ବାଲାଟ ପୂର୍ବରୁ ଫୁଟିଲା ବୁଲେଟ ! ଗୁଳିକାଣ୍ଡ ପରେ ଅଞ୍ଚଳବାସୀ ଆତଙ୍କିତ । ନବୀନ କହିଲେ, କାପୁରୁଷଙ୍କ କାମ, ଦିଲ୍ଲୀରୁ ଧର୍ମେନ୍ଦ୍ର ଦେଲେ ଜବାବ

32

କନକ ବ୍ୟୁରୋ : ରାତି ପାହିଲେ ଭୋଟ୍ ଦେବ ବିଜେପୁର । ପ୍ରାୟ ମାସେ ଧରି ଚାଲିଥିବା ପ୍ରଚାରର କୋଳାହଳ ଆଉ ତମାମ ଶକ୍ତି ପ୍ରଦର୍ଶନ ପରେ ଏବେ ନଜର ଭୋଟର୍ ଭଗବାନଙ୍କ ଉପରେ । ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ଭାଗ୍ୟର ହେବ ପରୀକ୍ଷା । ପ୍ରାୟ ୨ ଲକ୍ଷ ୨୧ ହଜାର ଭୋଟର୍ ୨୦୧୯ର ଅସଲ ଲଢେଇ ପୂର୍ବରୁ ସେମାନଙ୍କର ରାୟ ଦେବେ । ସୁବଳ ସାହୁଙ୍କ ଦେହାନ୍ତ ପରେ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କୁ ବିଜେପୁର ବାସୀ ସୁଯୋଗ ଦେଉଛନ୍ତି ନା କଂଗ୍ରେସ ତା ଗଡ ବଜାୟ ରଖିପାରୁଛି ନା ବିଜେପି ବାଜି ମାରି ନିଜ ପାଇଁ ଏକ ଅନୁକୁଳ ବାତାବରଣ ତିଆରି କରିପରୁଛି ତା ଉପରେ ନଜର ରହୁଛି । ତିନି ରାଜନୈତିକ ଦଳଙ୍କ ପାଇଁ ପ୍ରତିଷ୍ଠା ଓ ସମ୍ମାନର ଲଢେଇ ପାଲଟିିଥିବା ବିଜେପୁର ଉପ-ନିର୍ବାଚନ ଅନେକ ଦୃଷ୍ଟିକୋଣରୁ ଗୁରୁତ୍ୱପୁର୍ଣ୍ଣ ଥିବା ବେଳେ ରାଜନୈତିକ ମାହୋଲକୁ ନେଇ କିନ୍ତୁ ଅଧିକ ଚର୍ଚ୍ଚାର ପରିଧି ଭିତରକୁ ଆସିଛି । ଖାସକରି ଯେଉଁଭଳି ଭାବେ ହିଂସା ବଢିଲା ଆଉ ପରସ୍ପର ପ୍ରତି ଆକ୍ଷେପର ରାଜନୀତି ଚାଲିଲା, ତାହା ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା । ଗତକାଲି ରାତିରେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇ ଓ ତାଙ୍କ ସହ ଥିବା କିଛି ଲୋକଙ୍କ ଉପରେ ହୋଇଥିଲା ମରଣାନ୍ତକ ଆକ୍ରମଣ । ଆଉ ଏହାକୁ ନେଇ ବେଶ ସରଗରମ ହୋଇଥିଲା ରାଜନୈତିକ ବାତାବରଣ । ବିଜେପୁରରୁ ଭୁବନେଶ୍ୱର ଯାଏଁ ଚାଲିଥିଲା ଆରୋପ ପ୍ରତ୍ୟାରୋପର ପର୍ବ ।

bijepurଗୁରୁବାର ସଂଧ୍ୟାରେ ନିର୍ବାଚନ ପ୍ରଚାର ଶେଷ ହୋଇ ଯାଇଥିଲା ସତ, ହେଲେ ବିଜେପୁରର ରାଜନୈତିକ ତାତି ଆହୁରି ବଢି ଯାଇଥିଲା । କେବଳ ବିଜେପୁର ନୁହେଁ, ରାତିରେ ଚଳଚଂଚଳ ହୋଇ ଉଠିଥିଲା ସମଗ୍ର ବରଗଡ଼ ଜିଲ୍ଲା । ଉଜାଗର ଥିଲେ ନେତା ଓ କର୍ମୀ । କାରଣ ପ୍ରତିଦ୍ୱନ୍ଦିମାନଙ୍କ ମଧ୍ୟରେ ଚାଲିଥିଲା ଛକାପଂଝା । ଅନ୍ଧାର ରାତିରେ ଗାଡ଼ିରେ ସହଯୋଗୀଙ୍କ ସହ ଯାଉଥିଲେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଭାଇ ସୁବ୍ରତ ସିଂହ । ସୋହେଲା ବ୍ଲକ ବନାବିରା ଅଂଚଳରେ ସେମାନଙ୍କ ଉପରେ ହୋଇଥିଲା ଅତର୍କିତ ଆକ୍ରମଣ ।

ଅଭିଯୋଗ ଅନୁସାରେ ହଠାତ ଗାଡ଼ି ଉପରକୁ ହୋଇଥିଲା ଟେକା ପଥର ମାଡ ଓ ଅନ୍ଧାଧୁନିଆ ଗୁଳିମାଡ । ଏଥିରେ ଆହତ ହୋଇଥି ସୁବ୍ରତ ସିଂ । ତାଙ୍କ ସହ ଗାଡି଼ ମାଲିକ କାର୍ତିକ ନାଗ, ଡ୍ରାଇଭର ମାଗିି ଶାହ, ଖଗେଶ୍ୱର ମହାମଲ୍ଲିକ ମଧ୍ୟ ଆହତ ହୋଇଥିଲେ । ଆହତଙ୍କ ମଧ୍ୟରେ ୨ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ବୁର୍ଲା ବଡ଼ ମେଡିକାଲରେ ପହଂଚି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିଛନ୍ତି । ମନ୍ତ୍ରୀଙ୍କ ଭାଇ ସୁବ୍ରତଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଘଟଣାରେ ୩ଜଣଙ୍କୁ ଗିରଫ କରିଥିବାବେଳେ ଗୋଟିଏ ଅଫୁଟା ଗୁଳି ଓ ୨ଟି ଖୋକା ପୁଲିସ ଜବତ କରିଥିବା ସୂଚନା ମିଳିଛି ।

le BIJEPURମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଭାଇ ଉପରେ ଗୁଳିମାଡ ନେଇ ପୁଲିସ ତନାଘନା କରୁଥିବା ଏହାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନବାଜି । ଏହି ଘଟଣାକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ଭୀରୁ ଓ କାପୁରୁଷଙ୍କ କାର୍ଯ୍ୟ ବୋଲି କହିଛନ୍ତି ନବୀନ ।

ଗୋଟିଏ ପଟେ ଏହି ଗୁଳିକାଣ୍ଡ ନେଇ ବିଜେପିକୁ ଦାୟୀ କରୁଛି ବିଜେଡି । ଅନ୍ୟପଟେ ଅଭିଯୋଗକୁ ଖଣ୍ଡନ କରିଛି ବିଜେପି । ବିଜେଡି ଅନ୍ତର୍କନ୍ଦଳର ପରିଣାମ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ବିଜେପୁର ବାସୀ ଏହାର ଉଚିତ ଜବାବ ଦେବେ ବୋଲି ବିଜେପି କହିଛି ।ବିଜେପୁର ଉପନିର୍ବାଚନ ଏବେ ସବୁ ଦଳ ପାଇଁ ସମ୍ମାନର ପ୍ରଶ୍ନ ହୋଇ ଠିଆହୋଇଛି । କଳ ବଳ କୌଶଳ ଲଗାଇ ବାଜି ଜିତିବାକୁ ଜୋର ଲଗାଇ ଦେଇଛନ୍ତି ଦଳୀୟ ନେତା । ଏସବୁ ଭିତରେ ତୀବ୍ର ହୋଇଛି ରାଜନୈତିକ ଦଳର ଛକାପଂଝା ।