ସଡକ ଦୁର୍ଘଟଣାରେ ଗୋଟିଏ ଗୋଡ ହରାଇ ବି ଭାଙ୍ଗି ପଡିନାହାନ୍ତି ସାହସୀ ଚାଷୀ ସନା । ଚାଷ କରି ଅନ୍ୟ ମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା ।

443

କନକ ବ୍ୟୁରୋ : ଉଦ୍ୟମ ଇଚ୍ଛା ଶକ୍ତି ଦୃଢ ମନୋବଳ ଆଗରେ ସବୁକିଛି ସମ୍ଭବ । କଥାରେ ଅଛି ପୋଙ୍ଗୁ ଲୋଙ୍ଗୟତେ ଗିରି । ଏପରି ଏକ ଚାଷୀ କ୍ଷେତରେ ତାହା ପ୍ରତିପାଦିତ ହୋଇଛି । ଶରୀରରେ ଗୋଟିଏ ଗୋଡ ନାହିଁ । କିନ୍ତୁ କେବେ ଅଭାବୀ କରିନାହାନ୍ତି ସେ । ସବୁ ଦଃଖ କଷ୍ଟ କାନ୍ଧରେ ବୋହି ୫ ପ୍ରାଣୀ କୁଟୁମ୍ବର ଭାର ନେଇ ହାର ମାନିନାହାନ୍ତି । ସବୁ ଦିନ ରାତି ପାହିଲେ ନୂଆ ସପ୍ନ ଦେଖି ଆଗେଇ ଚାଲନ୍ତି ନିଜ କାମରେ । ସେପରି ଏକ ଚାଷୀ ହେଉଛନ୍ତି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ମାଝିଗୁଡା ଗାଁର ସନ୍ୟା ଗୁଟା । ଦିନେ ଅକ୍ଷମ ହୋଇ ଘରେ ପଡି ରହିଥିବା ସନା ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।

ଚାଷ ପାଇଁ କମିନି ସାହସ । ଅକର୍ମଣ୍ୟ କରିପାରିନି ଦୁର୍ଘଟଣା । ଜମିରେ ହଳ କରୁଥିବା ଏହି ଚାଷୀଙ୍କୁ ଦେଖିଲେ ହୁଏତ କେହି ବି ବିଶ୍ୱାସ କରିପାରିବେ ନାହିଁ ଯେ, ସେ ଜଣେ ଦିବ୍ୟାଙ୍ଗ । ଗୋଟିଏ ଗୋଡର ବି ଜଣେ ବ୍ୟକ୍ତି ଚାଷ କାମକୁ ଅତି ସୁନ୍ଦର ଆଉ ସହଜ ଭାବରେ କରିପାରିବେ, ତାର ଉଦହାରଣ ହେଉଛନ୍ତି ମାଲକାନଗିରି ଖଇରପୁଟ ବ୍ଲକର ମାଝିଗୁଡା ଗାଁର ସନିଆ ଗୁଟା । ଦୁର୍ଘଟଣାର ଶିକାର ହୋଇ ସନ୍ୟାଙ୍କ ଗୋଟିଏ ଗୋଡ କଟି ଯାଇଛି ସତ କିନ୍ତୁ ସେ ତାଙ୍କ ଜୀବନର ଗତିପଥରେ ଅଟକି ନାହାନ୍ତି । ସକାଳ ହେଲେ କଟା ଗୋଡରେ କୃତ୍ରିମ ଗୋଡ ଲଗାଇ ହଳ-ଲଙ୍ଗଳ ଧରି ବାହାରି ପଡୁଛନ୍ତି ବିଲକୁ । ଜମିରେ ହଳ କରିବା ସହ ଚାଷର ଟିକନିକ୍ କାମକୁ ଖୁବ୍ ସୁନ୍ଦର ଭାବେ କରୁଛନ୍ତି ଦିବ୍ୟାଙ୍ଗ ସନିଆ । ଆଉ ଆଶା ରଖିଛନ୍ତି ଚାଷ କରି ପରିବାର ଆର୍ଥିକ ଅନଟନ ଦୂର କରିବେ ।

୩ ପୁଅ-ଝିଅକୁ ନେଇ ଖୁବ୍ ହସ ଖୁସିରେ ଚାଲୁଥିଲା ସନାଙ୍କ ପରିବାର । ହେଲେ ଦିନେ ତାଙ୍କ ଜୀବନରେ ଘୋଟି ଆସିଲା କଳା ବାଦଲ । ହାଟ ସାରି ଗାଡିରେ ଘରକୁ ଫେରୁଥିବା ବେଳେ ଗାଡି ଓଲଟି ପଡିବାରୁ ଦୁର୍ଘଟଣାର ଶିକାର ହେଲେ ସନିଆ । ଆଉ ସେହି ଦୁର୍ଘଟଣାରେ ବାମ ଗୋଡ ହରାଇ ଦିବ୍ୟାଙ୍ଗ ପାଲଟି ଯାଇଛନ୍ତି ମାଝିଗୁଡା ଗାଁର ସନିଆ ଗୁଟା । କୋରାପୁଟ ଜିଲ୍ଲାର ସହକାରୀ ଜିଲ୍ଲାପାଳ ଆଲୋକ ଅନୁଗୁଳିଆ ଓ ଖଇରପୁଟ ଅଂଚଳର ସମାଜସେବୀ ଆନନ୍ଦ ଚାର୍କିଙ୍କ ସହଯୋଗରେ ସନା, କଟକ ଓଲଟପୁରରୁ ଏକ କୃତ୍ରିମ ଗୋଡ ଆଣି ନିଜର କାମକୁ ଅତି ସହଜରେ ସମ୍ପାଦନ କରୁଛନ୍ତି । ଗଭୀର ଆତ୍ମବିଶ୍ୱାସ ଏବଂ ସ୍ୱାବଲମ୍ବୀ ହେବାର ଅଦ୍ୟମ ଇଚ୍ଛା ଯୋଗୁ ସନା ଆଜି ପରିବାର ପ୍ରତିପୋଷଣ କରିପାରୁଛନ୍ତି । ସବୁ ଅଭାବୀ ଅନଟନ ଭିତରେ ସନା ସମାଜ ପାଇଁ ଉଦାହରଣ ପାଲଟିଛନ୍ତି ।