ଅଳସ ଭାଙ୍ଗୁଛି ‘ଅଳସୀ’ ଫୁଲ…କୋରାପୁଟରେ ଅଳସି ଫୁଲର ସୌନ୍ଦର୍ଯ୍ୟ କିଣୁଛି ମନ…ପର୍ଯ୍ୟଟକଙ୍କ ପାଇଁ ପାଲଟିଛି ଆକର୍ଷଣ

ଫୁଲ କ୍ଷେତରେ ସେଲ୍ଫି ନେବାର ମଜା ଉଠାଉଛନ୍ତି ପର୍ଯ୍ୟଟକ

473

କନକ ବ୍ୟୁରୋ: ଅଳସ ଭାଙ୍ଗୁଛି ଅଳସି ଫୁଲ । ସତେ ଯେମିତି ଲାଗୁଛି ପ୍ରକୃତି ରାଣୀ ସୁନାର ଓଢ଼ଣୀ ମେଲି ବସିଛି । କୋରାଫୁଟରେ ଏବେ ମେଲିଛି ଅଳସି ଫଲର ସମ୍ଭାର, ଆଉ ପାଲଟିଛି ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ।

ଧରଣୀ ଉପରେ ଧଳା ଚାଦର । କୁହୁଡ଼ିର କଅଁଳ ଛୁଁଆରେ ମୋତି ଭଳି ଚକ୍ ଚକ୍ କାକର ବିନ୍ଦୁ । ଆଉ ଏହାରି ଭିତରେ ନୀଳ ଆକଶ ଚିରି, କୋରାପୁଟ ମାଟିକୁ ସ୍ପର୍ଶ କରୁଥିବା ଏହି ସୁନେଲୀ ସୁରୁଜ । ଆଉ ଅଳସ ଭାଙ୍ଗୁଥିବା ଅଳସୀ ଫୁଲ । ସତେ ଯେମିତି ଲାଗୁଛି ପ୍ରକୃତି ରାଣୀ ସୁନାର ଓଢ଼ଣୀ ମେଲି ବସିଛି । ତା ସାଙ୍ଗକୁ ଶୀତୁଆ ପବନରେ ଫୁଲର ମହକ । ବାସ୍, ଏତିକି ହିଁ ଯଥେଷ୍ଟ, କୋରାପୁଟରୁ ଘେରାଏ ବୁଲି ଆସିବା ପାଇଁ ।

କୋରାପୁଟ, ଓଡ଼ିଶାର କାଶ୍ମୀର । ସତରେ ଯିଏ କହିଛି, ଭୁଲ କହିନି । ସହର, ନଗର ଓ ସାଗରଠୁ ବେଶ ଦୁରରେ, ହେଲେ ପ୍ରକୃତିର ଅତି ନିକଟରେ । ଏଭଳି ଏକ ମୌକାକୁ କିଏ ବା ହାତଛଡ଼ା କରିବ । କିଏ ମୋବାଇଲ କ୍ୟାମେରାରେ କଏଦ କରୁଛି, ତ ଆଉ କିଏ ଭାବନାର ରାଇଜରେ ଘର ତୋଳୁଛି । ପ୍ରକୃତିର ଏହି ମନୋରମ ଦୃଶ୍ୟ ହିଁ ତ’ କୋରାପୁଟର କରିସ୍ମା । ହୁଏତ, ହାତ ଠାରି ଡାକୁଛି କୋରାପୁଟ । କହୁଛି-ଆସନ୍ତୁ ନା’ ଘେରାଏ ବୁଲି ଯାଆନ୍ତୁ ।