ସରିଲା ଯାଆଁଳା ଶିଶୁଙ୍କ ପ୍ରଥମ ପର୍ଯ୍ୟାୟ ଅସ୍ତ୍ରୋପଚାର ! ଉଭୟ ସୁସ୍ଥ ଥିବା ସୂଚନା ଦେଲେ ଏମ୍ସ କର୍ତ୍ତୃପକ୍ଷ

48

କନକ ବ୍ୟୁରୋ : ଯାଆଁଳା ଶିଶୁ ଜଗା-ବଳିଆଙ୍କ ପ୍ରଥମ ପର୍ଯ୍ୟାୟ ଅପରେସନ ଶେଷ ହୋଇଛି । ‘କନକ ନ୍ୟୁଜ’କୁ ଅଶୋକ ମହାପାତ୍ର ଦେଇଥିବା ସୂଚନା ଅନୁଯାୟୀ, ଯୋଡାମୁଣ୍ଡ ଦୁଇ ଶିଶୁ ଏବେ ସୁସ୍ଥ ଅଛନ୍ତି । ତେବେ ଅସ୍ତ୍ରୋପଚାର ପରେ ଏବେ ଦୁଇ ଶିଶୁ ଅଚେତ ଅଛନ୍ତି । ଗତକାଲି ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଏହି ଯୋଡାମୁଣ୍ଟ ଶିଶୁଙ୍କ ଅସ୍ତ୍ରୋପଚାର ଆରମ୍ଭ କରାଯାଇଥିଲା । ଜାପାନରୁ ଆସିଥିବା ବିଶେଷଜ୍ଞ କେ. ତାକି ଜାୱାଙ୍କ ନେତୃତ୍ୱରେ ୪୦ ଜଣିଆ ଡାକ୍ତରୀ ଟିମ୍ ଦୀର୍ଘ ୨୦ ଘଣ୍ଟା ଧରି ଏହି ଏହି ବିରଳ ଅସ୍ତ୍ରୋପଚାର କରିଥିଲେ ।

ସୋମବାର ଭୋର ୪ଟା ୪୫ରେ ଅପରେସନ୍ ଥିଏଟରକୁ ନିଆଯାଇଥିଲା ଜଗା-ବଳିଆଙ୍କୁ ଏବଂ ପ୍ରାୟ ୧୦ଟାରେ ଆରମ୍ଭ ହୋଇଥିଲା ଅପରେସନ୍ । ଆଉ ଆଜି ସକାଳ ୬ଟାରେ ଏହି ଅପରେସନ ଶେଷ ହୋଇଛି । ୪୦ଜଣିଆ ଡାକ୍ତରୀ ଦଳରେ ଅଛନ୍ତି- ନ୍ୟୁରୋ ସର୍ଜନ, ପ୍ଳାଷ୍ଟିକ୍ ସର୍ଜନ, କାର୍ଡିଆକ୍, ପେଡିଆଟ୍ରିକ୍ସ ବିଭାଗର ଡାକ୍ତର ।

ଓଡ଼ିଶାର ଏକ ପଛୁଆ ଜିଲ୍ଳା କନ୍ଧମାଳର ଏକ ଗରିବ ପରିବାରରେ ୨୦୧୫ ମସିହାରେ ଜନ୍ମ ହୋଇଥିଲେ ଜଗା-ବଳିଆ । ଆର୍ଥିକ ଦୃଷ୍ଟିରୁ ବେଶ୍ ପଛୁଆ ଏହି ପରିବାର ଏମାନଙ୍କ ଚିକିତ୍ସା ପାଇଁ କଣ କରିବେ କିଛି ବୁଝିପାରିନଥିଲେ । ଚିକିତ୍ସା ପାଇଁ ପରିବାର ଲୋକ ଚିକିତ୍ସା ପାଇଁ ବହୁ ଉଦ୍ୟମ କରିଥିଲେ ସୁଦ୍ଧା ଆର୍ଥିକ ଅଭାବ ଜନିତ କାରଣରୁ ଉପଯୁକ୍ତ ଚିକିତ୍ସା ଯୋଗାଇବାରେ ବିଫଳ ହୋଇଥିଲେ । ପରେ ଗଣମାଧ୍ୟମରେ ରିପୋର୍ଟ ପ୍ରସାରଣ ପରେ ରାଜ୍ୟ ସରକାର ଚିକିତ୍ସାରେ ସହାୟତା ପାଇଁ ହାତ ବଢ଼ାଇଲେ । ମୁଖ୍ୟମନ୍ତ୍ରୀ ଏଥିପାଇଁ ନିଜ ରିଲିଫ ପାଣ୍ଠିରୁ ଏକ କୋଟି ଟଙ୍କା ଦେଇଥିଲେ । ପ୍ରଥମେ ଦୁଇ ଶିଶୁଙ୍କୁ କଟକ ବଡ ମେଡ଼ିକାଲ ଅଣାଯାଇ ଚିକିତ୍ସା କରାଯାଇଥିଲା । ଆଉ ପରେ ଯୋଡାମୁଣ୍ଡ ଶିଶୁଙ୍କୁ ଅଲଗା କରିବା ପାଇଁ ଦିଲ୍ଲୀ ଏମ୍ସ ହସ୍ପିଟାଲକୁ ନିଆଯାଇ ଅପରେସନ କରାଯାଇଛି ।