ସୁନ୍ଦରଗଡ଼ରେ ଜିଲ୍ଲା ମୁଖ୍ୟ ଚକିତ୍ସାଳୟ ବୁଲି ଦେଖିଲେ ‘ଫାଇଭ୍-ଟି’ ସଚିବ, କିଭଳି ମିଳୁଛି ସେବା ସେନେଇ ରୋଗୀଙ୍କ ସହ କଲେ ଅଲୋଚନା

464

କନକ ବ୍ୟୁରୋ: ସୁନ୍ଦରଗଡରେ ଫାଇଭ୍ ଟି ସଚିବ ଭି.କେ ପାଣ୍ଡିଆନ୍ । ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚକିତ୍ସାଳୟ ବୁଲି ଦେଖିଲେ ପାଣ୍ଡିଆନ୍ । ଡାକ୍ତରଖାନାର ମାତୃ ଓ ଶିଶୁ ବିକାଶ କେନ୍ଦ୍ର ବୁଲିବା ସହ ବିଭିନ୍ନ ୱାର୍ଡର ପରିଦର୍ଶନ କରିଛନ୍ତି ପାଣ୍ଡିଆନ୍ । ଏହାସହ ଡାକ୍ତରଖାନାରେ କିଭଳି ସେବା ମିଳୁଛି ସେନେଇ ରୋଗୀଙ୍କ ସହ ଆଲୋଚନା କରିଛନ୍ତି ‘ଫାଇଭ୍ ଟି’ ସଚିବ । ତେବେ ପାଣ୍ଡିଆନଙ୍କ ସହ ରାଜ୍ୟ ଉନ୍ନୟନ କମିଶନର ସୁରେଶ ମହାପାତ୍ର ମଧ୍ୟ ଜିଲ୍ଲା ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି ।

ଅନ୍ୟପଟେ ପାଣ୍ଡିଆନଙ୍କ ଗସ୍ତ ପୂର୍ବରୁ ଦୀର୍ଘ ବର୍ଷ ଧରି ଅବ୍ୟବସ୍ଥାରେ ପଡିଥିବା ସୁନ୍ଦରଗଡ ଜିଲ୍ଲା ଡାକ୍ତରଖାନା ସତେ ଯେମିତି ନିଦରୁ ଉଠିଛି । ‘ଫାଇଭ୍ ଟି’ ସଚିବଙ୍କ ଗସ୍ତକୁ ନଜରରେ ରଖି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ରାତି ଦିନ ଏକ କରି ହସ୍ପିଟାଲର ରୂପ ରେଖ ବଦଳାଇବାକୁ ଉଦ୍ୟମ କରିଛନ୍ତି । ତେବେ ଗତ ୧୧ ତାରିଖ ଦିନ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ ଆଉ ଆହାର କେନ୍ଦ୍ରରେ ୫ ଟଙ୍କିଆ ଭାତ ଡାଲମା ଖାଇ ଖାଦ୍ୟର ଗୁଣବତା ମାନ ଯାଞ୍ଚ କରିଥିଲେ ପାଣ୍ଡିଆନ୍ । ତେବେ ସବୁଠାରୁ ବଡ଼ କଥା ହେଲା ଜଣେ ସାଧାରଣ ଲୋକ ପରି ଖାଇବା ପାଇଁ ଧାଡ଼ିରେ ମଧ୍ୟ ଛିଡ଼ା ହୋଇଥିଲେ  ପାଣ୍ଡିଆନ୍ । କେବଳ ୫ଟି ସଚିବ ନୁହଁନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ମଧ୍ୟ ଆହାର କେନ୍ଦ୍ରରେ ଛିଡ଼ା ହୋଇ ଆହାର ଖାଇଥିଲେ ।

ଗାନ୍ଧୀ ଜୟନ୍ତୀରୁ ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ ହେବାରେ ସରକାରୀ ସ୍ତରରେ ତତ୍ପରତା ଦେଖାଦେଇଛି । ଗତ ୪ରୁ ୫ ଦିନ ହେବ ଜିଲ୍ଲାରୁ ଜିଲ୍ଲା ବୁଲୁଛନ୍ତି ‘ଫାଇଭ୍ ଟି’ ସଚିବ ପାଣ୍ଡିଆନ୍ । ଜିଲ୍ଳାରୁ ଜିଲ୍ଳା ହସ୍ପିଟାଲ, ଥାନା ବୁଲି ସ୍ଥିତି ସମୀକ୍ଷା କରୁଛନ୍ତି ପାଣ୍ଡିଆନ ।  ବିଭିନ୍ନ ଜିଲ୍ଳା ମୁଖ୍ୟଚିକିତ୍ସାଳୟକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ରୋଗୀ ଓ ରୋଗୀଙ୍କ ସଂପର୍କୀୟ ସହ ଆଲୋଚନା ସିଧାସଳଖ ଆଲୋଚନା କରୁଛନ୍ତି  । ମେଡିକାଲରେ ରୋଗୀ ସେବା ସମେତ ଔଷଧ ଯୋଗାଣ ନେଇ ମଧ୍ୟ ଆଲୋଚନା କରୁଛନ୍ତି ଫାଇଭ୍ ଟି ସଚିବ ।