ଅଗ୍ନିଶମ ବିଭାଗ ଦେଖାଇଲା ଦମ । ୩ ଘଣ୍ଟାର ମାରାଥନ ଅପରେସନ୍ ସଫଳ, ମୃତ୍ୟୁ ମୁହଁରୁ ଯୁବକଙ୍କୁ ଉଠାଇ ଆଣିଲେ ଅଗ୍ନିଶମ କର୍ମଚାରୀ ।

979

କନକ ବ୍ୟୁରୋ : ୩ ଘଣ୍ଟାର ଅପରେସନ ହେଲା ସଫଳ, ଉଦ୍ଧାର ହେଲେ ଆତ୍ମହତ୍ୟା ଧମକ ଦେଉଥିବା ଯୁବକ । ବାଣୀବିହାର ପରିଜା ଲାଇବ୍ରେରୀ ଛାତରେ ଚଢି ଆତ୍ମହତ୍ୟା ଧମକ ଦେଉଥିବା ଯୁବକଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ । ଦୀର୍ଘ ୩ ଘଣ୍ଟାର ଅପରେସନ ପରେ ଯୁବକଙ୍କୁ ଉଦ୍ଧାର କରାଯାଇଛି । ତେବେ ଏଥିପାଇଁ ଅଗ୍ନିଶମ ବିଭାଗକୁ ନାକେଦମ ହେବାକୁ ପଡିଥିଲା । ଶେଷରେ ବ୍ରୁଣ୍ଟ୍ରୋ ସ୍କାଏ ଲିଫ୍ଟ ସାହାଯ୍ୟରେ ଯୁବକଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ଯୁବକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଛି ।

ଦୀର୍ଘ ୩ ଘଣ୍ଟା ହେବ ବାଣୀବିହାରରେ ଯୁବକଙ୍କ ହାଇଭେଟେଜ ଡ୍ରାମା ଦେଖିବାକୁ ମିଳିଥିଲା । ଯୁବକ ଜଣକ ପରିଜା ଲାଇବ୍ରେରୀ ଉପରେ ଚଢି ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲେ । ଆଉ ଏହି ଖବର ପ୍ରସାରିତ ହେବା କ୍ଷଣି ବାଣୀବିହାର ଲୋକାରଣ୍ୟ ହୋଇଥିଲା । ଯୁବକ ଜଣକ କିଏ ତାଙ୍କର ପରିଚୟ ପ୍ରଥମରୁ ସ୍ପଷ୍ଟ ହୋଇନଥିଲା । ପରେ ପରେ ଅଗ୍ନିଶମ ବିଭାଗର ଘଟଣା ସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର ପାଇଁ ଅପରେସନ ଆରମ୍ଭ କରିଥିଲା । ଅତ୍ୟାଧୁନିକ ସରଞ୍ଜାମ ସହ ଆରମ୍ଭ ହୋଇଥିଲା ଅପରେସନ ।

ତଳେ ଜାଲ ଓ ଉପରେ ବ୍ରୁଣ୍ଟ୍ରୋ ସ୍କାଏ ଲିଫ୍ଟ ସାହାଯ୍ୟରେ ଅପରେସନ ଆଗକୁ ବଢିଥିଲା । ଯତେ ବୁଝାଇଥିଲେ ମଧ୍ୟ ଯୁବକ ଜଣଙ୍କ ବୁଝିବାକୁ ନାରାଜ ଥିଲେ । ଏପରିକି ବାରମ୍ବାର ତଳକୁ ଡେଇଁପଡିବାର ଧମକ ଦେଉଥିଲେ । ତେବେ ଅଗ୍ନିଶମ ବିଭାଗର ସ୍ୱତନ୍ତ୍ର ଟିମ୍ ବେଶ ସର୍ତକତାର ସହ ଯୁବକଙ୍କୁ କାବୁ କରିବାକୁ ସକ୍ଷମ ହୋଇଥିଲେ ।