସ୍ଥାନାନ୍ତର କରାଯାଇଛି । ବନ୍ୟା ପୀଡ଼ିତଙ୍କ ପାଇଁ ୨୨ଟି ଆଶ୍ରୟସ୍ଥଳୀର ବ୍ୟବସ୍ଥା କରାଯାଇଛି । ମହାନଦୀ, ତେଲନଦୀ, ଖଡଙ୍ଗନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି ।

ମନମୁଣ୍ଡା-କଂଟାମାଳ ୪୧ ନମ୍ବର ରାଜ୍ୟ ରାଜପଥ ଉପରେ ପାଣି ଚାଲୁଛି । ବୌଦ୍ଧ-କନ୍ଧମାଳ ବାଲିଗୁଡ଼ାକୁ ଯୋଗାଯୋଗ ବିଚ୍ଛନ୍ନ ରହିଛି । ସମଲେଶ୍ୱରୀ ନାଳ ଉପରେ ପାଣି ପ୍ରଭାବିତ ହେବାରୁ ଯୋଗାଯୋଗ ପ୍ରଭାବିତ ହୋଇଛି ।

ଏପଟେ ବଲାଙ୍ଗୀର ସହରରେ ପାଣି କମିଛି ସତ, କିନ୍ତୁ ସମସ୍ୟା ଆହୁରି ଜଟିଳ ହୋଇ ପଡ଼ିଛି । ଘର ଭିତରକୁ ପଶି ଆସିଛି ନାଳନର୍ଦ୍ଦମାର କୁଢ଼କୁଢ଼ ଅଳିଆ । ଏଣେତେଣେ ବିଛେଇ ହୋଇ ପଡ଼ି ରହିଛି ଘରର ଆସବାବପତ୍ର । ଘରେ କେଉଁ ଅଳ୍ପ କିଛି ରାସନ୍ ସାମଗ୍ରୀ ଥିଲା ତାହା ବନ୍ୟା ପାଣିରେ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏଭଳି ସ୍ଥିତିରେ ରିଲିଫ୍ ଉପରେ ଭରସା କରି ରହିଛନ୍ତି ବଲାଙ୍ଗୀର ସହରର ବନ୍ୟା ପ୍ରଭାବିତ ।

ବଲାଙ୍ଗୀର ସହର ବରପାଲିପଡ଼ା ଓ ବ୍ରାହ୍ମଣପଡ଼ା ମଝି ଦେଇ ଯାଇଥିବା ଲକ୍ଷ୍ମୀଜୋର୍ ସ୍ଥାନୀୟ ଅଂଚଳରେ ଏକ ବଡ ଧରଣର କ୍ଷତି ଘଟିଛି । ବନ୍ୟାପାଣିର ମାଡ଼ରେ ଭାଙ୍ଗି ଯାଇଛି ଅନେକ ଘର । ଆଉ ଉଜୁଡାଘରକୁ ସଜାଡିବାରେ ଲାଗିଛନ୍ତି ଲୋକ । ସେପଟେ ସୋନପୁର ଜିଲ୍ଲାରେ ଏବେ ବି ବନ୍ୟା ପରିସ୍ଥିତିରେ ସୁଧାର ଆସିନାହିଁ । ଜିଲ୍ଲାର ତରଭା, ଖାରୀ ଏବଂ ବୀରମହାରାଜପୁର ଅଂଚଳରେ ନଦୀ ଓ ନାଳ ସବୁ ଫୁଲି ରହିଥିବାବେଳେ ପାଣି ଭିତରେ ବୁଡି ରହିଛି ଶହ ଶହ ଏକର ଚାଷଜମି ।