ଟ୍ରେନରଙ୍କ ସହ ହୋଇଥିଲା ପ୍ରେମ! ୫୦୦୦ ଫୁଟ ଉଚ୍ଚତାରୁ ଡେଇଁ କରିଥିଲେ ପ୍ରେମ ନିବେଦନ ଏବଂ ସୃଷ୍ଟି କରିଥିଲେ ସ୍କାଏ-ଡାଇଭିଂର ନୁଆ ଇନିଂସ ।

43

ସବୁ ଲଭ ଷ୍ଟୋରୀ ଅଲଗା ହୋଇଥାଏ । ଆପଣ ଲୈଲା-ମଜନୁ,ହିର୍-ରାଞ୍ଝାଙ୍କ ପ୍ରେମ କାହାଣୀ ଶୁଣିଥିବେ । ଯାହାଙ୍କ ପ୍ରେମ ଇତିହାସର ପୃଷ୍ଠା ମଣ୍ଡନ କରିଥିଲା । ଏମିତି ଆଉ ଏକ ପ୍ରେମ କାହାଣୀ ଅଛି ଯାହା ଜଣେ ଟ୍ରେନର ଏବଂ ଛାତ୍ରଙ୍କ ମଧ୍ୟରେ ଗଢିଉଠିଥିଲା । ଏହି ଶାଶ୍ୱତ ପ୍ରେମ ପରିଶେଷରେ ଭାରତର ଲୋକମାନଙ୍କୁ ସ୍କାଏ-ଡାଇଭିଂ ଭଳି ଏକ ଦୁଃସାହସିକ କ୍ରୀଡା ଶିଖାଇବାରେ ସଫଳ ହୋଇଥିଲା ।
ଆଜକୁ ପ୍ରାୟ ୪୦ ବର୍ଷ ପୂର୍ବେ ଇଣ୍ଡିଆନ ଆର୍ମିର ଜଣେ ଯବାନ୍ ଜଣେ ବିଦେଶୀ ନଳନାଙ୍କ ପ୍ରେମରେ ପଡିଥିଲେ । ଶମସେର ନାମକ ଏହି ଯବାନ୍ ଆର୍ମି ଟ୍ରେନିଂ ସମୟରେ ପ୍ୟାରିସ ଫ୍ଲାଇ କ୍ଲବରେ ଶୋତେଲ ନାମ୍ନୀ ଜଣେ ଟ୍ରେନରଙ୍କ ସଂସ୍ପର୍ଶରେ ଆସିଥିଲେ । ଶୋତେଲଙ୍କ ବ୍ୟବହାର,ସ୍ମୀତହାସ୍ୟ ମୁଖ ଶମସେରଙ୍କୁ ତାଙ୍କ ଆଡକୁ ଆକୃଷ୍ଟ କରିଥିଲା । ଟ୍ରେନର ହେବା ସତ୍ତେ୍ୱ ଏହି ଭାରତୀୟ ଯବାନ୍ ବିଦେଶୀନୀଙ୍କୁ ପ୍ରେମ ନିବେଦନ କରିଥିଲେ ଏବଂ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ଶୋତେଲଙ୍କ ଜିଜ୍ଞାସା ଅନ୍ୟ କିଛି ଥିଲା । ସେ ନିଜ କ୍ୟାରିୟରରେ ଉନ୍ନତି କରିବାକୁ ଚାହୁଁଥିଲେ । ବିବାହକୁ ନେଇ ତାଙ୍କର ଏକ ସର୍ତ୍ତ ଥିଲା । ଭାରତରେ ଅତି ଉଚ୍ଚ ସ୍ଥାନରୁ ଉଡି ରେକର୍ଡ କରିବେ ଏବଂ ବିବାହ କରିବେ । ସେତେବେଳେ ଭାରତରେ ସ୍କାଏ-ଡାଇଭିଂ ଭଳି ଦୁଃସାହସିକ କ୍ରୀଡାର ଅସ୍ତିତ୍ୱ ନଥିଲା । ଶମଶେର ଇଣ୍ଡିଆନ ଆର୍ମିର କ୍ୟାପଟେନ ଥିଲେ । ବୀରତା ତାଙ୍କ ରକ୍ତରେ ଦୌଡୁଥିଲା । ଏଭଳି ପ୍ରସ୍ତାବ ବିଦେଶ ପାଇଁ ସାଧାରଣ ଥିବାବେଳେ ଭାରତ ପାଇଁ ସମ୍ପୁର୍ଣ୍ଣ ନୂଆ ଥିଲା ।
ଶମଶେର ପ୍ରେମରେ ପାଗଳ ଥିଲେ । ପ୍ରେମିକାର ଇଚ୍ଛାକୁ ସମ୍ମାନ ଜଣାଇ ସେ ଭାରତୀୟ ଆକାଶରେ ଉଡନ୍ତା ଅବସ୍ଥାରେ ବିବାହ କରିବାକୁ ଚାହିଁଲେ । କିନ୍ତୁ ସରକାର ତାଙ୍କୁ ଏଭଳି ବିପଦପୁର୍ଣ୍ଣ ବିବାହ ପାଇଁ ମଞ୍ଜୁରୀ ଦେଇନଥିଲେ । କିନ୍ତୁ ଶମଶେରଙ୍କ ପାଇଁ ପ୍ରେମିକାର ଇଚ୍ଛା ଆଗରେ ଯେମିତି ସବୁ ତୁଚ୍ଛ ହୋଇଯାଇଥିଲା । ଭାରତରେ ପ୍ରଥମଥର ପାଇଁ ୫୦୦୦ ଉଚ୍ଚ ଫୁଟରୁ ଏହି ପ୍ରେମୀଯୁଗଳ ଏକ ସଙ୍ଗେ ଆକାଶମାର୍ଗରୁ ତଳକୁ ଲମ୍ଫ ପ୍ରଦାନ କରିଥିଲେ । ଭସା ବାଦଲରେ ଦୁଇ ପ୍ରେମ ପକ୍ଷୀ ଉଡିବା ସମୟରେ ନିଜ ପ୍ରେମମୟ ଭବିଷ୍ୟତର କଳ୍ପନା କରିଥିଲେ । ତଳକୁ ଆସିବା ପରେ ବିଳମ୍ବ ନକରି ଶମଶେର ପୁନଶ୍ଚ ପ୍ରେୟସୀ ଶୋତେଲଙ୍କୁ ପ୍ରେମ ନିବେଦନ କରିଥିଲେ । ଶମଶେର ଟ୍ରେନିଂ ସମୟରେ ସ୍କାଏ-ଡାଇଭିଂ କରିବାରେ ଯେତେ ନର୍ଭସ ହେଉଥିଲେ ଏଥର ତାଙ୍କ ମୁହଁରେ ଏଭଳି କିଛି ଜଣାପଡୁନଥିଲା । ଜଣେ ଅଭିଜ୍ଞ ବ୍ୟକ୍ତି ଭଳି ସେ ହସି ହସି ଶୋତେଲଙ୍କୁ ନିଜ ମନକଥା କହିଥିଲେ । ଏଭଳି ଜଣେ ସାହସୀ ଏବଂ ପାଗଳ ପ୍ରେମିକକୁ ପାଇ କେଉଁ ଝିଅ ଅବା ନା କହିବ! ଶୋତେଲ ତୁରନ୍ତ ଏହି ପ୍ରସ୍ତାବରେ ହଁ କହିଥିଲେ ।
ସେତେବେଳେ ହଜାର ହଜାର ଲୋକ ଏହି ଦୁଃସାହସିକ କ୍ରୀଡାକୁ ଉପଭୋଗ କରିବା ସହ କରତାଳିରେ ଏହାକୁ ସ୍ୱାଗତ କରିଥିଲେ । ଏହା ପରଠାରୁ ଭାରତରେ ସ୍କାଏ-ଡାଇଭିଂ ଭଳି ଏକ ଦୁଃସାହସିକ କ୍ରୀଡାର ଅୟମାରମ୍ଭ ହୋଇଥିଲା ।