କନକ ବ୍ୟୁରୋ: ଆସନ୍ତା ସାଧାରଣ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କୁ କିପରି ପ୍ରାର୍ଥିପତ୍ର ଦାଖଲ କରିବାକୁ ପଡ଼ିବ। ଚଳିତ ଥର ପ୍ରଥମ କରି କିଛି ନୂଆ ବ୍ୟବସ୍ଥା ନେଇ କିପରି ପ୍ରାର୍ଥୀ ଆଚରଣ କରିବେ। ଏହାସହିତ ପ୍ରାର୍ଥିପତ୍ର ଫର୍ମ ପୂରଣ କରିବା ବେଳେ କଣ କଣ ଲେଖିବା ବାଧ୍ୟତାମୂଳକ କରାଯାଇଛି। ଏଭଳି ମୌଳିକ ପ୍ରସଙ୍ଗକୁ ନେଇ ଗତକାଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସର୍ବଦଳୀୟ ବୈଠକରେ ଯୋଗ ଦେଇଥିବା ୮ଟି ରାଜନୈତିକ ଦଳର ପ୍ରତିନିଧିଙ୍କୁ ଅବଗତ କରାଇଛନ୍ତି। ହେଲେ ଓଡ଼ିଶାରେ କାହିଁକି ୪ଟି ପର୍ଯ୍ୟାୟରେ ନିର୍ବାଚନ କରାଯାଉଛି ତାକୁ ନେଇ ବିଜେଡି ସମେତ, କଂଗ୍ରେସ, ସିପିଏମ ପ୍ରଶ୍ନ ଉଠାଇଥିଲେ।

Advertisment

publive-image

ଚଳିତ ଥର ନିର୍ବାଚନକୁ ମୁକ୍ତ ଅବାଧ ଓ ଶାନ୍ତିପୂର୍ଣ୍ଣ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ସବୁ ରାଜନୈତକ ଦଳର ନେତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ସାଧାରଣ ନିର୍ବାଚନ ତାରିଖ ଘୋଷଣା ପରେ ପ୍ରଥମ କରି ମଙ୍ଗଳବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସର୍ବଦଳୀୟ ବୈଠକ ଡାକି ଆଲୋଚନା କରିଛନ୍ତି। ବୈଠକରେ ୮ଟି ରାଜନୈତିକ ଦଳର ପ୍ରତିନିଧି ଯୋଗ ଦେଇଥିଲେ। ବୈଠକରେ ଶ୍ରୀ କୁମାର ଚଳିତ ଥର ଆଚରଣ ବିଧି ଓ ପ୍ରାର୍ଥିପତ୍ର ଦାଖଲ କରିବା ନେଇ କିଛି ନୂଆ ବ୍ୟବସ୍ଥା ସମ୍ପର୍କରେ ଅବଗତ କରାଇଥିଲେ। ଯେପରିକି ଅପରାଧିକ ମାମଲା ଥିବା ପ୍ରାର୍ଥୀ ନାମାଙ୍କନପତ୍ର ଯାଞ୍ଚର ଶେଷ ତାରିଖରୁ ଆରମ୍ଭ କରି ନିର୍ବାଚନ ପ୍ରଚାର ସରିବାର ୪୮ ଘଣ୍ଟା ପୂର୍ବରୁ ମୁଦ୍ରିତ ଓ ବୈଦ୍ୟୁତିକ ଗଣମାଧ୍ୟମରେ ଅନ୍ୟୂନ ୩ ଦିନ ଅନ୍ତରରେ ୩ ଥର ନିଜ ଅପରାଧିକ ରେକର୍ଡ଼ ବିଷୟରେ ଲୋକଙ୍କୁ ଅବଗତ କରାଇବେ।

publive-image

ଗଣମାଧ୍ୟମରେ ଏ ବାବଦ ବିଜ୍ଞପ୍ତି ଖର୍ଚ୍ଚ ପ୍ରାର୍ଥୀଙ୍କ ହିସାବ ତାଲିକାରେ ମଧ୍ୟ ଯୋଡ଼ାଯିବ। ଏହାସହିତ ଏକାଧିକ ସତ୍ୟପାଠ ବଦଳରେ ଫର୍ମ ୨୬ରେ ଆଉ ୫ ଧାଡ଼ି ବିଶିଷ୍ଟ କୋଠରୀରେ ନିଜର ୫ ବର୍ଷର ଆୟ ତଥ୍ୟ ଦେବା ବାଧ୍ୟତାମୂଳକ କରାଯାଇଛି। ଏଥିପାଇଁ ପ୍ୟାନ୍ କାର୍ଡ଼ ନଥିବା ପ୍ରାର୍ଥୀ ପ୍ୟାନ୍ କାର୍ଡ଼ ପାଇଁ ଆବେଦନ କରିବା ନେଇ ମଧ୍ୟ ପ୍ରମାଣ ଦେବେ। ସେହିପରି ହୋର୍ଡ଼ିଂ, ପ୍ରଚାର ଗାଡ଼ି, ସମୟ ଓ ରାଜନୈତିକ ଦଳ ଗୁଡ଼ିକ ପ୍ରଚାର କାର‌୍ୟ୍ୟ କଲାବେଳେ ଯେପରି ଆଦର୍ଶ ଆଚରଣ ବିଧି ପାଳନ କରନ୍ତି ସେ ନେଇ ମଧ୍ୟ ସିଇଓ ଅବଗତ କରାଇଥିଲେ।

publive-image

ଅନ୍ୟପଟେ, ଓଡ଼ିଶାରେ କାହିଁକି ଗୋଟିଏ କିମ୍ବା ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ସେ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପ୍ରାୟ ସବୁ ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧି ପ୍ରଶ୍ନ କରିଥିଲେ। ବିଜେଡି ପକ୍ଷରୁ ମୁଖପାତ୍ର ଅମର ପଟ୍ଟନାୟକ କହିଥିଲେ, ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ହେବା ଦ୍ବାରା ରାଜ୍ୟ ସରକାରଙ୍କୁ ଅଧିକ ଆର୍ଥିକ ଭାର ବହନ କରିବାକୁ ପଡ଼ୁଛି। ଏକାଧିକ ପର୍ଯ୍ୟାୟରେ ନିର୍ବାଚନ କରିବାକୁ ନିର୍ବାଚନ ଆୟୋଗଙ୍କୁ କଣ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁପାରିସ କରିଥିଲେ ବୋଲି ଶ୍ରୀପଟ୍ଟନାୟକ ପ୍ରଶ୍ନ ଉଠାଇଥିଲେ। ହେଲେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ କୁମାର ଏହା କମିସନଙ୍କ ଆଭ୍ୟନ୍ତରୀଣ ବ୍ୟାପାର ବୋଲି କହି ଚୁପ ରହିଥିଲେ। ପିସିସି ଉପସଭାପତି ଶିବାନନ୍ଦ ରାୟ କହିଥିଲେ ରାଜ୍ୟରେ କେତେକ ଲୋକସଭା ନିର୍ବାଚନ ମଣ୍ଡଳୀରେ ପାଖାପାଖି ୬୦ ହଜାରରୁ ଉର୍ଦ୍ଧ୍ବ ଭୋଟରଙ୍କ ନାଁ ଗାଏବ ହୋଇଯାଇଛି। କୁଆଡ଼େ ଏତେ ସଂଖ୍ୟକ ଭୋଟର ଗଲେ ସେ ଉତ୍ତର କାହା ପାଖରେ ମିଳୁନି। ଶ୍ରୀରାୟ ପ୍ରଶ୍ନ କରି କହିଥିଲେ, ଯଦି ରାଜ୍ୟରେ ନକ୍ସଲ ହିଂସା କମିଗଲାଣି ତାହେଲେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ନକରି କାହିଁକି ୪ଟି ପର୍ଯ୍ୟାୟରେ କରାଯାଉଛି। ଏଥିରୁ ଜଣାପଡ଼ୁଛି ବିଜେପିକୁ ଫାଇଦା ଦେବା ପାଇଁ ନିର୍ବାଚନ କମିସନ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଭାବିତ ହୋଇ ଏପରି କରିଛନ୍ତି ବୋଲି ଶ୍ରୀ ରାୟ ଅଭିଯୋଗ କରିଥିଲେ।

publive-image

ସିପିଆଇ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ସୌରୀବନ୍ଧୁ କର କହିଥିଲେ, ରାଜ୍ୟରେ ନିର୍ବାଚନ ସମୟରେ ସରକାରୀ କଳର ଅପବ୍ୟବହାର ହୋଇଆସୁଛି। ଅଫିସରମାନେ ଶାସକ ଦଳର କର୍ମୀ ଭଳି କାମ କରୁଛନ୍ତି। ନିର୍ବାଚନ କମିସନଙ୍କ ଦୃଷ୍ଟିକୁ ଆଣିଲେ ୧୦୦ ମିନିଟ ଭିତରେ କାର‌୍ୟ୍ୟାନୁଷ୍ଠାନ ନେବାକୁ କମିସନ ଯେଉଁ ବ୍ୟବସ୍ଥା କରିଛନ୍ତି ତାକୁ ଯଥାର୍ଥରେ କାର‌୍ୟ୍ୟକାରୀ ହେବ କି ନାହିଁ। ଏହାସହିତ ଅପରାଧରେ ସଂପୃକ୍ତ ବ୍ୟକ୍ତିଙ୍କୁ ଗଣମାଧ୍ୟମରେ ୩ ଥର ବିଜ୍ଞପ୍ତି ପ୍ରକାଶ କରିବା ବ୍ୟୟବହୁଳ। ଏହାଦ୍ବାରା ଛୋଟ ରାଜନୈତିକ ଦଳର ପ୍ରାର୍ଥୀ ଅଧିକ ଖର୍ଚ୍ଚାନ୍ତ ହେବେ। ଏହି ବିଜ୍ଞାପନ ଖର୍ଚ୍ଚକୁ ନିର୍ବାଚନ କମିସନ ବହନ କରିବାକୁ ଶ୍ରୀକର ପ୍ରସ୍ତାବ ଦେଇଥିଲେ।

publive-image

ବୈଠକରେ ସିପିଏମ ପକ୍ଷରୁ ପ୍ରତିନିଧିତ୍ବ କରିଥିବା ସମ୍ପାଦକ ମଣ୍ଡଳୀ ସଦସ୍ୟ ଦୁଷ୍ମନ୍ତ ଦାସ କହିଥିଲେ, ବିଏମସି ଅଞ୍ଚଳରେ ବିଜେଡି ଓ ବିଜେପି ଦଳ ହୋର୍ଡ଼ିଂ ସ୍ଥାନ ଗୁଡ଼ିକୁ ଆଗୁଆ ବୁକିଂ କରି ଥିବାରୁ ଆଉ କୌଣସି ଦଳକୁ ହୋର୍ଡ଼ିଂ ଲଗାଇବାକୁ ସ୍ଥାନ ମିଳୁନାହିଁ। ଅନ୍ୟ ଦଳମାନଙ୍କୁ ପୋଷ୍ଟର, ବ୍ୟାନର ଓ ହୋର୍ଡ଼ିଂ ଲଗାଇବାକୁ କମିସନ କଣ ପଦକ୍ଷେପ ନେବେ ବୋଲି ଜାଣିବାକୁ ଚାହିଁଥିଲେ। ଶ୍ରୀ ଦାସ ଅଭିଯୋଗ କରି କହିଥିଲେ, ୧୦ ତାରିଖ ଦିନ ନିର୍ବାଚନ ତାରିଖ ଘୋଷଣା କରାଯିବା ପରେ ଆଚରଣ ବିଧି ଲାଗୁ ହେବା ଯୋଗୁଁ ସରକାରୀ ହୋର୍ଡ଼ିଂ କଢ଼ାଯାଉଥିଲା। ସେହି ସମୟରେ ଜନୈକ ବ୍ୟକ୍ତିଙ୍କ ଖାଲି ଜାଗାରେ ସିପିଏମର ଲାଗିଥିବା ପୋଷ୍ଟର ଓ ହୋର୍ଡ଼ିଂକୁ କାଢ଼ି ନିଆଗଲା। ରାଜନୈତିକ ଦଳମାନଙ୍କ ପ୍ରସ୍ତାବ ଓ ଅଭିଯୋଗକୁ କମିସନଙ୍କୁ ଜଣାଇ ଦିଆଯିବ। ଏହାସହିତ ଅନ୍ୟ ଦଳର ହୋର୍ଡ଼ିଂ ଓ ପ୍ରଚାର ପତ୍ରକୁ କିପରି ସ୍ଥାନ ଓ ସୁରକ୍ଷା ମିଳିବ ସେଥିପାଇଁ ରାଜ୍ୟ ସରକାରଙ୍କୁ ଜଣାଇବେ ବୋଲି କହିଥିଲେ ମୁଖ୍ୟ ନିର୍ବାଚନ ଅଧିକାରୀ।