ଖୋଲିଲା ହୀରାକୁଦ ଡ୍ୟାମର ଗୋଟିଏ ଗେଟ୍ : ୭ ନମ୍ବର ଗେଟ୍ ଦେଇ ନିଷ୍କାସିତ ହେଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ରାତି ୩ଟାରୁ ସକାଳୁ ୧୦ଟା ସୁଦ୍ଧା ମୁଣ୍ଡଳିରେ ପହଁଞ୍ଚିବ ବନ୍ୟାଜଳ; ତଳିଆ ଅଂଚଳ ପାଇଁ ସତର୍କତା ଜାରି

338

କନକ ବ୍ୟୁରୋ: ହୀରାକୁଦ ଖୋଲିଲା ଗେଟ୍ । ହୀରାକୁଦରୁ ମହାନଦୀକୁ ଛଡାଯାଇଛି ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ । ବିଶେଷ ପୂଜାର୍ଚ୍ଚନା ଶେଷ ହେବା ପରେ ହୀରାକୁଦ ଡ୍ୟାମର ମୁଖ୍ୟ ଯନ୍ତ୍ରୀଙ୍କ ଉପସ୍ଥିତିରେ ଡ୍ୟାମର ଗେଟ୍ ଖୋଲାଯାଇଛି । ୭ ନମ୍ବର ସ୍ଲୁଇସ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ଗୋଟିଏ ଗେଟକୁ ୨ ରୁ ୩ ଘଂଟା ପାଇଁ ଖୋଲାଯିବ । ତେବେ ଜନସାଧାରଣ ହୀରାକୁଦର ବନ୍ୟାଜଳ ପ୍ରବାହ ଜନିତ ବନ୍ୟା ଆଶଙ୍କାରେ ଆତଙ୍କିତ ହେବାର ନାହିଁ ବୋଲି କୁହାଯାଇଛି । ଏହି ବନ୍ୟା ଜଳ ଆଜି ରାତି ୩ଟା ରୁ ଆସନ୍ତାକାଲି ସକାଳ ୧୦ଟା ସୁଦ୍ଧା ମୁଣ୍ଡଳି ଛୁଇଁବ ବୋଲି କୁହାଯାଇଛି ।

ମହାନଦୀ ଅବବାହିକାରେ ଥିବା ଜିଲ୍ଲା ଗୁଡିକର ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ବା ଏସପିମାନଙ୍କୁ ବନ୍ୟା ସ୍ଥିତି ମୁକାବିଲା କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ କୁହାଯାଇଛି । ଜଳସମ୍ପଦ ବିଭାଗର ସମସ୍ତ ଯନ୍ତ୍ରୀ ଏବଂ ଅନ୍ୟ କର୍ମଚାରୀଙ୍କୁ ନିଜର ହେଡକ୍ୱାଟର୍ସରେ ରହିବାପାଇଁ ନିର୍ଦ୍ଦେଶ ଦିଆଯାଇଛି । ଉପକୂଳବର୍ତି ଜିଲ୍ଲାମାନଙ୍କର ନିର୍ବାହୀ ଯନ୍ତ୍ରୀମାନଙ୍କୁ ସେମାନଙ୍କ ଅଧିନରେ ଥିବା ନଦୀବନ୍ଧଗୁଡିକୁ ପରିଦର୍ଶନ କରିବା ପାଇଁ କୁହାଯାଇଛି । ବନ୍ୟା ସମ୍ବନ୍ଧୀୟ ତଥ୍ୟର ଆଦାନ ପ୍ରଦାନ ପାଇଁ ସମସ୍ତ ଡିଭିଜନ, ସର୍କଲ, ମୁଖ୍ୟଯନ୍ତ୍ରୀ ଏବଂ ସର୍ବୋଚ୍ଚ ଯନ୍ତ୍ରୀ ଜଳସମ୍ପଦ ବିଭାଗ କାର୍ଯ୍ୟାଳୟରେ ୨୪ ଘଂଟିଆ ବନ୍ୟା ନିୟନ୍ତ୍ରଣ କକ୍ଷ ମଧ୍ୟ କାମ କରୁଛି ।