ଚାକିରି ପଛରେ ନଧାଇଁ ଗୋଲାପ ଫୁଲ ଚାଷ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ସୌଭାଗ୍ୟ । ଏବେ ମାସକୁ ରୋଜଗାର କରୁଛନ୍ତି ଲକ୍ଷାଧିକ ଟଙ୍କା ।

594

କନକ ବ୍ୟୁରୋ : ପ୍ରବଳ ଇଛାଶକ୍ତି ଓ ଦୃଢ ଆତ୍ମ ବିଶ୍ୱାସ ଯେ ସଫଳତା ଆଣି ଦିଏ ତାହାର ସଦ୍ୟ ଉଦାହରଣ ହେଉଛନ୍ତି କୁଚିଣ୍ଡା ଉପଖଣ୍ଡ ମିକ୍ତିମାଲ ଗାଁର ସୋଭାଗ୍ୟ ନାଏକ । ଦୁଇ ଏକର ଜମିରେ ଗୋଲାପ ଫୁଲ ଚାଷ କରି ନିଜେ ସ୍ୱାବଲମ୍ବୀ ହେବା ସହ ଅନେକ ଯୁବକଙ୍କୁ ଦେଇଛନ୍ତି ନିଯୁକ୍ତି । ମାସିକ ଲକ୍ଷାଧିକ ଟଙ୍କା ରୋଜଗାର କରିବା ସହ ନିଜ ଚାଷରେ ଗାଁର ୧୦ ଜଣଙ୍କୁ ରୋଜଗାରକ୍ଷମ କରାଇ ପାଲଟି ଯାଇଛନ୍ତି ଉଦାହରଣ । ସେଥିପାଇଁ ତ, ତାଙ୍କୁ ସ୍ଥାନୀୟ ଲୋକେ କହୁନ୍ତି ରୋଲ ମଡେଲ ରୋଜ ବୟ ।

କୁଣ୍ଡରେ ସଜା ହୋଇଥିବା ଗୋଲାପ ଫୁଲ ଯେତିକି ସୁନ୍ଦର, ଏହା ପଛରେ ଥିବା ଚାଷୀଙ୍କ ପ୍ରେରଣାଦାୟୀ କାହାଣୀ ବି ସେତିକି ସଂଘର୍ଷମୟ । ଆଜିର ପ୍ରଗତିଶୀଳ ଦୁନିଆରେ ଚାକିରି ପଛରେ ନଦୌଡି ଗୋଲାପ ଫୁଲ ଚାଷ ପାଇଁ ମନ ବଳାଇଥିଲେ ସମ୍ବଲପୁର ବାମରା ବ୍ଲକ ନିକ୍ତିମାଲ ଗାଁର ଯୁବ ଚାଷୀ ସୌଭାଗ୍ୟ ନାୟକ । ପ୍ରେମର ସ୍ୱରୂପ ଫୁଲ ଗୋଲାପକୁ ପ୍ରେମୀ ଯୁଗଳ ଯେତିକି ଭଳ ପାଆନ୍ତି ଗୋଲାପ ଚାଷକୁ ତାଠୁ ଢେର ଅଧିକ ଭଲପାଆନ୍ତି ସୌଭାଗ୍ୟ ।

ପଲ୍ଲୀହାଉସ ମାଧ୍ୟମରେ ୩ ବର୍ଷ ତଳୁ ୨ ଏକର ଜମିରେ ଗୋଲାପ ଫୁଲ ଚାଷ କରୁଛନ୍ତି ଯୁବଚାଷୀ ସୌଭାଗ୍ୟ । ଆଉ ଏବେ ଦିନକୁ ୩୦୦୦ରୁ ୫୦୦୦ ବିଭିନ୍ନ ରଙ୍ଗର ଗୋଲାପ ଫୁଲ ସଂଗ୍ରହ କରୁଛନ୍ତି । ଆଉ ସେହି ସବୁ ଫୁଲକୁ ପ୍ୟାକିଂ କରି ଭୁବନେଶ୍ୱର, କଟକ, ସମ୍ବଲପୁର, ରାଉଲକେଲା, ବରଗଡ, କେନ୍ଦୁଝର ସହରକୁ ବିକ୍ରି ପାଇଁ ପଠାଉଛନ୍ତି ଗୋଲାପ ଚାଷୀ ସୌଭାଗ୍ୟ । ଗୋଟିଏ ଫୁଲକୁ ୬ ଟଙ୍କାରେ ବିକ୍ରି କରୁଥିବା ଏହି ସଫଳ ଚାଷୀ ମାସିକ ଲକ୍ଷାଧିକ ଚଙ୍କା ଲାଭ ପାଉଛନ୍ତି ।

ପ୍ରେମର ଫୁଲ ଚାଷ କରି ସୌଭାଗ୍ୟ ନିଜେ ସ୍ୱାବଲମ୍ବୀ ହେବା ସହ ନିକ୍ତିମାଲ ଗାଁର ୧୦ ଜଣ ଶ୍ରମିକଙ୍କୁ ରୋଜଗାର ଯୋଗାଇ ଦେଇଛନ୍ତି । ତାଙ୍କ ଗୋଲାପ ବଗିଚାରେ କାମ କରୁଥିବା ଶ୍ରମିକଙ୍କୁ ମାସିକ ୭ରୁ ୮ ହଜାର ଟଙ୍କାର ପାରିଶ୍ରମିକ ଦେଉଛନ୍ତି ସୌଭାଗ୍ୟ । ସୌଭାଗ୍ୟ ଓ ତାଙ୍କ ପରିବାର ସଦସ୍ୟଙ୍କ ସମେତ ଶ୍ରମିକମାନେ ସକାଳୁ ସଂଧ୍ୟା ଗୋଲାପ ଗଛ ଗୁଡିକର ଯତ୍ନ ନେଉଛନ୍ତି । ଆଉ ତାଙ୍କ ବଗିଚାର ଗୋଲାପ ଫୁଲକୁ ଯିଏ ଥରେ ଦେଖିଛି ସେ ହିଁ ଜାଣିଛି ପ୍ରକୃତି କୋଳରେ ଗୋଲାପର ଚାଦର କେତେ ସୁନ୍ଦର । ଜାତୀୟ ଉଦ୍ୟାନ ବିଭାଗର ପରାମର୍ଶ କ୍ରମେ ଗୋଲାପ ଫୁଲ ଚାଷ କରି ପ୍ରେରଣାର ଉତ୍ସ ପାଲଟିଥିବା ସୋଭାଗ୍ୟଙ୍କ ଏହି ଫୁଲ ଚାଷ ଅନେକ ଯୁବପୀଢିଙ୍କୁ ଚାଷ ପ୍ରତି ଆକୃଷ୍ଟ କରିଛି ।

Comments are closed.