ଫୋନ କରି କହିବା ପରେ ମଧ୍ୟ ଶୁଣିଲେନି ଡିଏଫଓ, ହୁତୁହୁତୁ ହୋଇ ଜଳିଲା ୫ ଜଙ୍ଗଲ । ପଚାରିବାରୁ କହିଲେ, ମୋତେ ବୁଝାନ୍ତୁ ନାହିଁ ମୋ ଦାୟିତ୍ୱ ।

329

କନକ ବ୍ୟୁରୋ : ଶୁଣିଲେନି ଡିଏଫ୍ଓ, ଜଳିଗଲା ଜଙ୍ଗଲ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲାର ପଥରଚେପା ଜଙ୍ଗଲରେ ଥିବା ପାହାଡ଼ରେ । ବଲାଙ୍ଗୀର-ପାଟଣାଗଡ ରାସ୍ତାରେ ଥିବା ପଥରଚେପା ପାହାଡରେ ଲାଗିଛି ନିଆଁ । ହୁତୁହୁତୁ ହୋଇ ଜଳୁଛି ୫ରୁ ୬ଟି ପାହାଡ । ସକାଳ ୮ଟାରୁ ଜଂଗଲରେ ନିଆଁ ଲାଗିଥିବା ଦେଖିବା ପରେ ଆମ ବଲାଙ୍ଗୀର ପ୍ରତିନିଧି ଏନେଇ ଡିଏଫଓଙ୍କୁ ଜଣାଇଥିଲେ ଏବଂ ଡିଏଫଓ ମଧ୍ୟ ଲୋକ ପଠାଉଥିବା କହିଥିଲେ । କିନ୍ତୁ ସଂଧ୍ୟା ସମୟରେ ଖବର ମିଳିଥିଲା ୫ରୁ ୪ ପାହାଡକୁ ନିଆଁ ବ୍ୟାପି ଯାଇଛି ।

ଗୋଟିଏ ପାହାଡରେ ଲାଗିଥିବା ନିଆଁକୁ ଆୟତ୍ତ କରିବାକୁ କହି ଚୁପ ବସି ଯାଇଥିଲେ ଡିଏଫଓ ସମୀର ଶତପଥୀ । ପାଖରେ ଜନବସତି ଥିଲେ ମଧ୍ୟ କୌଣସି ପଦକ୍ଷେପ ନ ନେଇ ଚୁପଚାପ ରହି ଯାଇଥିଲେ ଡିଏଫଓ । ତେବେ ସନ୍ଧ୍ୟାରେ ଯେତେବେଳେ ପୂରା ଜଙ୍ଗଲରେ ନିଆଁ ଲାଗିଥିବା ଖବର ଆସିଲା ସେତେବେଳେ ମଧ୍ୟ ଡିଏଫଓଙ୍କ ନିଦ ଭାଙ୍ଗିନଥିଲା ।

ଆମ ପ୍ରତିନିଧି ଫୋନ କରି କାହିଁକି ନିଆଁକୁ ଆୟତ୍ତ କରାଯାଉନାହିଁ ପଚାରିବାରୁ ଡିଏଫଓ କହିଥିଲେ ମୋତେ ମୋ ଦାୟିତ୍ୱ ବିଷୟରେ ବୁଝାଇବାର ଆବଶ୍ୟକତା ନାହିଁ । ମୋ ଦାୟିତ୍ୱ କଣ ମୁଁ ତାହା ଜାଣିଛି । ଏପରିକି ମୋତେ ବୁଝାଇବା ଅପେକ୍ଷା ମୋ ପୋଷ୍ଟରେ ଆସି କାମ କରନ୍ତୁ ବୋଲି ଆମ ପ୍ରତିନିଧିଙ୍କୁ କହିଥିଲେ ଡିଏଫଓ । ଜଣେ ସରକାରୀ ଅଫିସର ଭାବେ ନିଆଁକୁ ଆୟତ୍ତ କରିବା ପରିବର୍ତ୍ତେ ସାଧାରଣ ଲୋକଙ୍କୁ ନାଲି ଆଖି ଦେଖାଇବା କେତେ ଦୂର ଯୁକ୍ତିଯୁକ୍ତ ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି ।

ନିଆଁ ଲାଗିଥିବା ଜଙ୍ଗଲରେ ଅନେକ ଔଷଧୀୟ ବୃକ୍ଷ ରହିଥିବା ବେଳେ ବିଲୁପ୍ତ ପ୍ରଜାତିର ଜୀବଜନ୍ତୁ ମଧ୍ୟ ରହିଛନ୍ତି । ତେଣୁ ଜଙ୍ଗଲର ସୁରକ୍ଷା ପାଇଁ ନିଯୁକ୍ତି ପାଇଥିବା ଡିଏଫଓ କିଭଳି ଏହାକୁ ହାଲୁକା ଭାବରେ ନେଲେ ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସାଧାରଣ ଲୋକ । ଜଙ୍ଗଲରେ ନିଆଁ ଲାଗିବା ଫଳରେ ଯେଉଁ କ୍ଷତି ହୋଇଛି ତାହା ପାଇଁ କିଏ ଦାୟୀ । ନା ସରକାରୀ ବାବୁ ବୋଲି ତାଙ୍କୁ ସାତଖୁନ ମାଫ୍ । ଗୋଟିଏ ପଟେ ଜଙ୍ଗଲ ସୁରକ୍ଷା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ଡିଏଫଓଙ୍କ ଏଭଳି ମନମାନି କେତେ ଦୂର ଗ୍ରହଣୀୟ ତାହାକୁ ସବୁଠୁ ବଡ ପ୍ରଶ୍ନ ଉଠିଛି ।