ରାଜ୍ୟ ସରକାରଙ୍କ ବଡ ନିଷ୍ପତି । କେନ୍ଦ୍ରାପଡାରେ ହେବ ଓଡିଶାର ପ୍ରଥମ ନଦୀ ବନ୍ଦର, ପ୍ରଥମ ପର୍ଯ୍ୟାୟରେ ଖର୍ଚ୍ଚ ହେବ ୨୧୧୦ କୋଟି ଟଙ୍କା

85

କେନ୍ଦ୍ରାପଡାର ମହାକାଳପଡାରେ ହେବ ରାଜ୍ୟର ପ୍ରଥମ ନଦୀ ବନ୍ଦର । ମହାକାଳପଡା ଆଖାଡାଶାଳି ନିକଟରେ ଥିବା ମହାନଦୀ କୂଳରେ ଏହି ବନ୍ଦର ପ୍ରତିଷ୍ଠା କରାଯିବ । ସରକାର ଓ ଘରୋଇ ଉଦ୍ୟୋଗର ସହ ଭାଗିତାରେ ପ୍ରଥମ ଥର ପାଇଁ ନଦୀ ଭିତ୍ତିକ ବନ୍ଦର ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ଦୁଇଟି ପର୍ଯ୍ୟାୟରେ ଏହି ବନ୍ଦର ନିର୍ମାଣ କରିବାକୁ ସ୍ଥିର କରାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ଲିୟରାନ୍ସ କମିଟି ବୈଠକରେ ଏହି ବନ୍ଦର ପ୍ରତିଷ୍ଠା ନେଇ ନିଷ୍ପତି ନିଆଯାଇଥିଲା । ନିଷ୍ପତି ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ୨୧୧୦ କୋଟି ଟଙ୍କା ବ୍ୟୟରେ ବାର୍ଷିକ ୧୮.୪୩ ମିଲିୟନ ଟନ ପଣ୍ୟ କାରବାର ନେଇ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ଦୁଇଗୋଟି ବର୍ଥ ନିର୍ମାଣ କରାଯିବ । ଆଉ ଏଥିପାଇଁ ୧୭୫ ହେକ୍ଟର ଜମି ଆବଶ୍ୟକ ରହିବ । ଆଉ ଏହାସହ ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ ସମୟରେ ଏହାର କ୍ଷମତା ୧୮.୪୩ ମିଲିୟନରୁ ୪୫.୮୮ ମିଲିୟନ ଟନକୁ ବୃଦ୍ଧି କରାଯିବ ।

ଆସନ୍ତା ବର୍ଷ ପ୍ରାରମ୍ଭରୁ ଏହାର କାର୍ଯ୍ୟ ଆରମ୍ଭ କରିବାକୁ ନିଷ୍ପତି ନିଆଯାଇଛି । ତେବେ ଏହି ବନ୍ଦର ପ୍ରତିଷ୍ଠା ହେଲେ ପ୍ରଥମ ପର୍ଯ୍ୟାୟରେ ୪୩୦୦ ଓ ଦ୍ୱିତୀୟ ପର୍ଯ୍ୟାୟରେ ୧୦,୭୦୦ ନିଯୁକ୍ତି ସୃଷ୍ଟି କରାଯାଇପାରିବ ।