କାଲି ଆସିବ କଂଗ୍ରେସ, ବିଜେପିର ପ୍ରଥମ ପର୍ଯ୍ୟାୟ ତାଲିକା ? ଅଙ୍କ କଷା ପରେ ନାଁକୁ ଅପେକ୍ଷା

ରବିବାର ସୁଦ୍ଧା ବିଜେଡିର ଘୋଷଣା ସମ୍ଭାବନା, କାହାକୁ ମିଳିବ, କାହାର କଟିବ ଟିକେଟ୍, ଆଶା ଆଶଙ୍କାରେ ନେତା

178

କନକ ବ୍ୟୁରୋ: ନିର୍ବାଚନ ମାହୋଲ ଜମି ଆସୁଥିବା ବେଳେ ସମସ୍ତଙ୍କ ମନରେ ଉତ୍କଣ୍ଠା–କିଏ ପାଇବେ ଟିକେଟ୍ ଓ ୨୦୧୯ରେ କାହାକୁ ମିଳିବନି ସୁଯୋଗ । ତେବେ ତିନି ପ୍ରମୁଖ ଦଳ ମଧ୍ୟରେ କିଛି ଦିନ ଧରି ଯେଉଁ ମାନସ ମନ୍ଥନ ଚାଲିଥିଲା, ତାହା ନିର୍ଣ୍ଣାୟକ ମୋଡ଼ରେ ପହଁଚିଛି । ଏପ୍ରିଲ୍ ୧୧ ତାରିଖ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତା ୧୮ ତାରିଖରେ ଆରମ୍ଭ ହେବ ନାମାଙ୍କନ ପ୍ରକ୍ରିୟା । ୪ ଲୋକସଭା– ବ୍ରହ୍ମପୁର, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ଏହା ଅନ୍ତର୍ଗତ ୨୮ ବିଧାନସଭା ଆସନ ପାଇଁ ଚୂଡ଼ାନ୍ତ ହୋଇସାରିଛି ୩ ଦଳର ପ୍ରାର୍ଥୀ ତାଲିକା । ଆସନ୍ତାକାଲି କଂଗ୍ରେସ ଓ ବିଜେପି ସେମାନଙ୍କ ପ୍ରାର୍ଥୀ ତାଲିକା ପ୍ରକାଶ କରିପାରନ୍ତି । ରବିବାର ଦିନ ବିଜେଡି ଘୋଷଣା କରିପାରେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ।

ଶେଷ ପର୍ଯ୍ୟାୟରେ ପହଁଚିଛି ଟିକେଟ୍ କସରତ । ନବୀନ ନିବାସରେ ଚାଲିଛି ପ୍ରାର୍ଥୀ ତାଲିକା ପ୍ରସ୍ତୁତି । କେଉଁ ପ୍ରାର୍ଥୀଙ୍କୁ ଟିକେଟ୍ ଦେଲେ ଦଳ ଜିତି ପାରିବ, ସେହି ଆଧାରରେ ଚାଲିଛି ଅଙ୍କକଷା । ଆଶାୟୀ ଯେତେ ଅଧିକ, ଅଙ୍କ ବି ସେତେ ଜଟିଳ । ତେବେ ପ୍ରଥମ ପର୍ଯ୍ୟାୟ ପାଇଁ ରବିବାର ସୁଦ୍ଧା ପ୍ରାର୍ଥୀ ତାଲିକା ଘୋଷଣା ହୋଇପାରେ ।

ସେପଟେ ବିଜେପି ଶିବିରରେ ମଧ୍ୟ ସମାନ ସ୍ଥିତି । ଦିଲ୍ଲୀରେ ଟିକେଟ୍ ତାଲିକାରେ ମୋହର ବାଜିବାକୁ ଥିଲେ ବି ରାଜ୍ୟ କାର୍ଯ୍ୟାଳୟରେ ଶେଷ ପର୍ଯ୍ୟାୟର କସରତ ହୋଇଛି । ଶନିବାର ଏହି ତାଲିକା ଘୋଷଣା କରିପାରେ ବିଜେପି ।

କଂଗ୍ରେସ ଶିବିର ବି ପ୍ରସ୍ତୁତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ଯେଉଁ ୪ ଲୋକସଭା ଓ ୨୮ ବିଧାନସଭା ଆସନରେ ନିର୍ବାଚନ ହେବାକୁ ଯାଉଛି, କଂଗ୍ରେସ ପସନ୍ଦର ପ୍ରାର୍ଥୀ ବାଛି ସାରିଛି । କେନ୍ଦ୍ରୀୟ କମିଟିର ମୋହର ପରେ ଆସନ୍ତାକାଲି ପ୍ରକାଶ ପାଇପାରେ ତାଲିକା ।

ତେବେ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ୪ ଲୋକସଭା ଆସନରେ ନୂଆ ଚେହେରା ଆଣିପାରେ ବିଜେଡି । ବ୍ରହ୍ମପୁରରେ ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କ ବଦଳରେ ଚନ୍ଦ୍ରଶେଖର ସାହୁ କିମ୍ବା ପାରଳା ରାଜକୁମାରୀ କଲ୍ୟାଣ ଦେବୀଙ୍କ ନାଁ ଚର୍ଚ୍ଚାରେ ରହିଛି । ସେହିପରି କୋରାପୁଟ ଆସନ ପାଇଁ ସାଂସଦ ଝିନ୍ନ ହିକକାଙ୍କ ପତ୍ନୀ କୋଶଲ୍ୟା ହିକକାଙ୍କ ନାଁ ଆଗରେ ରହିଛି । ନବରଙ୍ଗପୁରରେ ରମେଶ ମାଝିକୁ ପ୍ରାର୍ଥୀ କରିପାରେ ବିଜେଡି । ଆଉ କଳାହାଣ୍ଡି ଲୋକସଭା ପାଇଁ ବିଜେଡି ଟିକେଟ ଦୌଡ଼ର ଆଗରେ ରହିଛନ୍ତି ପୁଷ୍ପେନ୍ଦ୍ର ସିଂହଦେଓ । ଏଥର ନିର୍ବାଚନରେ ଫୋକସରେ ରହିଛନ୍ତି ମହିଳା ପ୍ରାର୍ଥୀ । ଜିତିବା କ୍ଷମତା ଥିବା ମହିଳା ପ୍ରାର୍ଥୀ ଚୟନ କରିବା ସବୁ ଦଳ ପାଇଁ ଚ୍ୟାଲେଂଜ ହୋଇଛି ।

ବ୍ରହ୍ମପୁର, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଲୋକସଭା ପାଇଁ କାହାକୁ ପ୍ରାର୍ଥୀ କରିବ, ଏ ନେଇ ମନସ୍ଥିର କରିସାରିଛି କଂଗ୍ରେସ । କଳାହାଣ୍ଡିରେ ଭକ୍ତଚରଣ ଦାସ ଓ ନବରଙ୍ଗପୁରରେ ପ୍ରଦୀପ ମାଝିଙ୍କୁ କଂଗ୍ରେସ ପ୍ରାର୍ଥୀ କରିବା ପ୍ରାୟ ନିଶ୍ଚିତ । ସେହିପରି କୋରାପୁଟରୁ ସପ୍ତଗିରି ଉଲାକା ଓ ବ୍ରହ୍ମପୁରରୁ ଭି ଚନ୍ଦ୍ରଶେଖର ନାଇଡ଼ୁ ଲଢ଼ିପାରନ୍ତି କଂଗ୍ରେସ ଟିକେଟରେ ।